Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ପଦ୍ମିନୀ କିନ୍ତୁ ସେତେବେଳେ ଅନ୍ୟ ଏକ ପୃଥିବୀରେ ବିଚରଣ କରୁଥିଲା । ସେଇ ଜଗତର ପରିଚିତ ରାଜପଥ ଉପରେ ଚଳାୟମାନ ଅବସ୍ଥାରେ ଚାରିପାଖରେ ଘଟିଥିବା ଘଟଣା-ଦୁର୍ଘଟଣାଗୁଡ଼ିକ ତା’ ମନର ସ୍ଥିରତାକୁ ଲୁଣ୍ଠନ କରି ନେଉଥିଲେ । ହସ ଓ ଲୁହର ଅତୀତ ତା’ ହୃଦୟର ପ୍ରତିଟି ତବୀକୁ ବେଦନାର ସ୍ପର୍ଶ ଦେଇ ଯାଉଥିଲା । ମାୟା, ମମତା, ଆସକ୍ତି, ବିବାହ, ମିଳନ, ମାତୃତ୍ୱ-ଏ ସମସ୍ତ ଅନୁଭବ ତା’ ଆଗରେ ଦୁଃସ୍ୱପ୍ନ ଶେଷର ସକାଳ ପରି ସ୍ପଷ୍ଟ ହୋଇ ଉଠୁଥିଲା ।

ଏ ଭିତରେ ଉପରିସ୍ଥିଙ୍କ ଡାକରା ପାଇ ପ୍ରକାଶ ସେଠୁ ଉଠି ଚାଲି ଯାଇଥିଲା । ଟାଇପ୍ ମେସିନ୍ ରିଡ଼୍ ଉପରେ ପାପୁଲି ରଖି ସ୍ମୃତି ସବୁକୁ ମତ୍‌ଥିତ କରି ଚାଲିଥିଲା ପଦ୍ମିନୀ ।

କର୍ମ ପ୍ରବାହର ନିରନ୍ତରତା ଭିତରେ ଯେଉଁ ଯବଣାକୁ ସେ ଭୁଲି ଯିବାକୁ ଚେଷ୍ଟା କରି ଆସୁଥିଲା; ସେଇ ସ୍ରୋତ ହିଁ ଆଜି ତାକୁ ଭସାଇ ଆଣି ଏମିତି ଏକ ସମୁଦ୍ରବେଳାରେ ଧରା ପକାଇ ଦେଇଛି, ଯା’ ସହ ମିଶିଯିବା ପରେ ସମୟର ବାଲିବନ୍ଧ କୁ ସେଇ ସମୁଦ୍ର ଠାରୁ ପୃଥକ କରି ଏକ ବିଷର୍ଣ୍ଣ ଚିଲିକାରେ ରୂପାନ୍ତରିତ କରି ଦେଇଛି ।

ଓଃ….ଏ ଜୀବନ କ’ଣ ଶେଷହୀନ ଝଡ଼ର ରାତି ପରି ଚିର ଅଶାନ୍ତ ରହିବ?

ଏ ହୃଦୟ କ’ଣ ଗ୍ଳାନି ଓ ଯବଣାର ଜ୍ୱାଳାରେ ଦିନରାତି ଦହିର୍ଯ୍ୟ ହେଉଥିବ? ଏ କପାଳରେ କ’ଣ ଭାଗ୍ୟ ଖାଲି ଦୁଃଖ ଆଉ ଦୁଃଖ ଲେଖି ଚାଲିଥିବ?

ଦୁଇ ହାତରେ ମୁଣ୍ଡକୁ ଚାପି ଧରିଲା ପଦ୍ମିନୀ । ବିନା ଅପରାଧର ଦଣ୍ଡରେ ଦୋଷୀ ଜୀବନ ବିତାଉଥିବା ନାରୀ ଜଣକ ଅପମାନର ବେତ୍ରାଘାତରେ ବେଳକୁ ବେଳ ସଙ୍କୁଚିତ ହେଇ ଯାଉଥିଲା । ଆଖିଚିରି ଲୁହଧାର ଫିଟି ପଡ଼ିବାକୁ ଉଦ୍ୟତ ହେଲେଣି । ସହକର୍ମୀମାନଙ୍କ ଜିଜ୍ଞାସାଜାଲରେ ଧରା ପଡ଼ିଯିବାର ଆଶଙ୍କା କରି ପଦ୍ମିନୀ ଫାଇଲ ଫିତା ଖୋଲିଲା ।

କର୍ମ ହିଁ ଜୀବନର ସଂକେତ । ବଞ୍ଚିବାକୁ ହେଲେ କର୍ମ କରିବାକୁ ହୁଏ । ସେ ବଂଚିବାରେ ସରସତା ଥାଉ ବା ନ ଥାଉ । ପ୍ରାଣ ପ୍ରାଚୁର୍ଯ୍ୟ ଥାଉ ନ ଥାଉ । କର୍ମ ହିଁ ବଞ୍ଚିବାର ପାଥେୟ ।

Comments are closed.