Latest Odisha News

BREAKING NEWS

ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ‘ସାହିଯାତ’

ପୁରୀ (ସନ୍ତୋଷ ଦାସ): ସାହିଯାତ… ଶ୍ରୀକ୍ଷେତ୍ରର ଏକ ଅନନ୍ୟ ପରମ୍ପରା । ଯାହା ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନଥାଏ । ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଲୀଳାର ପ୍ରତିଫଳନ ଦେଖିବାକୁ ମିଳେ, ଯାହାର ଏକ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରର ସାହିଯାତ ପରମ୍ପରା । ସାହିଯାତ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ଠାରୁ ବୈଶାଖ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ପାଳନ ହୁଏ । ସାତସାହି ଆଖଡ଼ ପକ୍ଷରୁ ରାମଜନ୍ମ ଠାରୁ ଆରମ୍ଭ କରି ରାବଣ ବଦ୍ଧ ପର୍ଯ୍ୟନ୍ତ ତମାମ୍ ବିଷୟବସ୍ତୁ ସାହିଯାତରେ ପ୍ରଦର୍ଶନ ହୁଏ ।

ସାହିଯାତରେ ରାବଣ ଚରିତ୍ରରେ ଅଭିନୟ କରୁଛନ୍ତି ପୁରୀ ଚମ୍ପାଗଡ଼ ଜାଗାର ଭେଣ୍ଡିଆ ଅଭେଷକ ପ୍ରତିହାରୀ । ଦିନରାତି ଏକ ଜାଗା ଘରେ ବଡ଼ବଡ଼ ତାଟି କାନ୍ଧେଇ ଅଭ୍ୟାସ କରୁଛନ୍ତି ଅଭିଷେକ । ପ୍ରଥମ ଥର ପାଇଁ ଅଭିଷେକ ରାବଣ ଚରିତ୍ରରେ ଅଭିନୟ କରିବାକୁ ଯାଉଥିବାରୁ ବେଶ୍ ଖୁସି ଅଛନ୍ତି । ପୂର୍ବରୁ ଅନେକଥର ବିଭିନ୍ନ ଚରିତ୍ରରେ ଅଭିନୟ କରିଥିବା ତାପଙ୍ଗ ଜାଗାର ମଧୁସୂଦନ ଖୁଣ୍ଟିଆ ଏବର୍ଷ ପର୍ଶୁରାମ ଚରିତ୍ରରେ ଅଭିନୟ କରିବେ ।

ପୁରୀର ସର୍ବପୁରାତନ ସାହି ବା ଶ୍ରୀମନ୍ଦିର ନିକଟରେ ଥିବା ସାତ ସାହିଗୁଡିକ ପକ୍ଷରୁ ସାହିଯାତ ପ୍ରସ୍ତାବ ଆଗତ ହୁଏ । କାଳିକାଦେବୀ ସାହି, ଗୌଡବାଡା ସାହି, ହରଚଣ୍ଡୀ ସାହି, ମାର୍କେଣ୍ଡଶ୍ୱର ସାହି, ଦୋଳମଣ୍ଡପ ସାହି, ବାଲିସାହି ଓ କୁଣ୍ଢେଇବେଣ୍ଟ ସାହିରୁ ବିଭିନ୍ନ ନାଗାମେଢ, ରାବଣ, ପର୍ଶୁରାମ, କାଳୀମେଢ, ସପ୍ତଶିରା, ନାକକାନ ପ୍ରଭୃତି ଆହୁରି ଅନେକ ଚରିତ୍ର ବାହାରି ପରସ୍ପରର ବାଦୀସାହି ମାନଙ୍କୁ ଯାଇ ସମରକଳା ପ୍ରଦର୍ଶନ କରିନ୍ତି ।

ଶ୍ରୀମନ୍ଦିର ସହ ସାହିଯାତ ଓତଃପ୍ରେତ ଭାବେ ଜଡିତ ଥିବା କୁହନ୍ତି ଗବେଷକ । ଶ୍ରୀରାମ ନବମୀଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷହେବା ପରେ ଆଜ୍ଞାମାଳ ପାଇ ରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେହୋଇ ଜଗନ୍ନାଥବଲ୍ଲଭ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତା ବିବାହ, ପର୍ଶୁରାମ ଲୀଳା, ବନବାସ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡ଼ି, ହନୁମାନ ଲୀଳା ଓ ରାବଣ ବଧ ଆଦି ସାହିଯାତର ପ୍ରମୁଖ ଲୀଳାମାନ ସମ୍ପନ୍ନ ହୋଇଥାଏ ।

ଚଳିତବର୍ଷ ସାହିଯାତକୁ ଶୃଙ୍ଖଳିତ ଭାବେ ସମାପନ କରିବା ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ । ସାହିଯାତ ପାଇଁ ସାତସାହି ଆଖଡା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଏବେ ବିଳମ୍ବିତ ରାତି ଯାଏ ସାହିଯାତରେ ଚଳଚଞ୍ଚଳ ହୋଇ ଉଠିବ ଶ୍ରୀକ୍ଷେତ୍ର ।

Leave A Reply

Your email address will not be published.