ଓଡ଼ିଶା ସମ୍ବାଦ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୧୨୫ କୋଟି ଟଙ୍କା କ୍ଷତି ହୋଇଥିବା ରିପୋର୍ଟ ଆସିଛି। ଏହି ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୫ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା ସୂଚନା ରହିଛି। ଏହି ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ରେଳଇଞ୍ଜିନ୍, ବଗି ଓ ଲାଇନ ସମେତ ଅନ୍ୟାନ୍ୟ ସଂପଦ କ୍ଷତିଗ୍ରସ୍ତ ଯୋଗୁଁ ରେଳପଥକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ କ୍ଷତିଗ୍ରସ୍ତ ଦୁଇଟି ଇଞ୍ଜିନ୍ ପାଇଁ ୨୮ ରୁ ୩୦ କୋଟି ଟଙ୍କା , ୧୪ ଟି କୋଚ୍ ପାଇଁ ୧୮ ରୁ ୨୦ କୋଟି ଟଙ୍କା କ୍ଷତି ହୋଇଛି।
ଦୁର୍ଘଟଣା ପରଠାରୁ ପ୍ରତିଦିନ ୧୦୦ଟି ମାଲବୁହା ଟ୍ରେନ୍ର ଚଳାଚଳ ପ୍ରଭାବିତ ହୋଇଛି। ଲାଇନ୍ ବିଛାଇବା, ବିଦ୍ୟୁତୀକରଣ, ସିଗ୍ନାଲ୍ ସମେତ ପଏଣ୍ଟ୍ ସିଷ୍ଟମ୍ ଆରମ୍ଭ ପାଇଁ ରେଲୱେର ୧୫ ରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ସେହିପରି ମୃତକ ଯାତ୍ରୀମାନଙ୍କ ପରିଜନ ଓ ଆହତମାନଙ୍କୁ କ୍ଷତିପୂରଣ ପାଇଁ ରେଳବାଇକୁ ଅତିରିକ୍ତ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି।