Latest Odisha News

ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ୧୫ ମିଟର ଘୋଷାଡି ନେଲା କାର

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲେୱାଲଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ । ଜଣେ ବ୍ୟକ୍ତି ତାଙ୍କୁ ୧୫ ମିଟର ଯାଏ କାରରେ ଘୋଷାଡି ନେଇ ଯାଇଥିବା ଅଭିଯୋଗ ଆସିଛି । ଏ ନେଇ ନିଜେ ମହିଳା କମିଶନ ଅଧ୍ୟକ୍ଷା ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତର ବଲେନୋ କାର୍‌କୁ ମଧ୍ୟ ପୁଲିସ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ , ଗୁରୁବାର ରାତି ପ୍ରାୟ ୩ଟା ୧୧ରେ  ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ସ୍ଥିତି ନେଇ ସ୍ୱାତୀ ଏକୁଟିଆ ଯାଞ୍ଚ କରୁଥିଲେ। ସ୍ୱାତୀଙ୍କ ସହ ତାଙ୍କର ପୁରା ଟିମ ଥିଲେ । ପ୍ରାୟ ୮ରୁ ୯ ଜଣ ଲୋକ ଭିଡିଓଗ୍ରାଫି ମଧ୍ୟ କରୁଥିଲେ । ହେଲେ ସମସ୍ତେ ଲୁଚି କରି ଏହା କରୁଥିଲେ ।   ଦିଲ୍ଲୀ ସଙ୍ଗମ ବିହାରର ବାସିନ୍ଦା  ୪୭ ବର୍ଷୀୟ ହରିଶ ଚନ୍ଦ୍ର  ନିଶାଶକ୍ତ ଅବସ୍ଥାରେ ସ୍ୱାତୀଙ୍କୁ ଏକୁଟିଆ ପାଇ  ଗାଳିଗୁଲଜ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ତାଙ୍କୁ କାର୍‌ରେ ବସିବାକୁ ବାଧ୍ୟ କରିଥିଲେ ।  କିନ୍ତୁ ସେ ନ ବସିବାରୁ ହରିଶ  ନିଜ ବଲେନୋ କାର୍ ନେଇ ସେଠାରୁ ଚାଲିଯାଇଥିଲେ ।

କିଛି ସମୟ ପରେ ୟୁ-ଟର୍ଣ୍ଣ ମାରି ପୁଣି ମହିଳା କମିଶ ଅଧ୍ୟକ୍ଷାଙ୍କ ପାଖକୁ ଆସିଥିଲେ। ଏହାପରେ ସ୍ୱାତୀ ଅଭିଯୁକ୍ତଙ୍କୁ ଧରିବା ପାଇଁ କାର ପାଖକୁ ଯାଇ ହାତ ବଢାଇବା ସମୟରେ ଅଭିଯୁକ୍ତ କାଚ ବନ୍ଦ କରି ଗାଡି ଚଳାଇ ନେଲେ । ଫଳରେ କାଚ ଭିତରେ ତାଙ୍କ ହାତ ଫଶି ଯାଇଥିଲା ଏବଂ ସେ କାର ସହ  ୧୦ରୁ ୧୫ ମିଟର ଯାଏଁ ଘୋଷାଡି ହୋଇ ଯାଇଥିଲେ ।

ଏନେଇ ସ୍ୱାତୀ ମାଲେୱାଲ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି, ଏ ଦୁର୍ଘଟଣାରୁ ମୁଁ ଭଗବାନଙ୍କ ଆଶୀର୍ବାଦରୁ ବଞ୍ଚି ଯାଇଛି।  ଦିଲ୍ଲୀରେ ମହିଳା କମିଶନ ଅଧ୍ୟକ୍ଷା ଯଦି ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ମହିଳା କିଭଳି ସୁରକ୍ଷିତ ରହିପାରିବେ ବୋଲି ସେ   ପ୍ରଶ୍ନ କରିଛନ୍ତି।

Comments are closed.