ଛେଣ୍ଡିପଦା: ଓଡ଼ିଶାର ଶାସନତନ୍ତ୍ର ଭୁଷୁଡି ପଡିଛି । ମୋଦି ପଠାଉଥିବା ଟଙ୍କାର ୫୦ ଭାଗ ପିସି ଆକାରରେ ରାଜ୍ୟ ସରକାର ଦଳୀୟ କର୍ମୀଙ୍କ ହାତରେ ଟେକି ଦେଇଛନ୍ତି । ଲୋକମାନଙ୍କ ଠାରୁ ଭୋଟ୍ ପାଇ ନିର୍ବାଚିତ ଲୋକମାନେ ଆଜି ବାବୁ ମାନଙ୍କର ଚେୟାର ଉଠାଇବା ସହ ସଭା ସମିତି ଆୟୋଜନ କରୁଛନ୍ତି । ଏ ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ ବୋଲି ଆଜି ଛେଣ୍ଡିପଦାରେ ଆୟାେଜିତ ଗରିବ କଲ୍ୟାଣ ସମାବେଶରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଦେଉଛନ୍ତି । ହେଲେ ଏଠାକାର ଶାସନତନ୍ତ୍ର ଭୁଷୁଡି ପଡିଥିବା କାରଣରୁ ଏହି ଅନୁଦାନ ଟଙ୍କାର ୫୦ ଭାଗ ପିସି ଆକାରରେ ଯାଉଛି ।
ଯେଉଁମାନେ ଲୋକମାନଙ୍କ ଠାରୁ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି ସେମାନେ ଆଜି ବାବୁ ମାନଙ୍କର ଚେୟାର ଉଠାଉଛନ୍ତି । ତାଙ୍କର ସଭା ସମିତି ଆୟୋଜନ କରୁଛନ୍ତି । ଏ ପ୍ରକାର ଓଲଟା ଶାସନ ବ୍ୟବସ୍ଥା ପୃଥିବୀର କେଉଁ ଅଞ୍ଚଳରେ ହେଉନାହିଁ । ତେଣୁ ଲୋକକଲ୍ୟାଣ କଥା କିଏ ବୁଝିବ ? ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ । ଓଡ଼ିଶାର ପରିବର୍ତ୍ତନର ଶୁଭ ସଙ୍କେତ ଆଉ ବେଶୀ ଦୂର ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ୨୦୨୪ରେ ପରିବର୍ତ୍ତନ ହେବ । ଲୋକଙ୍କ ହିତରେ ପରିବର୍ତ୍ତନ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୨୩ ବର୍ଷର ଲମ୍ବା ଶାସନରେ ଏଠାରେ ପଇବା ପାଣିର ସୁବିଧା ହୋଇନାହିଁ । ମୋଦି ସରକାରରେ ପିଏମ ଆବାସରେ ଓଡ଼ିଶାକୁ ୨୭ ଲକ୍ଷ ଘର ଆସିଛି । କିନ୍ତୁ ସ୍ଥାନୀୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଉନାହାନ୍ତି । ମୋଦି ସରକାର ନୀତି ତିଆରି କରି ଖଣି ରାଜସ୍ୱ ୫ ହଜାର କୋଟିରୁ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବଢାଇଛନ୍ତି । ସେହିଭଳି ଅନୁଗୋଳ ଜିଲ୍ଲା ମଧ୍ୟ ବିଗତ ୯ ବର୍ଷରେ ଓଡ଼ିଶାର ତହବିଲକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଦେଇଛି ।
ଓଡ଼ିଶାର ୩.୨୫ କୋଟି ଲୋକଙ୍କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି । ମାତ୍ର ଦୀପ ତଳ ଅନ୍ଧାର ଭଳି ଏହି ଅଞ୍ଚଳକୁ ଅଣଦେଖା କରାଯାଇଛି । ରାଜ୍ୟରେ ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦେଖା ଦର୍ଶନ ନାହିଁ ମିଳୁନି । ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ଦୁର୍ନୀତି ପହଞ୍ଚିଛି । ଲୋକଙ୍କ କଥାକୁ ପରିବର୍ତ୍ତନରେ ପହଞ୍ଚାଇବା ପାଇଁ ବିଜେପିର କାର୍ଯ୍ୟକର୍ତ୍ତାମାନେ କାମ କରୁଛନ୍ତି । ଓଡ଼ିଶାରେ ପରିବର୍ତ୍ତନର ଶୁଭ ସଙ୍କେତ ବେଶୀ ଦୂର ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ଓ ନାଲକୋ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
Comments are closed.