Latest Odisha News

BREAKING NEWS

ପୁସ୍ତକ ପରିଚୟ : ସୀମା

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା

ସୀମା : ଗୋଟିଏ ବୈଧବ୍ୟର ଅବ୍ୟକ୍ତ ଭାଷା

ଉପନ୍ୟାସ : ସୀମା
ଲେଖିକା : ଶର୍ମିଷ୍ଠା ମହାପାତ୍ର
ପ୍ରକାଶକ : ମା’ଶାରଦା ପବ୍ଲିକେସନ୍
ପ୍ରଥମ ପ୍ରକାଶ : ୨୦୨୧
ପୃଷ୍ଠା ସଂଖ୍ୟା : ୧୧୨
ମୁଲ୍ୟ : ୧୨୦ ଟଙ୍କା ମାତ୍ର

ଔପନ୍ୟାସିକା ଏ ସୀମା ହେଉଛି ନବ ପିଢିର ଲେଖିକା ଶର୍ମିଷ୍ଠା ମହାପାତ୍ରଙ୍କ ଏକ ଗୋଟିଏ ସୁନ୍ଦର ଉପନ୍ୟାସ, ଯେଉଁଠି କାହାଣୀ ର ନାୟିକା ହେଉଛି ସୀମା।

କାହାଣୀଟି ପଢିଲା ପରେ ପାଠକ ଅନୁଭବ କରିବ କାହାଣୀରେ ଲେଖିକା ଯାହା କହିବାକୁ ଚାହିଁଛନ୍ତି ତାହା କହି ପାରିନାହାନ୍ତି ଏବଂ ଯାହା କହିଵାକୁ ଚାହିଁ ନାହାନ୍ତି ତାହା ଲେଖିକାଙ୍କ ଅଜାଣତରେ କହି ହୋଇ ଯାଇଛି। କାହାଣୀଟି ଗୋଟିଏ ଶହୀଦ୍ ଙ୍କ ପରିବାରକୁ କେନ୍ଦ୍ର କରି ହୋଇଥିଲେ ମଧ୍ୟ କାହାଣୀଟିର କେନ୍ଦ୍ର ବିନ୍ଦୁ ଶହୀଦ୍ ବିଜୁ ନୁହେଁ ବରଂ କାହାଣୀର କେନ୍ଦ୍ର ବିନ୍ଦୁ ହେଉଛନ୍ତି ଶହୀଦ୍ ଙ୍କ ପତ୍ନୀ ସୀମା।

ବିବାହର ୧୫ ଦିନ ଭିତରେ ସୀମାର ବର ଫେରି ଯାଉଛି ସୀମାନ୍ତକୁ। ଛୁଟି ଶେଷ ହେବା ପରେ ସୈନିକକୁ ଫେରିବାକୁ ହୁଏ ଚାକିରିକୁ , ତେଣୁ ବିଜୁ ଫେରିଗଲା ତାଆ କ୍ୟାମ୍ପ୍ କୁ। ସେ ବିରହର ବେଦନାକୁ ଯିଏ ଭୋଗିଛି ସେ ଜାଣିଛି। ସୀମା, ଜଣେ ସୀମା ସୁରକ୍ଷା ବାହିନୀ ସୈନିକର ସ୍ତ୍ରୀ । ସେ ଅବା ସେଥିରୁ ବାଦ୍ ଯାଆନ୍ତା କେମିତି । ତେଣୁ ସେ ବିରହର ଚିତ୍ରକୁ , ସେ ବିରହର ଭୋଗିବା ପଣକୁ ଆଉ ଟିକେ ଅଧିକ ଦେଖାଇ ଯାଇ ପାରିଥାନ୍ତା ଉପନ୍ୟାସଟିରେ। କିନ୍ତୁ ସେମିତି କରାଯାଇନି ଏଠି।

