Latest Odisha News

BREAKING NEWS

ଜଗା-କାଳିଆ ଓଡ଼ିଶା ଫେରିବାରେ କାହିଁକି ବିଳମ୍ବ ? ଜାଣନ୍ତୁ କ’ଣ କହିଲେ ତାଙ୍କ ବାପା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଅଲଗା ହେବା ପରେ ଏବେ ଓଡ଼ିଶା ଫେରିବା ପ୍ରସଙ୍ଗକୁ ନେଇ ସେମାନଙ୍କର ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ମଙ୍ଗଳବାର ଦିନ ଭୂୟାଁ କହଁର କହିଛନ୍ତି ଯେ, ସେ ଏବେ ସେମାନଙ୍କର ପିଲାଙ୍କୁ ନେଇ କନ୍ଧମାଳ ଜିଲ୍ଲାସ୍ଥିତ ନିଜ ଗ୍ରାମକୁ ଫେରିଯିବାକୁ ଚାହୁଁଛନ୍ତି । ମାତ୍ର ଦିଲ୍ଲୀ ଏମ୍ସରୁ ଡ଼ିସଚାର୍ଜ ଲାଗି ଓଡ଼ିଶା ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି ।

“ଗତ ଦୁଇବର୍ଷ ଧରି ମୁଁ ମୋ ପରିବାର ସହିତ ଦିଲ୍ଲୀସ୍ଥିତ ଏମ୍ସରେ ରହିଆସୁଛି । ସେବେଠାରୁ ଏପର୍ଯ୍ୟନ୍ତ ଥରେହେଲେ ଆମେ ଗା’କୁ ଯାଇନାହୁଁ । ଏବେ ବାର୍ଦ୍ଧକ୍ୟ ଅବସ୍ଥାରେ ରହୁଥିବା ମୋ ବାପା, ମା ଏବଂ ଘରେ ଥିବା ଦୁଇଟି ପିଲାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଗାଁରେ ରହୁଥିବା ଏହି ଦୁଇଟି ପିଲା ଏବେ ମଧ୍ୟ ସ୍କୁଲ ଯିବା ବନ୍ଦ କରିଦେଲେଣି । ଏବେ ଜଗା-କାଳିଆଙ୍କ ଡ଼ିସଚାର୍ଜ ହେବାନେଇ କୌଣସି ଅସୁବିଧା ନାହିଁ ବୋଲି ଏମ୍ସ କର୍ତ୍ତୃପକ୍ଷ କହୁଥିବା ବେଳେ ଓଡ଼ିଶା ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏହାବ୍ୟତୀତ, ପୂର୍ବରୁ ମୋ ପିଲାଙ୍କୁ ରକ୍ଷଣାବେକ୍ଷଣ କରିବାକୁ ଯେଉଁ ଏନଜିଓ ସ୍ୱେଚ୍ଛାସେବୀ ଦୁଇଜଣ ରହିଥିଲେ ସେମାନେ ମଧ୍ୟ କେବେଠାରୁ ଚାଲିଗଲେଣି । ଏହି ପରିସ୍ଥିତିରେ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି, ଏହାକୁ ଗୁରୁତ୍ୱ ମନେକରି ମୋ ପିଲା ଦୁହିଁଙ୍କୁ କିପରି ଭୁବନେଶ୍ୱରକୁ ସ୍ଥାନାନ୍ତରୀତ କରିବେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରନ୍ତୁ,” ବୋଲି ଶ୍ରୀ କହଁର କହିଛନ୍ତି ।

ଏହି ଘଟଣା ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି, ନୂଆଦିଲ୍ଲୀ ଏମ୍ସ ଭୁବନେଶ୍ୱର ଏମ୍ସକୁ ଡ଼ିସଚାର୍ଜ କରି ସ୍ଥାନାନ୍ତରିତ କରିବାକୁ ପ୍ରସ୍ତୁତ ରହିଥିଲେ ମଧ୍ୟ ଭୁବନେଶ୍ୱର ଏମ୍ସ ଏନେଇ ଏଯାଏଁ ଅନୁମତି ପ୍ରଦାନ କରିନାହାନ୍ତି ।

ଏହି ଯୋଡ଼ାମୁଣ୍ଡ ଥିବା ଯାଆଁଳା ଶିଶୁ ଦ୍ୱୟଙ୍କୁ ଦୀର୍ଘ ୧୧ ମାସ ଧରି ଅପରେସନ କରିବା ପରେ ସଫଳତାର ସହିତ ମୁଣ୍ଡ ଅଲଗା କରାଯାଇଥିଲା । ଏହି ଅପରେସନକୁ ୨୦୧୭ ଅକ୍ଟୋବର ୨୫ରେ ୩୦ ଜଣ ନ୍ୟୁରୋ ସର୍ଜରୀ ବିଶେଷଜ୍ଞ ଏବଂ ନ୍ୟୁରୋ ଆନାସ୍ଥେସିଆ ତଥା ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡ଼ାକ୍ତରମାନେ ପରିଚାଳନା କରିଥିଲେ ।

ଏହି ସଫଳ ଅସ୍ତ୍ରୋପଚାରର ଏକମାସ ପରେ ୨୦୧୭ ନଭେମ୍ବର ୨୬ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିଶୁଦ୍ୱୟଙ୍କୁ ନୂଆଦିଲ୍ଲୀଠାରେ ଭେଟି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

Leave A Reply

Your email address will not be published.