ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେଡି ଟିକେଟ୍ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦୀପାଳି ଦାସ । କହିଛନ୍ତି , ମୋ ଉପରେ ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ମୋର ଧନ୍ୟବାଦ । ଏଥିସହ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାମ ସବୁ ଲୋକଙ୍କ ପାଖରେ ପହଞ୍ଚାଇବି ଓ ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ଚେଷ୍ଟା କରିବି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ବିପୁଳ ଭୋଟରେ ଜିତିବୁ ଓ ଝାରସୁଗୁଡ଼ାର ବିକାଶ ମୋର ମୂଳ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ଦିପାଳୀ । ଏଥିସହ ଆଜି ମୋ ବାପା ଥିଲେ ବହୁ ଖୁସି ହୋଇଥାନ୍ତେ ବୋଲି କହି ଭାବବିହ୍ବଳ ହୋଇପଡିଥିଲେ ଦୀପାଳି ଦାସ ।ସେପଟେ ଦୀପାଳୀଙ୍କ ସାନ ଭାଇ ବିଶାଳ ଦାସ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ।
୨୦୧୯ ନିର୍ବାଚନରେ ବିଜେଡି ଏଠାରେ ବୃହତ ବିଜୟ ହାସଲ କରିଥିଲା ବେଳେ ଉପନିର୍ବାଚନରେ ସିମ୍ପାଥି ଭୋଟ ସହଜ ବିଜୟ ଦେବ ବିଜେଡି ଆଶା ରଖିଥିବାବେଳେ ଅନ୍ୟ ଦୁଇ ପ୍ରମୂଖ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଶାସକ ଦଳକୁ ଟକ୍କର ଦେବା ପାଇଁ ଋଣନୀତି ପ୍ରସ୍ତୁତିରେ ଲାଗିଥିବା ଜଣାପଡ଼ିଛି। ତେବେ ଏହିଦୁଇ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୩ ତାରିଖରେ ଝାରସୁଗୁଡା ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସେହି ଦିନଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ କରାଯିବ। ୨୦ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ଏବଂ ଏପ୍ରିଲ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ମେ’ ୧୦ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମେ’ ୧୩ରେ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।
Comments are closed.