ଭୁବନେଶ୍ୱର: କେତେବେଳେ ପୋଲିସ ତ ଆଉ କେବେ ଡାକ୍ତର ? ଭେକ ବଦଳାଇ ଏହି ଠକ ୪୨୦ ଠକୁଥିଲା । ଶେଷରେ ଚାକିରି ଯୋଗାଇ ଦେବା ନାଁରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ହାତରେ ହାତକଡ଼ି ପଡ଼ିଛି । ପାହାଳ ଥାନା ପୋଲିସ ଅଭିଯୁକ୍ତ ରଞ୍ଜନ ନାୟକକୁ ଗିରଫ କରିବା ସହ ଅନେକ ଖୁଲାସା କରିଛି ।
ଅଭିଯୁକ୍ତ ରଞ୍ଜନ ଠାରୁ ପୋଲିସ ନକଲି ପୋଲିସ ଡ୍ରେସ୍ ସହ ଡାକ୍ତର ପୋଷାକ ଓ ଅନ୍ୟ ସରଞ୍ଜାମ ଜବତ କରିଛି । ଠକେଇ ଟଙ୍କାରେ ରଞ୍ଜନ ଭରତ ଅପେରା ନାମକ ଯାତ୍ରା ପାର୍ଟି ମଧ୍ୟ କରିଥିବା ଜଣାପଡ଼ିଛି ।
ଏଏସ୍ଓ ଚାକିରି ଯୋଗାଇ ଦେବା ନାଁରେ ରଞ୍ଜନ ଠକିଥିବା ବନେଇ ଅକ୍ଷୟ ମହନ୍ତ ଅଭିଯୋଗ କରିଥିଲେ । ଅକ୍ଷୟଙ୍କ ଅନୁସାରେ, ଗତ କିଛି ମାସ ତଳେ ଗାଡ଼ି ସର୍ଭିସିଂ ସେଣ୍ଟରରେ ରଞ୍ଜନଙ୍କ ସହ ଦେଖା ହୋଇଥିଲା । ଆଉ ରଞ୍ଜନ ଏଏସ୍ଓ ଚାକିରି କରାଇ ଦେବା ନାରେ ପ୍ରଥମେ ଲକ୍ଷେ ଟଙ୍କା ମାଗିଥିଲେ । ପରେ ବିଭିନ୍ନ ପ୍ରଲୋଭନ ଦେଖାଇ ୮ ଲକ୍ଷ ଟଙ୍କା ଠକି ନେଇ ଜାଲ୍ ଚୟନ ତାଲିକା ଦେଇଥିଲା ।
ଚୟନ ତାଲିକା ଜାଲ୍ ବୋଲି ଜାଣିବା ପରେ ଅଭିଯୋଗକାରୀ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଅଭିଯୁକ୍ତ ଟଙ୍କା ଦେବା ପରିବର୍ତ୍ତେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲା । ଯାହାକୁ ନେଇ ପୋଲିସରେ ଅଭିଯୋଗ କରିଥିଲେ ଅକ୍ଷୟ । ଏବେ ଠକ ୪୨୦ ରଞ୍ଜନ ପୋଲିସ ହାତରେ ଧରା ପଡ଼ିଛି ।
Comments are closed.