Latest Odisha News

ଆଉ ୧୪ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠିତ

ଭୁବନେଶ୍ୱର: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ଼ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି । ଏହି ନୂତନ ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର ।

ଏହାଦ୍ବାରା ଜନଜାତି କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ପାଇଁ ୨୦୧୭-୧୮ରୁ ଗଠିତ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧି ପାଇଛି। ଆଜି ସ୍ଥାନୀୟ ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପୂର୍ବରୁ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିଲା। ଏଥିରେ ୬୪ ଲକ୍ଷ ଲୋକ ସାମିଲ୍ ହୋଇଛନ୍ତି ।

ଏବେ ଏହା ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୨୩ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି କାର୍ଯ୍ୟକ୍ରମରେ ୮୦ ଲକ୍ଷ ରୁ ଅଧିକ ଜନଜାତି ଲୋକ ସାମିଲ ହୋଇ ନିଜ କଳା ଓ ସଂସ୍କୃତିର ବିକାଶ ପାଇଁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତି ସହିତ ଜନଜାତି ସଂସ୍କୃତିର ଗଭୀର ସମ୍ପର୍କ ଅଛି। ଏଥିରେ ପ୍ରକୃତି ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରକୃତିର ପୂଜା ଓ ଭାଇଚାରା ଆଦିବାସୀ ସଂସ୍କୃତିର ମୁଖ୍ୟ ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସେମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ରାଜନୀତି ଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ଭାଷା ସବୁ କ୍ଷେତ୍ରରେ ଜନଜାତି ବର୍ଗର ଲୋକଙ୍କ ଅବଦାନ ରହିଛି। ଓଡ଼ିଶାର ସଂସ୍କୃତିକୁ ସେମାନେ ଗୌରବମୟ କରିଛନ୍ତି । ମୁଁ ସେମାନଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନୂଆ ପରିଷଦ ଗଠନ ଦ୍ଵାରା ସବୁ ଛୋଟ ଛୋଟ ବର୍ଗର ଜନଜାତି ଗୋଷ୍ଠୀ ସେମାନଙ୍କ କଳା ଓ ଐତିହ୍ୟ ର ସୁରକ୍ଷା ପାଇଁ ମଧ୍ଯ ନିଜର ଗୁରୁତ୍ଵ ପୁର୍ଣ୍ଣ ଅବଦାନ ରଖି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଜନଜାତି କଳା ଓ ସଂସ୍କୃତି ପ୍ରତି ଲୋକଙ୍କ ଆଗ୍ରହ ରହିଛି ବୋଲି ପ୍ରକାଶ କରି ମୁଖ୍ୟ ମନ୍ତ୍ରୀ କହିଥିଲେ, ଭୁବନେଶ୍ଵର ଟ୍ରାଇବାଲ୍ ମ୍ୟୁଜିୟମ୍ ଏବେ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣ ହୋଇଛି।

ଜନଜାତି ସଂସ୍କୃତି, ଜୀବନ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀ, ପ୍ରକୃତିର ସଂରକ୍ଷଣ ଓ ସେମାନଙ୍କ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ଅଧିକ ଗବେଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ, ୨୦୧୭ରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦ୍ଵାରା ଜନଜାତି ବର୍ଗର ଅନନ୍ୟ ସଂସ୍କୃତିର ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ପଦକ୍ଷେପ ନେଇଥିଲା ।

ଏଥିରେ ଜନଜାତି ଲୋକଙ୍କ ପବିତ୍ର ବୃକ୍ଷ ର ସଂରକ୍ଷଣ, ସଂସ୍କୃତି କ୍ଲବ୍ ଗଠନ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ, ଆଦି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା, ଏହି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧକ ପ୍ରକଳ୍ପର କର୍ଯ୍ୟାନ୍ୱୟନ ହୋଇ ସାରିଛି । ୪୫୯୯ ଚିହ୍ନିତ ପବିତ୍ର ବୃକ୍ଷ ମଧ୍ୟରୁ ୪୪୯୬ଟି ବୃକ୍ଷର ସଂରକ୍ଷଣ କରାଯାଇଛି । ୧୫୯୨ଟି କ୍ଲବ୍ ଗଠନ କରାଯାଇଛି । ୨୧ ଟି ଭାଷାରେ ଜନଜାତି ଦ୍ୱିଭାଷୀ ଶବ୍ଦକୋଷ ଓ ତ୍ରିଭାଷୀ ମଡ୍ୟୁଲ୍ ପ୍ରସ୍ତୁତ କରାଯାଇ ୩୦ଟି ଜିଲ୍ଲାରେ ବଣ୍ଟନ କରାଯାଇଛି।

ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ, ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ମାନଂକ ପାଇଁ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ କହିଥିଲେ, ଜନଜାତି ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଭବିଷ୍ୟତ ପିଢ଼ି ପାଇଁ ସ୍ମରଣୀୟ ହୋଇ ରହିବ । ଏହି ପରିଷଦ ସବୁ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସମ୍ପର୍କର ସେତୁ ହୋଇ ରହିବ ।

ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂପର୍କରେ ଏକ କଫି ଟେବୁଲ୍ ବୁକ୍ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅତିଥି ମାନଙ୍କୁ ସ୍ବାଗତ କରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ କମିଶନର ତଥା ଶାସନ ସଚିବ ରୂପା ରୋସନ୍ ସାହୁ ଆଦିବାସୀ ସଂସ୍କୃତିର ଅନନ୍ୟ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ୨୦୧୭-୧୮ରୁ ଗଠନ କରାଯାଇଛି। ଆଦିବାସୀ ମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ଅନ୍ୟ କୌଣସି ରାଜ୍ୟ ବା ଦେଶରେ ଏଭଳି ପଦକ୍ଷେପର ନଜିର ନାହିଁ ବୋଲି ସେ କହିଥିଲେ। ଏଟିଏଲସିର ସଦସ୍ୟ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.