ଏକାଦଶାହ ଉପଲକ୍ଷେ ସ୍ମୃତି ପଟ୍ଟନାୟକଙ୍କ ଆଲେଖ୍ୟ
ସତ୍ୟ ଶିବ ଓ ସୁନ୍ଦରର ସଙ୍ଗମ ଘଟିଥିଲା ବହୁମୁଖୀ ପ୍ରତିଭାରେ ପରିପୂର୍ଣ୍ଣ ମହାନ୍ ଜନନାୟକ ତ୍ରିଲୋଚନ କାନୁନଗୋଙ୍କ କ୍ଷେତ୍ରରେ । ସତ୍ୟ ଓ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସେ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟ ଜୀବନ ରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା ବହୁମୁଖୀ ପ୍ରତିଭା ର ସ୍ବତଃସ୍ଫୁର୍ତ୍ତ ସ୍ଫୁରଣ ।ପିଲାବେଳରୁ ଖୁବ୍ ବିଚକ୍ଷଣ ଥିଲେ । କେବଳ ପାଠପଢାରେ ନୁହେଁ ତର୍କ ବିତର୍କ ପ୍ରତିଯୋଗୀତାରେ ଭାଗ ନେଇ ବହୁବାର ସଫଳତାର ଶିଖର ଛୁଇଁ ପାରିଥିଲେ ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଧିଶକ୍ତି ସମ୍ପନ୍ନ ଉଚ୍ଚକୋଟୀର ରାଜନେତା ଭାବରେ ଗଢ଼ିଥିଲା ।
ରେଭେନ୍ସା ମହାବିଦ୍ୟାଳୟ ରେ ଛାତ୍ର ସଂସଦ ର ସଭାପତି ଭାବେ ଛାଡିଯାଇଥିବା ଛାପ ଏବେ ବି ଅମଳିନ ଓ ସ୍ବଚ୍ଛ ରହିଛି ରହିଥିବ।ରେଭେନ୍ସା ବିଶ୍ୱବିଦ୍ୟାଳୟ ର ବିକାଶ ପରିଷଦ ର ସେ ଥିଲେ ସକ୍ରିୟ ସଦସ୍ୟ,ଗଣିତ ସ୍ନାତକର ଛାତ୍ର ହୋଇଥିଲେ ମଧ୍ୟ ସେ ଅନେକଙ୍କ ମନରେ ଭ୍ରମ ସୃଷ୍ଟି କରିଥିଲେ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ ଙ୍କ ପରି,କିଏ ଭାବୁଥିଲା ସେ ଦର୍ଶନ ବିଭାଗର,ରାଜନୀତି ବିଭାଗର,ଅର୍ଥନୀତି ବିଭାଗର,ଇଂରାଜୀ ବିଭାଗର ଓଡିଆ ବିଭାଗର ତ କିଏ ପୁଣି ଭାବୁଥିଲା ସେ ପରିସଂଖ୍ୟାନ ବିଭାଗ ର,ଅର୍ଥାତ୍ ସେ ଥିଲେ ଏକ ଚଳନ୍ତି ଇନସାଇକ୍ଲୋପିଡିଆ ।ସେ ଥିଲେ ଯଥାର୍ଥ ରେ ଏକ ପୁସ୍ତକ ପ୍ରେମୀ ଓ ସଂଗ୍ରାହକ । ଅସୁମାରୀ ତଥା ପ୍ରଖର ସ୍ମରଣ ଶକ୍ତି ସମସ୍ତଙ୍କୁ ଆଚମ୍ବିତ କରୁଥିଲା ।
ଛାତ୍ର ଜୀବନରୁ ହିଁ ସେ ରାଜନୀତିରେ ସଫଳତା ହାସଲ କରିଥିଲେ । ନୀତି, ଆଦର୍ଶ ଓ ମାନବୀୟ ମୂଲ୍ୟବୋଧ ଉପରେ ସେ ସଦାସର୍ବଦା ବିଶ୍ବାସ କରୁଥିଲେ । ଜଟିଳ ରାଜନୀତିର ପଶାପାଲି ତାଙ୍କୁ ସ୍ପର୍ଶ କରିପାରିନଥିଲା । ତିନି ଥର ବିଧାନସଭା ସଦସ୍ୟ, ସାଂସଦ,ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ,ଦୁଇ ଦୁଇ ଥର କଟକ ମହାନଗର ନିଗମର ଚେୟାରମ୍ୟାନ୍ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ସେ ଥିଲେ ପିତାମହ ଭୀଷ୍ମଙ୍କ ପରି ସ୍ଥିତପ୍ରଜ୍ଞ ଓ ଜ୍ଞାନ ଅନୁଭୂତିର ଭଣ୍ଡାର । ନିଃସନ୍ଦେହରେ ସେ ଥିଲେ ଏକ ମୁକୁଟ ବିହୀନ ଅଦ୍ବିତୀୟ ବାଦଶାହା, ତାଙ୍କ ସାନିଧ୍ୟରୁ ସୃଷ୍ଟି ହୋଇଥିଲେ ଶହଶହ ଯୁଧିଷ୍ଠିର ଓ ଅର୍ଜୁନ ।
ଜଣେ ସମାଜ ସଂସ୍କାରକ ଭାବେ ସେ ପାଲଟି ଯାଇଛନ୍ତି ଅମ୍ଳାନ ଅମଳିନ ଅମୃତମୟ ଧୃବତାରା।ସାରା ରାଜ୍ୟରୁ ନିଶା ନିବାରଣ ଓ କଟକ ମହାନଗର ରୁ ମଶା ନିବାରଣ କ୍ଷେତ୍ରରେ ତାଙ୍କର ସଫଳ ଓ ସୁନିଷ୍ଠ ପଦକ୍ଷେପ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ସବୁଦିନ ପାଇଁ । ସେ ଥିଲେ ନିଜେ ନିଜର ଉଦାହରଣ,ରାତି ଚାରିଟାରୁ ଉଠି ଚାଲି ଚାଲି ମହାନଗରର ପ୍ରତିଟି ଗଳିକନ୍ଦିର ଟିକିନିଖି ହିସାବ ରଖୁଥିଲେ ସେ କଟକ କଲେକ୍ଟରେଟ୍ ରେ ନିଶା ନିବାରଣ କ୍ଷେତ୍ରରେ ଅହୋରାତ୍ର ଅନଶନ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ସେଥିରେ ସାମିଲ ହେବା ପାଇଁ । ସ୍ୱଚ୍ଛତା ଅଭିଯାନର ସତେ ଯେପରି ସେ ଥିଲେ ଜନକ।ସୁସ୍ଥ ଶରୀର କୁ ଆଖି ସାମ୍ନାରେ ରଖି ସେ ସୃଷ୍ଟି କରିଥିଲେ ଏକ ଆନ୍ତର୍ଜାତିକ ସ୍ତରର ସନ୍ତରଣ ପୁଷ୍କରିଣୀ,ସେହିପରି ସୁସ୍ଥ ସୃଜନଶୀଳ ମନର ଆବଶ୍ୟକତା ଦିଗରେ ସେ ଗଢିଥିଲେ ପାଠାଗାର । ମହାବିଦ୍ୟାଳୟରେ ସେ ତିଆରି କରିଥିଲେ ପ୍ରାଚୀ ଜିମ୍ ଖାନା ଓ ବ୍ୟାୟମଶାଳା । ଯେ କୌଣସି କ୍ରୀଡାବିତ୍ ଓ କ୍ରୀଡାପ୍ରେମୀଙ୍କୁ ଆକୃଷ୍ଟ କରିଥାଏ ।ପ୍ରାଚୀ ଷ୍ଟାଡିୟମ୍ କଟକର ପ୍ରସିଦ୍ଧ ବାରବାଟୀ ଷ୍ଟାଡିୟମ ଭଳି ଯେଉଁଠି ବର୍ଷ ସାରା ଚାଲିଥାଏ ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ରାଜ୍ୟ ସ୍ତରୀୟ ଓ ଆଞ୍ଚଳିକ କ୍ରୀଡା ପ୍ରତିଯୋଗିତା।
