Latest Odisha News

BREAKING NEWS

‘ସମାନ ନାଗରିକ ସଂହିତା’, ପରକୁ କରୁଛି ନିଜର, ନିଜର ହେଉଛନ୍ତି ପର!

ଭୁବନେଶ୍ୱର: ଦେଶରେ ସମାନ ନାଗରିକ ସଂହିତା ଲାଗୁ ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହୋଇଛି। ଦେଶର ବିରୋଧୀ ଶାସକ ତଥା ପ୍ରମୁଖ ନେତାମାନେ ଏ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି।

ଏଭଳି ସ୍ଥିତିରେ ସମାନ ନାଗରିକ ସଂହିତା ସପକ୍ଷରେ କଂଗ୍ରେସ ନ ଥିବା ବେଳେ ହିମାଚଳ ପ୍ରଦେଶର କଂଗ୍ରେସ ନେତା ତଥା ହିମାଚଳ ସରକାରର ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ୟୁସିସିକୁ ସମର୍ଥନ ଜଣାଇଛନ୍ତି। ଯାହାକି ଦଳକୁ ଅଡୁଆରେ ପକାଇଛି।

ବିକ୍ରମାଦିତ୍ୟ ସିଂହ ସମାନ ନାଗରିକ ସଂହିତାକୁ ସେ ପୂର୍ଣ୍ଣ ସମର୍ଥନ ଦେଇଥିବା କହିଛନ୍ତି। କିନ୍ତୁ ଏ ପ୍ରସଙ୍ଗକୁ ନେଇ ରାଜନୀତି ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏପରିକି ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଏହି ପ୍ରସଙ୍ଗକୁ ଜାଣିଶୁଣି ଉଠାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ନଅ ବର୍ଷ ଧରି କେନ୍ଦ୍ରରେ ଶାସନରେ ଥିଲେ ମଧ୍ୟ ବିଜେପି କାହିଁକି ଏହି ଆଇନ ପୂର୍ବରୁ କରୁ ନ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ୟୁସିସିକୁ ନେଇ ବିଜେପିର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ବି ଭିନ୍ନମତ ଦେଖାଦେଇଛି।

ମେଘାଳୟରେ ବିଜେପି ସହ ମିଶି ସରକାର ଗଢିଥିବା ଏନପିପି ଏହାକୁ ବିରୋଧ କରିଛି। ଏନପିପି ମୁଖ୍ୟ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସାଙ୍ଗମା ୟୁସିସିକୁ ଭାରତର ବିଚାରଧାରା ବିରୋଧୀ ବୋଲି କହିଛନ୍ତି।

ବିବିଧତା ହେଉଛି ଭାରତର ଶକ୍ତି ବୋଲି କହିବା ସହ ୟୁସିସିର ବର୍ତ୍ତମାନ ସ୍ଥିତି ଏହି ବିଚାରଧାରାର ବିରୋଧାଭାଷ କରୁଥିବା ସେ କହିଛନ୍ତି। ଉତ୍ତରପୂର୍ବର ଗୋଟିଏ ସ୍ୱତନ୍ତ୍ର ସଂସ୍କୃତି ଓ ସମାଜିକ ବ୍ୟବସ୍ଥା ରହିଛି ଓ ସେମାନେ ସେମିତି ରହିବାକୁ ଚାହୁଁଛନ୍ତି ବୋଲି ସାଙ୍ଗମା କହିଛନ୍ତି।

ସେପଟେ ମୋଦିଙ୍କ ଶାସନକୁ ତୀଵ୍ର ବିରୋଧ କରୁଥିବା ଆମ ଆଦମୀ ପାର୍ଟି ଏବଂ ଶିବସେନାର ଉଦ୍ଧବ ଗୋଷ୍ଠୀ ୟୁସିସିକୁ ସମର୍ଥନ କରିଛନ୍ତି।ସେପଟେ ଏନସିପି ମୁଖ୍ୟ ଶରଦ ପାୱାର ୟୁସିସି ସମ୍ପର୍କରେ ସରକାର ବିସ୍ତୃତ ତଥ୍ୟ ଦେବା ପରେ ତାଙ୍କ ଦଳ ଏହା ଉପରେ ନିଷ୍ପତ୍ତି ନେବ ବୋଲି କହିଛନ୍ତି।

ଉତ୍ତରାଖଣ୍ଡରେ ଖୁବଶୀଘ୍ର ୟୁସିସି ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସୂଚନା ଦେଇଛନ୍ତି। ୟୁସିସି କମିଟି ଡ୍ରାଫ୍ଟ ପ୍ରସ୍ତୁତ କରିସାରିଲାଣି ଓ ଏହାକୁ ଲାଗୁ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ତେଣୁ ୟୁସିସିକୁ ନେଇ ଦେଶରେ ଭିନ୍ନ ରାଜନୈତିକ ସମିକରଣ ଦେଖିବାକୁ ମିଳିଛି। ଆଗକୁ ଏ ପ୍ରସଙ୍ଗ କେଉଁ ମୋଡ଼ ନେଉଛି ତା ଉପରେ ନଜର।

Comments are closed.