Latest Odisha News

BREAKING NEWS

ମେ ୧୧ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !

ଭୁବନେଶ୍ୱର: ଏପ୍ରିଲ୍ ମାସ ସରିଯାଇଛି।  କିନ୍ତୁ ଭାରତୀୟ ସାଗରରେ କୌଣସି ବାତ୍ୟା ଆସିନି । ଲଗାତାର ଚତୁର୍ଥ ବର୍ଷ ପାଇଁ ଏପ୍ରିଲରେ ବାତ୍ୟା ଆସି ନଥିବା ବେଳେ ଶେଷ ଥର ପାଇଁ ୨୦୧୯ ଏପ୍ରିଲରେ ବାତ୍ୟା ଫନି ଆସିଥିଲା । ବଙ୍ଗୋପସାଗରରେ ଅବପାତ ଏପ୍ରିଲ ୨୭ରେ ବାତ୍ୟା ଫନିରେ ପରିଣତ ହୋଇଥିଲା । ୩୦ ତାରିଖ ବେଳକୁ ଭୀଷଣ ବାତ୍ୟା ରୂପ ନେଇ ମେ ୩ ସକାଳେ ଅତି ଭୀଷଣ  ଭାବରେ ପୁରୀ ଉପକୂଳରେ ମାଡ଼ ହୋଇଥିଲା ।

ଆରବ ସାଗର ଅପେକ୍ଷା ପ୍ରାକ୍-ମୌସୁମୀ ଋତୁରୁ  ଙ୍ଗୋପସାଗରରେ ଅଧିକ ବାତ୍ୟା ଆସିଥାଏ । ତା’ଛଡ଼ା ଏପ୍ରିଲ୍ ତୁଳନାରେ ମେ ମାସରେ ବାତ୍ୟାର ଆଶଙ୍କା ଅଧିକ । ୨୦୨୧ ମେରେ ଅତି ଭୀଷଣ ବାତ୍ୟା ତୌକତେ ଆରବ ସାଗରରେ ସୃଷ୍ଟି ହୋଇଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଭୀଷଣ ବାତ୍ୟା ୟାସ୍ । ଏହା ପୂର୍ବରୁ ୨୦୧୦ ମେରେ ବଙ୍ଗୋପସାଗରରେ ବାତ୍ୟା ଲୈଲା ଏବଂ ଆରବ ସାଗରରେ ବାତ୍ୟା ବନ୍ଦୁ ଓ ଫେଟ୍ ସୃଷ୍ଟି  ହୋଇଥିଲା ।

୨୦୨୦ ମେରେ ଭୀଷଣ ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ଉପକୂଳରେ ମାଡ଼ ହୋଇଥିଲା । ଯଦିଓ ଏପ୍ରିଲ୍ ପ୍ରଥମରୁ କମ୍ ବାତ୍ୟା ଆସିଛି, ତଥାପି ଏବେ ସମସ୍ତଙ୍କ ନଜର ରହିଛି ଏପ୍ରିଲ୍ ମଧ୍ୟଭାଗକୁ । ସ୍କାଏ ମେଟ୍ ୱେଦର ରିପୋର୍ଟ ଅନୁସାରେ, ଯଦି ଏପ୍ରିଲ୍ ୧୧ ବେଳକୁ ବାତ୍ୟା ଆସେ ତାର ନାମ ମୋଖା ରହିବ । ଯେଉଁ ନାଁ ୟେମେନ ଦେଇଛି । ମୋଖା ହେଉଛି ୟେମେନର ବନ୍ଦର ସହର ।

ଆଇଏମଡିର ଆକଳନ ଅନୁସାରେ, ମେ ୬ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ କିଛି ସୂଚନା ଦେଇନି ।

Leave A Reply

Your email address will not be published.