ପ୍ରାୟ ଦଶ ମାସ ପରେ ସୀମା କୋଳରେ ପିଣ୍ଟୁ। କିଛି ଦିନର ଛୁଟି ନେଇ ଆସିଥିଲେ ବିଜୁ। ପୁଅର ଏକୋଇଶା ପରେ ଛୁଟି ସରୁ ସରୁ ପୁଣି ଫେରିଗଲେ ସେ ନିଜ କର୍ମ ଭୁମି । ଗାଁ ରେ ଶାଶୁ ଓ ନଣନ୍ଦ ବିନି ସହ ପୁଣି ଏକୁଟିଆ ସୀମା। ଚିନ୍ହା ଜଣା ଓ ଭଲ ମନ୍ଦକୁ କହିଲେ କେବଳ ଜଣେ, ବିଜୁଙ୍କ ପିଲା ଦିନର ସାଙ୍ଗ ମୃତଞୟ।

ଛୁଟି ସାରି ବିଜୁ ଫେରିଗଲା ପରେ ହଠାତ୍ ଦିନେ ଟିଭିରୁ ଖବର ମିଳେ ବିଜୁ କୁଆଡେ ଶହୀଦ୍ ହୋଇ ଯାଇଛି ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣରେ। ଗାଁ ଗଣ୍ଡା ସହର ବଜାର ସଭିଙ୍କ ଆଖିରେ ଲୁହ, ଛାତିରେ କୋହ। କାନ୍ଦି କାନ୍ଦି ଶାଶୁ ନଣନ୍ଦଙ୍କ ଅବସ୍ଥା ଅସମ୍ଭାଳ। ସୀମାର କଣ୍ଠ ବାକ୍ ରୁଦ୍ଧ। ସୀମା ବେହୋସ୍। ଏଇଠି ସରି ଯାଇନି କାହାଣୀ, ଏଇଠି ବଦଳି ଯାଇଛି କାହାଣୀର ମୋଡ।

ଏଇଠି କାହାଣୀଟି ଯେତେ ମାତ୍ରାରେ ଗତିଶୀଳ ହେବାକଥା ସେତେ ମାତ୍ରାରେ ଗତିଶୀଳ ହୋଇ ପାରିନି କାହାଣୀଟି। ଏଇଠି କାହାଣୀକାର ଆଉ ଟିକେ ପରିପକ୍ଵତା ଦେଖାଇବାର ଆବଶ୍ୟକତା ଥିଲା। ଟିଭିରେ ବିଜୁଙ୍କ ଶହୀଦ୍ ହେବା ଖବର ଓ ତାଙ୍କ ଅନ୍ତିମ ସଂସ୍କାର ତଥା ସେଟେଲମେଣ୍ଟ ପ୍ରାପ୍ତି ଭିତରେ ଟିକେ ଗ୍ୟାପ୍ ମେଣ୍ଟେନ୍ କରିବାର ଆବଶ୍ୟକତା ଥିଲା।

ସୂଚାଇବାର ଥିଲା ଅନ୍ତିମ ଦର୍ଶନ ପାଇଁ ଧାର୍ଯ୍ୟ କରାଯାଇଥିବା ସମୟ, ଦିନ ବାର ଆଦି। ସୁଚାଇବାର ଥିଲା ଶେଷ ଥର ପାଇଁ ବିଜୁ ,ଗାଁ କୁ ଆସିବାର କେତେ ଦିନ ବା ମାସ ପରେ ଏମିତିକା କାଳ ଦିନକୁ ସାମ୍ନା କଲା ସୀମା। କିନ୍ତୁ ଲେଖିକା ସେମିତି କିଛି କଲା ଭଳି ଏଠି ଅନୁଭବ କରି ପାରୁନି ପାଠକ , ଯଦିଓ ପାଠକ ଅନୁଭବ କରୁଛି କାହାଣୀର ନିଆରାପଣକୁ ଓ ନୂତନତ୍ବକୁ।

