Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ ମାର୍ଚ୍ଚ ୧୭ରୁ, କୋହଲିଙ୍କ ଟାର୍ଗେଟ ସଚିନଙ୍କ ଶତକ ରେକର୍ଡ

ମୁମ୍ବାଇ: ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜକୁ ହାତେଇବା ଲକ୍ଷ୍ୟରେ ରହିଛି । ୧୭ ମାର୍ଚ୍ଚରୁ ମୁମ୍ବାଇର ୱାଙ୍ଖେଡରେ ଏହି ସିରିଜ ଆରମ୍ଭ ହେବ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ । ଦିନିକିଆ ସିରିଜ ପାଇଁ ୱାଶିଂଟନ ସୁନ୍ଦର, ଉମରାନ ମଲିକ, ୟୁଜଭେନ୍ଦ୍ର ଚହଲ ଓ ଶାର୍ଦ୍ଦୁଳ ଠାକୁର ଦଳ ସହିତ ଯୋଗ ଦେବେ । ଅପରପକ୍ଷରେ ପ୍ୟାଟ କମିନ୍ସଙ୍କ ବଦଳରେ ଅଷ୍ଟ୍ରେଲିଆର ନେତୃତ୍ୱ ଷ୍ଟିଭ ସ୍ମିଥ ନେବେ । ଏହି ଦିନିକିଆ ସିରିଜରେ ଅନେକଗୁଡିଏ ରେକର୍ଡ ସୃଷ୍ଟି ହେବା ସମ୍ଭାବନା ରହିଛି । ବିଶେଷ କରି ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନିକଟରେ କୀର୍ତିମାନ ସ୍ଥାପନ କରିବାର କେତେକ ସୁଯୋଗ ରହିଛି । କୋହଲି ଯଦି ଏହି ସିରିଜରେ ୧୯୧ ରନ କରିବେ ତାହାହେଲେ ୫ମ ଖେଳାଳି ଭାବେ ୧୩ ହଜାର ରନ କ୍ଲବରେ ସାମିଲ ହେବେ । ସେ ୨୭୧ ଦିନିକିଆରେ ୫୭.୬୯ ଆଭରେଜରେ ୧୨,୮୦୯ ରନ କରିଛନ୍ତି । ଏଥିରେ ୪୬ ଶତକ ଓ ୬୪ ଅର୍ଦ୍ଧଶତକ ସାମିଲ ।

ସର୍ବାଧିକ ରନର ରେକର୍ଡ ଏବେ ବି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ୪୬୩ ଦିନିକିଆରେ ୧୮୪୨୬ ରନ ସଂଗ୍ରହ କରିଛନ୍ତି । ତାଙ୍କ ପଛକୁ ଶ୍ରୀଲଙ୍କାର କୁମାର ସଙ୍ଗକାରା(୧୪୨୩୪), ଅଷ୍ଟ୍ରେଲିଆର ରିକି ପଂଟି (୧୩୭୦୪) ଓ ଶ୍ରୀଲଙ୍କାର ସନଥ ଜୟସୂର୍ଯ୍ୟା (୧୩୪୩୦) ରନ କରିଛନ୍ତି । କୋହଲି ଏହି ସିରିଜରେ ୩ଟି ଶତକ ହାସଲ କଲେ ସଚିନଙ୍କ ରେକର୍ଡ ସହ ସମକକ୍ଷ ହେବେ । ସଚିନ ଦିନିକିଆ କ୍ୟାରିୟରେ ୪୯ ଶତକ ମାରିଛନ୍ତି ।

Comments are closed.