ଖୁବ୍ କମ୍ ଲୋକ ଜାଣିଥିଲେ ପ୍ରକୃତିପ୍ରେମୀ ତ୍ରିଲୋଚନ କାନୁନଗୋଙ୍କୁ । “ସବୁଜ ସହର ହିଁ ସୁସ୍ଥ ସୁନ୍ଦର ସହର”ଏହା ତାଙ୍କର ମୂଳମନ୍ତ୍ର ଥିଲା । କେବଳ କଟକ ମହାନଗରର ସର୍ବାଙ୍ଗୀନ ଉନ୍ନତି ନ ଥିଲା ତାଙ୍କର ଏକମାତ୍ର ସ୍ବପ୍ନ,କଟକ ଜିଲ୍ଲାର ଅଡଶପୁରଠାରେ ଅବସ୍ଥିତ ପ୍ରାଚୀଜ୍ଞାନ ପୀଠ ତଥା ଉଦୟନାଥ ସ୍ବୟଂଚାଳିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଥିଲା ତାଙ୍କର ମାନସ ସନ୍ତାନ । ଯାହାର ସବୁଜ ଘଞ୍ଚ ବନାନୀ ଗ୍ରୀଷ୍ମରେ ଶୈଳନିବାସର ସଂଶୟ ସୃଷ୍ଟି କରେ ତ ଶୀତରେ କାଶ୍ମୀରର କେଉଁ ଉଦ୍ୟାନର ପରିଚୟ ପ୍ରଦାନ କରେ ବିଭିନ୍ନ ପ୍ରକାରର ଫୁଲ ଫଳ ଓ ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ ମହାବିଦ୍ୟାଳୟର କ୍ୟାମ୍ପସ୍ । କେବେ କେରଳର ମସଲା ସୁଗନ୍ଧ ଜଙ୍ଗଲର ପ୍ରଦାନ କରିଥାଏ । ପ୍ରତ୍ୟେକଟି ଗଛର ଲଟା ଓ ଫୁଲ ଫଳର ବଟାନିକାଲ୍ ନାମ ତାଙ୍କର ମୁହଁରେ ଥାଏ । ଇତିହାସ ମଧ୍ୟ ଥାଏ ସ୍ମୃତିରେ।
ଶିକ୍ଷାବିତ୍ ତ୍ରିଲୋଚନ କାନୁନଗୋ ବୋଧହୁଏ ତାଙ୍କର ପ୍ରକୃତ ପରିଚୟ ନୋବେଲ୍ ପୁରସ୍କାର ବିଜୟୀ ବିଖ୍ୟାତ ଔପନ୍ଯାସିକ ଭି.ଏସ୍ .ନାଇପଲଙ୍କୁ ବହିର ବାସ୍ନା ଓ ସ୍ପର୍ଶ ମତୁଆଲା କଲାପରି ତ୍ରିଲୋଚନ କାନୁନଗୋଙ୍କୁ ପାଗଳ କରିଥିଲା ପୁସ୍ତକ ଅଧ୍ୟୟନ, ଜ୍ଞାନ ଆହରଣ ଓ ବିତରଣ। ସେ ଘରେ ଏକ ବିଶାଳ ପାଠାଗାର କରିବା ସହ ଅଡଶପୁର ମହାବିଦ୍ୟାଳୟରେ ପ୍ରତିଷ୍ଠା କରିଥିଲେ ପଣ୍ଡିତ ଗୋଦାବରୀଶ ମିଶ୍ର କେନ୍ଦ୍ରୀୟ ପାଠାଗାର। ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ମହାବିଦ୍ୟାଳୟରେ ସୃଷ୍ଟି ହୋଇଛନ୍ତି ଶହଶହ ଅଧ୍ୟାପକ ଅଧ୍ୟାପିକା ,ବହୁ ଲେଖକ ଓ ଲେଖିକା। ମହାବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ତାଙ୍କୁ ଖୁବ୍ ସମ୍ମାନ ଦିଅନ୍ତି ଓ ଭଲପାଆନ୍ତି ମଧ୍ୟ । ଜଣେ ଶିକ୍ଷାର୍ଥୀର ସୃଜନଶୀଳତାକୁ ଅଗ୍ରାଧିକାର ଦେବାକୁ ଯାଇ ଟାଇମ୍ ଟେବୁଲରେ ତର୍କ ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗୀତା, ସାଧାରଣ ଜ୍ଞାନ ପ୍ରତିଯୋଗୀତା,ପ୍ରବନ୍ଧ, କବିତା ଆବୃତ୍ତି, ଗ୍ରୁପ୍ ଡିସକସନ୍ ଆଦିକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିଲେ । ଯଦି ତାଙ୍କୁ ପ୍ରଶ୍ନ କରାଯାଏ ସାର୍ ଏ ବହିଟା ଲାଇବ୍ରେରୀରେ ନାହିଁ ? ଉତ୍ତର ନିଶ୍ଚୟ ମିଳିବ ଆପଣ କାହିଁକି କିଣି ନାହାନ୍ତି? ସେ ସବୁବେଳେ ଗୋଟିଏ କଥା କହୁଥିଲେ ଉତ୍ତମ ପୁସ୍ତକ ହିଁ ପ୍ରକୃତ ଜ୍ଞାନର ଉତ୍ସ। ଆରନେଷ୍ଟ୍ ହେମିଙ୍ଗଉଏ ଙ୍କ କଥା କହୁଥିଲେ ” ଦେୟାର ଇଜ ନୋ ଫ୍ରେନ୍ଡ ଆଜ ଲୋୟାଲ ଆଜ ବୁକ ।”
