ସୋସିଆଲ ମିଡ଼ିଆରେ ଏମିତି କିଛି ଜିନିଷ ଦେଖିବାକୁ ମିଳେ, ଯାହାକୁ ଆଖି ବି ବିଶ୍ୱାସ କରିପାରେନି । ଅନେକ ଲୋକ ବିଗତ ବର୍ଷଗୁଡିକର ବିଲ୍ ମଧ୍ୟ ବର୍ଷ ବର୍ଷ ଧରି ସାଇତି ରଖିଥାନ୍ତି । ଏବେ ସେମିତି ଏକ ସାଇକେଲ କିଣାଯାଇଥିବାର ବିଲ୍ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଭାବିବେ ଏମିତି ବି ଦିନ ଥିଲା ସାଇକେଲର ଦାମ୍ ମାତ୍ର ୧୮ ଟଙ୍କା ଥିଲା ।
ସମୟ ଥିଲା ଯେତେବେଳେ ସାଇକେଲ ପ୍ରତ୍ୟେକ ଘରର ଗର୍ବ ଥିଲା । ଆଉ ଯାହାର ଖଣ୍ଡେ ସାଇକେଲ ଥିଲା, ସେ ସମୟରେ ସେ ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଚିତ ହେଉଥିଲେ । ଗାଁ ରାସ୍ତାରେ ଖଣ୍ଡେ ସାଇକେଲ ଗଲେ ଗାଁଗହଳିର ପିଲାମାନେ ଦେଖିବାକୁ ଧାଇଁ ଆସୁଥିଲେ । କେବଳ ସେତିକି ନୁହେଁ, ଯଦି କେହି ସାଇକେଲ କିଣିକି ଘରକୁ ଆଣୁଥିଲେ , ୧୦ ଖଣ୍ଡ ଗାଁର ଲୋକ ଦେଖିବାକୁ ଭିଡ଼ ଜମାଉଥିଲେ । ଲୋକେ ସାଇକେଲର ବହୁତ ଯତ୍ନ ବି ନେଉଥିଲେ । ସମୟ ବଦଳିବା ସହିତ ଲୋକଙ୍କ ଚିନ୍ତାଧାରା ବି ବଦଳିଗଲା । ସାଇକେଲର ସ୍ଥାନ ଏବେ ବାଇକ୍ ନେଇଛି । ସେହି ସମୟର ସାଇକେଲର କ୍ରେଜ୍ ଆଜି ବିଳାସପୂର୍ଣ୍ଣ କାର୍ରେ ବି ନାହିଁଁ ।
ଭାଇରାଲ ହେଉଥିବା ବିଲ୍ରେ ଦେଖିବାକୁ ମିଳିଛି ଯେ, ପୁଷ୍ପ ମେହେରୋତ୍ରା ନାମକ ଜଣେ ବ୍ୟକ୍ତି ପ୍ରାୟ ୮୮ ବର୍ଷ ପୁରୁଣା ଏହି ବିଲକୁ ଟ୍ୱିଟରରେ ସେୟାର କରିଛନ୍ତି । ଏଥିରେ ଆପଣ ଦେଖିପାରିବେ ଯେ, ୧୯୩୪ ମସିହାରେ ସାଇକେଲର ଦାମ୍ ମାତ୍ର ୧୮ ଟଙ୍କା ଥିଲା । ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
Comments are closed.