ଭୁବନେଶ୍ୱର: ଦେଶର ଗଣତନ୍ତ୍ର ବିପଦରେ । ଦେଶ ଏବଂ ବିଦେଶରେ ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ପରେ ବିଜେପି ବାଉଳି ହେଉଥିବା କୁହାଯାଉଛି । ବିଜେପିର ବରିଷ୍ଠ କେନ୍ଦ୍ରୀୟ ନେତାମାନେ ଏହାକୁ ନେଇ ବିଭିନ୍ନ ଯାଗାରେ ସ୍ପଷ୍ଟୀକରଣ ଦେବାରେ ଲାଗି ପଡିଛନ୍ତି ।
ଗଣତନ୍ତ୍ର ବିପଦରେ, ମୋଦି ଆଦାନୀ ସଂପର୍କ ଏବଂ ଇଡି ସିବିଆଇ ଆଇଟି ରେଡ ଏହି ତିନୋଟି ପ୍ରମୁଖ ପ୍ରସଙ୍ଗକୁ ନେଇ ବିଜେପି ନେତାମାନେ ଲୋକଙ୍କୁ ବୁଝାଇବାରେ ଲାଗି ପଡିଥିବା କୁହାଯାଉଛି । ରାହୁଲ ଗାନ୍ଧୀଙ୍କ ସମେତ ଦେଶର ବିରୋଧୀ ଦଳ ନେତାମାନେ ଏ ପ୍ରସଙ୍ଗକୁ ନେଇ ଲଗାତର କେନ୍ଦ୍ର ସରକାରଙ୍କୁ ଘେରି ଚାଲିଛନ୍ତି । ଯାହାକୁ ନେଇ ବିଜେପି ନେତାମାନେ ବିଭିନ୍ନ ସ୍ଥାନରେ ଏ ସଂପର୍କରେ ସ୍ପଷ୍ଟୀକରଣ ଦେଉଥିବା ଦେଖିବାକୁ ମିଳୁଛି ।
ଉତ୍ତରପ୍ରଦେଶରେ ଏକ ସଭାରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦେଶର ଗଣତନ୍ତ୍ର ବିପଦରେ ନାହିଁ। ବରଂ ବିପଦରେ ଅଛି ବଂଶବାଦ ଓ ଜାତିବାଦ ରାଜନୀତି । ଶୁକ୍ରବାର ଉତ୍ତର ପ୍ରଦେଶରେ କୌଶମ୍ବି ମହୋତ୍ସବକୁ ଉଦଘାଟନ କରିବା ଅବସରରେ ଏହା କହି ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି ଅମିତ ଶାହା।
ଏପରିକି ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିରୋଧୀମାନେ ସଂସଦକୁ ଚାଲିବାକୁ ଦେଲେ ନାହିଁ। ଏଥିପାଇଁ ଏ ଦେଶ ବିରୋଧୀମାନଙ୍କୁ କେବେ ବି କ୍ଷମା କରିବ ନାହିଁ ବୋଲି ଶାହା କହିଛନ୍ତି । ଏବେ ସାରା ଦେଶରେ ରାହୁଲ ଗାନ୍ଧୀଙ୍କ ଉପରେ କାର୍ଯାନୁଷ୍ଠାନ ଏବଂ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗକୁ ନେଇ ଆଲୋଚନା ହେଉଥିବାବେଳେ ବିଜେପି ରାହୁଲ ଓ ବିରୋଧୀଙ୍କୁ ଏଭଳି ଢଙ୍ଗରେ କାଉଣ୍ଟର କରିଛନ୍ତି ।
ଏହା ସହିତ ୨୦୨୪ ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ କରିବା ପାଇଁ ବିଜେପିକୁ ଭୋଟ୍ ଦେବାକୁ ସେ ଉପସ୍ଥିତ ଲୋକଙ୍କୁ କହିଛନ୍ତି । ସମାଜର ସମସ୍ତ ବର୍ଗର ସାମଗ୍ରିକ ଉନ୍ନତି ପାଇଁ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ପଡ଼ିବ ବୋଲି ଅମିତ ଶାହା କହିଛନ୍ତି ।
ରାହୁଲଙ୍କ ବିରୋଧରେ କାର୍ୟ୍ଯାନୁଷ୍ଠାନକୁ ନେଇ ଲୋକେ ବିଜେପିକୁ ଦାୟୀ କରୁଥିବାବେଳେ ବିଜେପିର ନେତାମାନେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ସ୍ପଷ୍ଟୀକରଣ ଦେଉଥିବା ଦେଖିବାକୁ ମିଳୁଛି । ଏପରିକି ଦୁଇ ଦିନ ତଳେ କର୍ଣାଟକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏ ସଂପର୍କୀତ ଚର୍ଚାକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ ।
ତେଣୁ ରାହୁଲଙ୍କ ପ୍ରସଙ୍ଗକୁ ନେଇ ବିଜେପି ଏବେ ଏମିତି ଏକ ଅଡୁଆ ସୂତାରେ ଛନ୍ଦି ହୋଇଛି ସେଥିରୁ ମୁକୁଳିବାକୁ ଯେତେ ଚେଷ୍ଟା କଲେ ବି ଆହୁରି ଅଧିକ ଛନ୍ଦି ହୋଇ ହୋଇ ଯାଉଥିବା ସାଧାରଣରେ ଆଲୋଚନା ହେଉଛି ।
Comments are closed.