Latest Odisha News

BREAKING NEWS

ଶିଶୁ କବିତା : ତା’ ଗୁଣ ଗରିମା ଦେଖ

ଅଶୋକ କୁମାର ପ୍ରଧାନ

ଟୋପି ଟୋପି ଛିଟା ତୋ ଦୁଇ ଡେଣାରେ
ମାଖି ଦେଇଛି କେ କହ
ଫୁଲରୁ ଫୁଲକୁ ଉଡୁ ତୁ କେମିତି
ଦେଖିବି ମୁଁ, ଟିକେ ରହ।

ଟିକି ଟିକି ତୋର ଡେଣା ଯୋଡିକରେ
କେ ଦେଇଛି ଏତେ ବଳ
ପରଜାପତି ତୁ କି କଳା ଜାଣିଛୁ
ଫୁଲକୁ କରୁ, ତୁ ଫଳ।

ଫୁଲରେ ବସି ତୁ କେମିତି ତା’ଠାରୁ
ନେଉଅଛୁ ମହୁ ଟାଣି
ଅତି ସରାଗରେ ଶୋଷୁ ତୁ କେମିତି
ହେଲେ ମୁଁ ପାରେନା ଜାଣି।

କାହାଠୁ ଶିଖିଛୁ ସୁର ତାଳ ଲୟ
ଗାଇବାକୁ ମିଠା ଗୀତ
ତୋ କୁହୁକ ଗୀତେ କେତେ ନାଚେ ମୁଁ
ଭାବିଛି ତୁ ମୋର ମିତ।

କି ଖରା ବରଷା ଶୀତ କି ବସନ୍ତ
ଅଟକିନୁ କେବେ ତୁହି
ତୋ ପାଖରେ ଏତେ ଶକତି କେ ଦେଲା
କଳି ପାରୁନାହୁଁ ମୁହିଁ।

ହେଲେ ହୁଅ ପଛେ ତୁ ଛୋଟିଆ କୀଟ
ତୋ କାମକୁ କିଏ ସରି
ଗୁଣ ଗରିମାରେ ଏଇ ଦୁନିଆରେ
କିଏ ହେବ ତୋ ପରି?

ପରଜାପତି ତୁ ତରକା ଅତିଲୋ
ଶିଖା ମୋତେ ତୋର କଳା
ତୋ ପରି ନାଚିବି ଖୁସିରେ ଗାଇବି
ହେଲେ ମୋ, ତୋ ପରି ଗଳା।

ତୋ ଭଲ ଗୁଣକୁ ମୋ ହୃଦେ ସାଇତି
ଚାଲିବି ଆଗକୁ ବାଟ
କଥା ଦେଉଅଛି ପିଲାଟି ଦିନରୁ
ପଢିବି ମୁଁ ଭଲ ପାଠ।

ବାପା ମାଆଙ୍କର ନାଁ ଉଚ୍ଚ କରି
ରଖିବି ଦେଶର ଟେକ
ମୋତେ ବି ତୋ ପରି ସଭିଏଁ କହିବେ
ତା” ଗୁଣ ଗରିମା ଦେଖ!

ରୋହିଗାଁ, ଗଞ୍ଜାମ
ମୋ-୮୨୪୯୧୧୯୧୩୦

Comments are closed.