Latest Odisha News

BREAKING NEWS

ଗରୀବ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣା ମଧ୍ୟାହ୍ନଭୋଜନ ଦେଉଛନ୍ତି ଅମର ସିଂ ୱାଲିଆ

ବାଲେଶ୍ୱର: ସେବା ହିଁ ତାଙ୍କ ଜୀବନର ବ୍ରତ। ଦରିଦ୍ରର ସେବା କରି ଆତ୍ମସନ୍ତୋଷ ପାଆନ୍ତି ସେ। ନିଜ ପରିବାରର ସଦସ୍ୟସଦସ୍ୟା ଓ ସେ ନିଜେ ହିଁ ଗରିବ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନ ଘରୁ ପ୍ରସ୍ତୁତ କରି ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ମାଗଣାରେ ବିତରଣ କରି ଆସୁଛନ୍ତି। ସେ ହେଲେ ବାଲେଶ୍ୱର ସହରର ଆଜିମାବାଦ ନିବାସୀ ୭୨ ବର୍ଷ ବୟସ୍କ ଅମର ସିଂ ଓ୍ବାଲିଆ। ‘ମାନବ ସେବା ହିଁ ମାଧବ ସେବା’ରେ ଆସ୍ଥା ଓ ବିଶ୍ଵାସ ରଖୁଥିବା ଶ୍ରୀ ୱାଲିଆ ଓ ତାଙ୍କ ସାଥୀ ବିଗତ ଅଢେଇ ବର୍ଷ ହେଲା ପ୍ରତି ରବିବାର ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ପ୍ରଦାନ କରିଆସୁଛନ୍ତି।

‘ସେବା ହି ସେବା’ ନାମକ ଏକ ସାମାଜିକ ସଙ୍ଗଠନ ଗଢ଼ି ଏହାରି ମାଧ୍ୟମରେ ସେ ଓ ତାଙ୍କ ସଂଗଠନର ସଦସ୍ୟମାନେ ବାଲେଶ୍ୱର ଜିଲ୍ଲା ସଦର ଡାକ୍ତରଖାନାରେ ଉପସ୍ଥିତ ରହି ରୋଗୀଙ୍କ ପରିବାର ସଦସ୍ୟଙ୍କୁ ଏହି ସେବା ଗତ ୧୨୪ ସପ୍ତାହ ହେଲା ଯୋଗାଇ ଆସୁଛନ୍ତି।

ସରକାର ଖୋଲିଥିବା ଆହାର ଖାଦ୍ୟ ବଣ୍ଟନ କେନ୍ଦ୍ର ରବିବାର ଦିନ ବନ୍ଦ ରହେ। ତେଣୁ ଖାଇବା ପାଇଁ ବିଶେଷକରି ଗରିବ ରୋଗୀଙ୍କ ସମ୍ପର୍କୀୟମାନେ ବିଶେଷ ହଇରାଣ ହେଉଥିବା ଲକ୍ଷ୍ୟ କରି ଆମେ ଏହି ମହତ ଉଦ୍ୟମ କରିଆସୁଛୁ ବୋଲି ୱାଲିଆ ପ୍ରକାଶ କରିଛନ୍ତି। ଖାଦ୍ୟ ହିସାବରେ ଏହି ସଂସ୍ଥା ପକ୍ଷରୁ ରୁଟି, ଆଳୁ ଭଜା ଓ ଆଚାର ବଣ୍ଟନ କରାଯାଏ। କେବେକେବେ ଖେଚୁଡି ଓ ବିଶେଷଦିନରେ ଲୋଗୀଙ୍କ ସମ୍ପର୍କୀୟଙ୍କୁ ମିଠା ମଧ୍ୟ ଦିଆଯାଇଥାଏ।

ତାଙ୍କ କହିବା ଅନୁସାରେ, ‘ସେବା ହି ସେବା’ର ସଦସ୍ୟମାନେ ସ୍ଥାନୀୟ କିଛି ବଦାନ୍ୟ ବ୍ୟକ୍ତିଙ୍କର ସହଯୋଗ କ୍ରମେ ପ୍ରତି ରବିବାର ୪୫୦ ରୁ ୫୦୦ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥାନ୍ତି। ଖରା, ବର୍ଷା ହେଉ ବା ଶୀତ, ୧୨୪ ସପ୍ତାହ ହେଲା କୌଣସି ଗୋଟିଏ ବି ରବିବାର ସେମାନଙ୍କର ଏହି ମହତ୍ କାର୍ଯ୍ୟ ବନ୍ଦ ହୋଇନାହିଁ। ସମାଜରେ ରହୁଥିବା ଲୋକ ଓ ଭଗବାନଙ୍କ ଉପରେ ତାଙ୍କ ଅଖଣ୍ଡ ବିଶ୍ବାସ ରହିଛି। ସେହି ବିଶ୍ବାସ ବଳରେ ହିଁ ଏହା ସମ୍ଭବ ହୋଇପାରୁଛି।

