Latest Odisha News

କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ୬୩ ଛାତ୍ର ଓ ଶିକ୍ଷକଙ୍କ ଜାପାନ ଗସ୍ତ

ନୂଆଦିଲ୍ଲୀ: ଶିକ୍ଷାଗତ ଯାତ୍ରା ପାଇଁ ଜାପାନ ଗସ୍ତରେ ଅଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟର ୬୩ ଛାତ୍ର ଓ ଶିକ୍ଷକ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (ଜେଏସ୍ଟି) ଏଜେନ୍ସିର ସହଯୋଗରେ ଶନିବାର ୬୩ ଜଣ ଛାତ୍ର ଏବଂ ଶିକ୍ଷକଙ୍କ ଏକ ଟିମ୍ ଜାପାନ ଗସ୍ତ କରିଛନ୍ତି। ସେଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯଥା ଶିଳ୍ପ ସଂଗଠନ, ସଂଗ୍ରହାଳୟ, ବିଶ୍ୱବିଦ୍ୟାଳୟ, ଅନୁସନ୍ଧାନ ପ୍ରତିଷ୍ଠାନ ଇତ୍ୟାଦି ଶିକ୍ଷା ପରିଦର୍ଶନ କରିବେ।

ଏହି ଦଳ ଜାପାନର ବିଭିନ୍ନ ସ୍ଥାନ ବୁଲି ବିଭିନ୍ନ ବିଷୟ ଉପରେ ସୂଚନା ସଂଗ୍ରହ କରିବେ, ଯାହା ସେମାନଙ୍କ କ୍ୟାରିଅରରେ ଅଧିକ ମାର୍ଗଦର୍ଶନ କରିବ। ଏହି ଯୁବ ଶିକ୍ଷାର୍ଥୀମାନେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟର ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ର ଥିବା ବେଳେ ଯେଉଁମାନେ ବିଭିନ୍ନ ବିଷୟ କ୍ଷେତ୍ରରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅଟନ୍ତି ସେହି ଛାତ୍ରଙ୍କୁ ଏହି ଗସ୍ତରେ ସାମିଲ କରାଯାଇଛି। ଛାତ୍ରମାନେ ୯ ଜୁଲାଇରୁ ୧୫ ଜୁଲାଇ, ୨୦୨୩ ପର୍ଯ୍ୟନ୍ତ ଜାପାନ ଗସ୍ତରେ ଅଛନ୍ତି। ଏନେଇ ଛାତ୍ରମାନେ ଅତ୍ୟନ୍ତ ଉତ୍ସାହିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରଣାଳୟରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଯୁଗ୍ମ ସଚିବ ଅର୍ଚ୍ଚନା ଶର୍ମା ଅବସ୍ତି, ଜେଏସଟି ଜାପାନର ପ୍ରବନ୍ଧକ କେମୋଚି ୟୁକିୟୋ, ସିଆଇଆଇଟି-ଏନସିଇଆରଟିର ସଂଯୁକ୍ତ ନିର୍ଦ୍ଦେଶକ ଡ. ଏପି ବେହେରା, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର ଅଧିକାରୀମାନେ ଉପସ୍ଥିତ ଥିଲେ।

ଯୁବ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବୈଦ୍ଧିକ ଜ୍ଞାନ ଏବଂ ବୈଜ୍ଞାନିକ ଅନୁସନ୍ଧାନ ପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସହ ଜାପାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏଜେନ୍ସି (JST) ୨୦୧୪ ଠାରୁ ସକୁରା ବିଜ୍ଞାନ କାର୍ଯ୍ୟକ୍ରମ (ଏସଏସପି) ଅନ୍ତର୍ଗତ ସକୁରା ବିଜ୍ଞାନ ଉଚ୍ଚବିଦ୍ୟାଳୟ କାର୍ଯ୍ୟକ୍ରମ ଲାଗୁ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଛାତ୍ରମାନେ ଜାପାନକୁ ସ୍ୱଳ୍ପ ଦିନର ଗସ୍ତ ପାଇଁ ଆମନ୍ତ୍ରିତ କରାଯାଇଛି। ସେମାନଙ୍କୁ ଜାପାନର ଅତ୍ୟାଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ତଥା ଏହାର ସଂସ୍କୃତି ଅନୁଭବ କରିବାର ସୁଯୋଗ ଦିଆଯିବ।

ଏପ୍ରିଲ, ୨୦୧୬ ରେ ଭାରତ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଏପର୍ଯ୍ୟନ୍ତ ୬୯ ପର୍ଯ୍ୟବେକ୍ଷକଙ୍କ ସହ ୪୧୧ ଛାତ୍ର ଜାପାନ ଗସ୍ତ କରିଛନ୍ତି। ନଭେମ୍ବର ୨୦୧୯ ରେ ଶେଷ ବ୍ୟାଚ୍ ଜାପାନ ଯାଇଥିଲା। ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି (JST) କରୋନା ମହାମାରୀ ସମୟରେ ବିଶ୍ୱବିଦ୍ୟାଳୟର ଅନଲାଇନ୍ ଟୁର୍ ଆୟୋଜନ କରିଥିଲା ​।

Comments are closed.