Latest Odisha News

BREAKING NEWS

ଦେବଦୂତ ସାଜିଲେ ବାୟୁସେନାର ଯବାନ, ମୃତ୍ୟୁମୁଖରୁ ବଞ୍ଚିଲେ ଦୁଇ ମତ୍ସ୍ୟଜୀବୀ

ନୂଆଦିଲ୍ଲୀ : ମଝି ଦରିଆରେ ଫସି ରହିଥିଲେ ଦୁଇ ମତ୍ସ୍ୟଜୀବୀ । ପାଣିର ସ୍ରୋତ ଏତେ ପ୍ରଖର ଥିଲା କିଛି କ୍ଷଣରେ ଲୋକ ଦୁଇଜଣଙ୍କୁ ଭାସାଇ ନେବା ଭଳି ମନେ ହେଉଥିଲା । ପାଣିର ତେଜ ଦେଖି ମତ୍ସ୍ୟଜୀବୀ ଦ୍ୱୟ ବଞ୍ଚିବାର ଆଶା ମଧ୍ୟ ଛାଡି ସାରିଥିବେ ।

ଏତେ ପ୍ରଖର ସ୍ରୋତ ମୁଁହରୁ କେହି ଆସି ସେମାନଙ୍କୁ ବଞ୍ଚାଇବା ଆଶାତ ସେମାନେ କେବେବି କରିନଥିବେ । କିନ୍ତୁ କଥାରେ ଅଛି ନା ରଖେ ହରି ତ ମାରେ କିଏ ! ଭଗବାନଙ୍କ ଦୂତ ସାଜି ମତ୍ସ୍ୟଜୀବୀଙ୍କ ପାଖରେ ପହଞ୍ଚିଥିଲେ ଭାରତୀୟ ବାୟୁସେନା ଯବାନ ।

ଏଭଳି ଏକ ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଥିଲା ଜାମ୍ମୁ ଅଞ୍ଚଳରେ । ଜାମ୍ମୁର ତୱି ନଦୀକୁ ମାଛ ମାରିବାକୁ ଯାଇଥିଲେ ୨ ଜଣ ଧୀବର । ଶାନ୍ତ ଥିବା ତୱି ନଦୀର ଜଳସ୍ତର ହଠାତ ପ୍ରଖର ହେବାରେ ଲାଗିଲା ।

ସମୟ ବଢ଼ୁଥିଲା ଆଉ ଧୀରେଧୀରେ ବଢ଼ିଚାଲିଥିଲା ନଦୀର ଜଳପତ୍ତନ । ମଝିରେ ଫସି ରହିଥିଲା ଦୁଇ ନିରୀହ ଜୀବନ । ନଦୀର କଙ୍କ୍ରିଟ ବନ୍ଧ ଉପରେ ବସି ପ୍ରତି ମୁହୁର୍ତ୍ତରେ ମୃତ୍ୟୁକୁ ସାମ୍ନା କରୁଥିଲେ ଧୀବର ଦୁଇଜଣ ।

ଠିକ ସମୟରେ ମତ୍ସ୍ୟଜୀବୀଙ୍କୁ ବଞ୍ଚାଇବା ପାଇଁ ଆକାଶ ମାର୍ଗରୁ ଆସିଲେ ଭାରତୀୟ ବାୟୁସେନାରେ ଯବାନ ।

ହେଲିକପ୍ଟର ସହାୟତାରେ ସେମାନଙ୍କ ନିକଟରେ ଓହ୍ଲାଇଥିଲେ, ବଢ଼ୁଥିବା ବନ୍ୟା ଜଳକୁ ଖାତିର ନକରି ନିଜ ଜୀବନକୁ ବାଜି ଲଗାଇ ଯବାନ ଜଣକ ଅତି ସାବଧାନତା ସହ ଦୁଇଟି ନିରୀହ ଜୀବନକୁ ଉଦ୍ଧାର କରିଛନ୍ତି ।

ଉଦ୍ଧାର ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ “ଆମେ ବଞ୍ଚିବାର ଆଶା ଛାଡି ଦେଇଥିଲୁ । ଘରକଥା ମନେ ପକାଇ ବହୁତ କାନ୍ଦ ମଧ୍ୟ ଲାଗୁଥିଲା । ହଠାତ ହେଲିକପ୍ଟରର ଶବ୍ଦ ଶୁଭିଲା, ଉପରକୁ ଚାହିଁ ଦେଖିଲୁ ଏକ ହେଲିକପ୍ଟର ଆମ ଆଡେ ଆସୁଛି ସେଥିରୁ ଜଣେ ଦେବଦୂତ ବାହାରିଲେ ଯିଏ ଭାରତୀୟ ସେନାର ପୋଷାକ ପିନ୍ଧିଥିଲେ । ଆମକୁ ସେ ନୂଆ ଜୀବନ ଦେଇଛନ୍ତି” ।

Leave A Reply

Your email address will not be published.