Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ବିଜେପିକୁ ହାରିବା ଭୟ! ଦାୟିତ୍ୱରେ ଏକାଧିକ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପି ବିରୋଧରେ ଆଣ୍ଟି ଇନକମ୍ବାନସି ଫ୍ୟାକ୍ଟରକୁ ନେଇ ଟେନସନରେ ବିଜେପି। ୧୫ ବର୍ଷରୁ ଅଧିକ ସମୟ ଧରି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂ ଚୌହାନ କାର୍ଯ୍ୟ କରିଥିବା ବେଳେ ଏବେ ବି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ଦୀର୍ଘ ଦିନ ଧରି ରାଜ୍ୟରେ ବିଜେପି ଶାସନ କରୁଥିବାରୁ ଦଳ ଏଥର ଲୋକଙ୍କ ରୋଷର ଶିକାର ହୋଇପାରେ ବୋଲି କୁହାଯାଉଛି। ସେଥିପାଇଁ ଦଳ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ୟପ୍ରଦେଶରେ ନିର୍ବାଚନ ପରିଚାଳନା କମିଟିର ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି।

ଦଳ ଭିତରେ ବଢୁଥିବା ଅନ୍ତର୍ଦ୍ବନ୍ଦ୍ୱକୁ ଆଖି ଆଗରେ ରଖି ଦଳ ତୋମାରଙ୍କୁ ଏହି ଦାୟିତ୍ୱ ଦେଇଛି। ୨୦୧୮ ମସିହାରେ ମଧ୍ୟପ୍ରଦେଶରେ ବିଜେପି ହାରିଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ୨୦ ଜଣ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ଯୋଗୁ ବିଜେପି ସରକାର ଗଢିଥିଲା।

ତେଣୁ ଏବେ ଦଳ ଭିତରେ ବିଦ୍ରୋହ ବଡ଼ ରୂପ ନେଉଛି। ଅନ୍ୟପକ୍ଷରେ ସିନ୍ଧିଆଙ୍କ ସହ କଂଗ୍ରେସ ଛାଡି ବିଜେପିରେ ମିଶିଥିବା କଂଗ୍ରେସ ନେତାଙ୍କ ପାଇଁ ଦଳରେ ଅସନ୍ତୋଷ ବ୍ୟାପକ ହେବା ସହ ବହୁ ନେତା ଦଳ ଛାଡି କଂଗ୍ରେସରେ ମିସିଛନ୍ତି।

ତେଣୁ ମଧ୍ୟପ୍ରଦେଶରେ ପୂର୍ବରୁ ବିଜେପିର ନେତୃତ୍ୱ ନେଇଥିବା ପୁରୁଖା ଅନୁଭବୀ ନେତା କେନ୍ଦ୍ରମନ୍ତ୍ରୀ ତୋମାରଙ୍କୁ ଦଳ ଦାୟିତ୍ୱ ଦେଇଛି। ଜଣେ ଭଲ ସାଙ୍ଗଠନିକ ବ୍ୟକ୍ତି ଭାବେ ଜଣାଶୁଣା ତୋମାରଙ୍କ ମଧ୍ୟପ୍ରଦେଶରେ ଥିବା ନେଟୱର୍କକୁ ଦଳ ବ୍ୟବହାର କରିବାକୁ ଚାହୁଁଛି।

ଏପରିକି ଦାୟିତ୍ୱ ନେବା ପରେ ତୋମାର ମଧ୍ୟପ୍ରଦେଶ ଗସ୍ତ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ଗ୍ବାଲିଅର ଚମ୍ବଲ ଅଞ୍ଚଳ ଗସ୍ତ ପାଇଁ କଂଗ୍ରେସ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ ଏହାର କିଛି ପ୍ରଭାବ ପଡିବନି ବୋଲି କେନ୍ଦ୍ରମନ୍ତ୍ରୀ ତୋମାର କହିଛନ୍ତି।

କିଛି ଦିନ ତଳେ ମଧ୍ୟପ୍ରଦେଶରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ପୁଣି ତୋମାରଙ୍କୁ ଏଥିରେ ସାମିଲ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ବଢିଛି।

ସେପଟେ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ୫ ଟି ଗ୍ୟାରେଣ୍ଟି ନେଇ ମଧ୍ୟପ୍ରଦେଶରେ ଦଳ ସପକ୍ଷରେ ବଡ ବାତାବରଣ ପ୍ରସ୍ତୁତ କରୁଛି। ଯାହାକି ବିଜେପିର ମୁଣ୍ଡବ୍ୟଥାର କାରଣ ହୋଇଛି।

ତେଣୁ ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିବାକୁ ବିଜେପିର ଏସବୁ ଯୋଜନା କେତେ ସଫଳ ହେବ ତା ଉପରେ ନଜର।

Comments are closed.