ମୋର ଯେତେଦୂର ଅନୁମାନ, ବୋଧହୁଏ କାହାଣୀଟିରେ କିଛି ନୂତନତ୍ବ ଓ ନିଆରାପଣ ଆଣିବାର ପ୍ରୟାସରେ କାହାଣୀକାର ଜାଣିଶୁଣି ଗୁରୁତ୍ବ ଦେଇ ନାହାନ୍ତି ସୀମାର ବିରହ ବେଦନାକୁ କି ତା’ର ବୈଧବ୍ୟ ଯନ୍ତ୍ରଣାକୁ ।ଆଜି କାଲି ଆଗଭଳି ଆଉ ବଧୁ ନିର୍ଯ୍ୟାତନା ନାହିଁ, ଏଣୁ ତାକୁବି ଗୁରୁତ୍ବ ଦେଇ ନାହାନ୍ତି ଲେଖିକା। ସେ କାହାଣୀଟିରେ ଗୁରୁତ୍ବ ଦେଇଛନ୍ତି କେବଳ କିଛିଟା ଦୁର୍ବଳ ମୁହୂର୍ତ୍ତକୁ, ଯେତେବେଳେକି ବିଜୁର ଅବର୍ତ୍ତମାନରେ ସୀମା କେଜାଣି କେମିତି ଦୁର୍ବଳ ହୋଇ ପଡିଛି ବିଜୁର ପିଲା ଦିନର ସାଙ୍ଗ ମୃତ୍ୟୁଞୟ ପ୍ରତି। ବିଜୁର ମୃତ୍ୟୁ ପରେ ସେ ଅନୁଭବିଛି ମୃତ୍ୟୁଞୟ ପ୍ରତି ତା’ର ବଢୁଥିବା ପ୍ରେମକୁ ।

ତଥାପି ଜଣେ ଶହୀଦ୍ ର ପତ୍ନୀ ହିସାବରେ ସେ ଭୂଲିନି ନିଜର ଦାୟିତ୍ୱବୋଧକୁ, ସାମାଜିକ ସଂସ୍କାର କୁ ଓ ସର୍ବୋପରି ନିଜର ସୀମାକୁ।
ମୋଟାମୋଟି ଭାବରେ କହିବାକୁ ଗଲେ ଉପନ୍ୟାସଟି ନାରୀ ମନର ଗୋଟିଏ ଅବ୍ୟକ୍ତ ଓ ଅବହେଳିତ ଦିଗକୁ ନୂଆ କରି ପାଠକଙ୍କ ପାଖରେ ଥୋଇବାକୁ ଚେଷ୍ଟା କରିଛି ଓ ଏଥିରେ ଅନେକାଂଶରେ ସଫଳବି ହୋଇଛି। କିନ୍ତୁ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ଫୋକସ୍ କରିଥିବାରୁ ଉପନ୍ୟାସଟିର ଅନ୍ୟାନ୍ୟ ଦିଗରେ ଟିକେ ଅବହେଳା ହୋଲା ଭଳି ମନେ କରିଛି ପାଠକ। କାହାଣୀର ମୁଖ୍ୟ ଚରିତ୍ର ସୀମାକୁ ଆଉଟିକେ ଅଧିକ ନ୍ୟାୟ ଦେବାର ଥିଲା ବୋଲି ଅନୁଭବ ହୋଇଛି । ଆଶା କରୁଛି ଭବିଷ୍ୟତରେ ଅନୁଭବର ଅନୁଭବରେ ଆହୁରି ଅଧିକ ଦିପ୍ତୀମନ୍ତ ହେବେ ଲେଖିକା ଓ ଓଡିଆ ବାଣୀ ଭଣ୍ଡାରକୁ ଉପହାର ଦେବେ ଆହୁରି ଅଧିକ ଗଳ୍ପ ଓ ଉପନ୍ୟାସ।

 

Leave A Reply

Your email address will not be published.