ଜଣେ ନିର୍ଭୀକ ନିଖୂଣ ସ୍ତମ୍ଭକାର ଭାବେ ସ୍ବର୍ଗତଃ କାନୁନଗୋ ରାଜ୍ୟ ଓ ଜାତୀୟ ସ୍ତରରେ ବେଶ୍ ପରିଚିତ,ବହୁ ମୁଗ୍ଧ ପାଠକ ପାଠିକା ଚାତକ ପରି ଚାହିଁ ରହିଥାନ୍ତି ତାଙ୍କର ସମସ୍ୟା ସଂପର୍କୀତ ଲେଖାକୁ ପାଠ କରିବା ପାଇଁ ।ସଂକ୍ଷିପ୍ତତା ଓ ବାସ୍ତବତା ତାଙ୍କ ଲେଖାର ମାନଦଣ୍ଡ ଥିଲା । ପରିସଂଖ୍ୟାନ ଏବଂ ତଥ୍ୟଭିତ୍ତିକ ଲେଖାକୁ ସେ ଅଗ୍ରାଧିକାର ଦେଉଥିଲେ ।ତାଙ୍କ ନିଜର ଅଜାଣତରେ ବହୁ ପ୍ରଶଂସକ ଓ ପ୍ରଶଂସିକା ଥିଲେ । ଏମିତିରେ ସାର୍ ମଧ୍ୟ କଳା ଓ ସାହିତ୍ୟର ପୂଜାରୀ ଥିଲେ,ଉଦୟନାଥ ମହାବିଦ୍ୟାଳୟରେ ବର୍ଷ ସାରା ମହୋତ୍ସବ ଚାଲିଥାଏ ଛାତ୍ର ଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାର ସ୍ବତଃସ୍ଫୁର୍ତ୍ତ ବିକାଶ ଘଟିବା ପାଇଁ ।
ଅସତ୍ୟ, ଅନ୍ୟାୟ, ଦୁର୍ନୀତି ବିରୁଦ୍ଧରେ ସର୍ବଦା ସଂଗ୍ରାମ ଜାରି ରଖିଥିବା ବ୍ୟକ୍ତିର ମୃତ୍ୟୁ ଘଟି ନଥାଏ ।ଉଚ୍ଚାରଣ, ଆଚରଣ ଓ ଉଦାହରଣରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷଙ୍କର ବିକାଶ ହିଁ ଘଟିଥାଏ ବିନାଶ ନ ଥାଏ। ତାଙ୍କର ମୃତ୍ୟୁ ପରେ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କର ସମାଗମ ପ୍ରମାଣ କରିଥିଲା ତାଙ୍କର ପ୍ରକୃତ ପରିଚୟ ଓ ବ୍ୟକ୍ତିତ୍ବ,ସମସ୍ତେ ଲୋତକାପ୍ଳୁତ ନୟନରେ ତାଙ୍କୁ ଶେଷ ଶ୍ରଦ୍ଧାଞଳି ଜଣାଇଥିଲେ । ସେ ଥିଲେ ଜଣେ ଯୋଗଜନ୍ମା ପୁରୁଷ ; ଯାହାଙ୍କ ଶରୀରର ଅନ୍ତ ଘଟିଛି, କିନ୍ତୁ ତାଙ୍କର ଅମର ଆତ୍ମାର ମୃତ୍ୟୁ ହେବ ନାହିଁ ଏଇ ଧରିତ୍ରୀ ଥିବା ପର୍ଯ୍ୟନ୍ତ । ଚିର ଜାଜ୍ବଲ୍ଯମାନ ହୋଇ ରହିବ ତାଙ୍କର କର୍ମ କାଳକାଳକୁ। ଅତିବଡି ଜଗନ୍ନାଥ ଦାସଙ୍କ ଉକ୍ତିରେ :-
“ପ୍ରାଣୀ ର ଭଲ ମନ୍ଦ ବାଣୀ
ମରଣକାଳେ ତାହା ଜାଣି”
ୟୁ ଏନ୍ କଲେଜ୍ ଅଡଶପୁର
କଟକ
ମୋ ନଂ ୮୨୪୪୦୧୯୦୪୨
Comments are closed.