କେବଳ ଏତିକି ନୁହେଁ, ୱାଲିଆଙ୍କ ସଂସ୍ଥା ପକ୍ଷରୁ ବାଲେଶ୍ୱର ଜିଲ୍ଲା ସଦର ଡାକ୍ତରଖାନା ପରିସରରେ ଏକ ତୁଳସୀ ବଗିଚା ମଧ୍ୟ କରାଯାଇଛି। ଏସବୁ ଉଦ୍ୟମ ଲାଗି ୱାଲିଆଙ୍କୁ ବିଭିନ୍ନ ବର୍ଗର ଲୋକ ପ୍ରଶଂସା କରିବା ସହ ସହଯୋଗର ହାତ ମଧ୍ୟ ବଢ଼ାଉଛନ୍ତି।

ଜଣେ ଆଇନଜ୍ଞ ଭାବେ ପରିଚିତ ୱାଲିଆ ପୂର୍ବରୁ ପ୍ରତି ରବିବାର ବାଲେଶ୍ୱରର ବିଭିନ୍ନ ଶାରୀରିକ ଅନଗ୍ରସର ଲୋକଙ୍କ ଚିକିତ୍ସା କେନ୍ଦ୍ରରେ ରୋଗୀଙ୍କୁ ମାଗଣା କ୍ଷୀର ଓ ବିସ୍କୁଟ ବଣ୍ଟନ କରୁଥିଲେ। ପରେ ପରେ ସେ ‘ସେବା ହି ସେବା’ ସଙ୍ଗଠନ ଗଢ଼ି ସଦର ଡାକ୍ତରଖାନାରେ ରୋଗୀଙ୍କ ସଂପର୍କୀୟଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି।

ଏହାପରେ ସେ ମଧ୍ୟାହ୍ନ ଭୋଜନ ସହିତ ଆର୍ଥିକ ଅନଗ୍ରସର ରୋଗୀଙ୍କ ସଂପର୍କୀୟଙ୍କୁ ସକାଳୁଆ ଜଳଖିଆ ଦେବାର ଉଦ୍ୟମ ଆରମ୍ଭ କରିବେ ବୋଲି କହିଛନ୍ତି ୱାଲିଆ। ଏଥିପାଇଁ ସେ ଡାକ୍ତରଖାନା ପରିସରରେ ଏକ ଛୋଟିଆ ଜାଗା ଦେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିବା ପ୍ରକାଶ। ଏହା ସମ୍ଭବ ହୋଇପାରିଲେ ରୋଗୀଙ୍କ ସଂପର୍କୀୟଙ୍କୁ ସକାଳୁଆ ଜଳଖିଆ ଭାବରେ ମୁଢ଼ି, ମିକ୍ସଚର୍, ଉପମା ଓ ଚାହା ଯୋଗାଇ ଦେବାକୁ ସେ ଆଶା ରଖିଛନ୍ତି ।

କେବଳ ଏତିକି ନୁହେଁ, ‘ସେବା ହି ସେବା’ ସଂଗଠନ ପକ୍ଷରୁ ମୃତକଙ୍କ ଶବ ନେବା ଲାଗି ମାଗଣାରେ ଗାଡ଼ି ଯୋଗାଇ ଦେବାର ବନ୍ଦୋବସ୍ତ ମଧ୍ୟ କରାଯାଇଛି। ବାଲେଶ୍ୱର ସଦର ମହକୁମାରୁ ୧୫ କିଲୋମିଟର ପରିସୀମା ଭିତରେ ଥିବା ଲୋକଙ୍କୁ ଏହି ସୁବିଧା ଦିଆଯାଉଛି।

ଅମର ସିଂ ୱାଲିଆଙ୍କୁ ଏହି ସମାଜସେବା ଲାଗି ତାଙ୍କ ପତ୍ନୀ କରମଜିତ୍ ୱାଲିଆ ସବୁବେଳେ ପ୍ରେରଣା ଦେଇ ଆସୁଥିବା କଥା ମୁକ୍ତ କଣ୍ଠରେ ସ୍ଵୀକାର କରନ୍ତି ନିଜେ ଓ୍ଵାଲିଆ। ସଂପ୍ରତି ଜିଲ୍ଲା ପ୍ରଶାସନ ମଧ୍ୟ ଏବେ ଏବେ ‘ସେବା ହି ସେବା’କୁ ସହଯୋଗର ହାତ ସଂପ୍ରସାରିତ କରିଛନ୍ତି। ଦରିଦ୍ର ଓ ଅସହାୟ ମାନବର ସେବା କରିବା ଦିଗରେ ଅମରଙ୍କର ଏ ନିଷ୍ଠାପର ପ୍ରୟାସ ଆଗାମୀ ଦିନରେ ଯୁବପିଢ଼ିଙ୍କର ପ୍ରେରଣାର ପୃଥିବୀ ହେବ, ଏ ଆଶା କରାଯାଇପାରେ।

Leave A Reply

Your email address will not be published.