ଶୁଭ୍ରାଂଶୁ ଶେଖର ମାହୁନ୍ତ
ଆଦ୍ୟ ବୈଶାଖରେ ଦଗ୍ଧ ଧରଣୀ
ଅସହ୍ୟ ନିଦାଘ ତାତି,
ହନ୍ତସନ୍ତ ହୁଏ ଅସହାୟା ହୋଇ
ମନେ ଭରିଥାଏ ଭିତି ।
ଉଦାସୀ ଆଖିରେ ହତାଶାର ଚିହ୍ନ
ତୃଷାର୍ତ୍ତ ଚାତକ ପରି,
ଖୋଜୁଥାଏ ନିତି ଆବେଗପଣରେ
ବରଷାକୁ ଝୁରି ଝୁରି ।
ଅସହ୍ୟ ଦହନେ ଅପହଞ୍ଚ ଲାଗେ
ଭିଜିବାର ଅନୁଭୂତି,
ବୃକ୍ଷ ତରୁଲତା ଶୁଷ୍କ ପ୍ରାଣରେ
ଭାଳି ବସନ୍ତି ବିପତ୍ତି ।
ଅବସନ୍ନ ଲାଗେ କ୍ଳାନ୍ତ ଅପରାହ୍ଣ
ଲାଗଇ ସବୁ ଉଦାସ,
ଯନ୍ତ୍ରଣା ଗରଳ ପିଉଛି ଧରଣୀ
ଭରିଅଛି ଅବସୋସ ।
ହାହାକାର ଲାଗେ ସାରା ସଂସାରଟା
ଘର୍ମାକ୍ତ ନିଦାଘ ତାତି,
ଖରାବେଳ ଝାଞ୍ଝି ସଞ୍ଜ ଗୁଳୁଗୁଳି
ଦିନ ପରି ଲାଗେ ରାତି ।
ଦଗ୍ଧିତ ଧରଣୀ ନିରବ ନିଥର
ଜ୍ବାଳାମୁଖୀ ଉଦ୍ଗିରଣେ,
ସୁଶୀତଳ ବାରି ଖୋଜଇ ଆବେଗେ
ଅହେତୁକ ଶୀହରଣେ ।
ଶୁଭ୍ରାଂଶୁ ଶେଖର ମାହୁନ୍ତ
ସାଳନ୍ଦୀ ବାଇପାସ୍,ଭଦ୍ରକ
Comments are closed.