ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ଯେଉଁ ଭଳି କାର୍ଯ୍ୟ କରୁଛନ୍ତି ତାହା ଅତି ପ୍ରଶଂସନୀୟ । କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଭାବରେ ପୁଷ୍ଠପୋଷକତା କରୁଛନ୍ତି ରାଜ୍ୟ ସରକାର । କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ, ସବୁଥିରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି । ୨୫ତମ ଡ. ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଏହା କହିଛନ୍ତି ।
ରାଣୀ ଆହୁରି କହିଥିଲେ ଯେ, କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ । ଜୀବନରେ ଆମେ ହାର ମାନିବା ଉଚିତ ନୁହେଁ । ବହୁ କଠିନ ପରିଶ୍ରମ କରି ଆଜି ମୁଁ ଏ ସ୍ଥାନରେ ପହଞ୍ଚି ପାରିଛି । ଯେଉଁ କ୍ରୀଡ଼ାବିତ୍ମାନେ ଏଠାରେ ଉପସ୍ଥିତ ରହିଛନ୍ତି ସେମାନଙ୍କୁ ମୋର ଗୋଟିଏ ପରାମର୍ଶ, ନିଷ୍ଠାର ସହ ପରିଶ୍ରମ କରି ଚାଲ, ୧୦ ବର୍ଷ ପରେ ତୁମେ ମୋ ସ୍ଥାନରେ ଥିବ । ଏସୀୟ କ୍ରୀଡ଼ା ଆମର ଉଭୟ ପୁରୁଷ ଓ ମହିଳା ହକି ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯଦି ଆମେ ସ୍ୱର୍ଣ୍ଣ ଜିତୁଛୁ ତେବେ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିପାରିବୁ । ମୋର ବିଶ୍ୱାସ ଆମେ ସ୍ୱର୍ଣ୍ଣ ଜିତିବୁ ଏବଂ ହାଙ୍ଗଝୌରେ ପ୍ୟାରିସ ଟିକେଟ୍ ହାସଲ କରିବୁ ।
କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ସମ୍ମିଳନୀ କକ୍ଷରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସଜେଏ) ଆନୁକୂଲ୍ୟରେ ଆୟୋଜିତ ଏହି ବକ୍ତୃତା ମାଳାରେ ରାଣୀଙ୍କ ସହ ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ହକିର ନିର୍ଦ୍ଦେଶକ ଡେଭିଡ୍ ଜନ୍ ଓ ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ କେନ୍ଦ୍ରର ପରିଚାଳନା ମୁଖ୍ୟ ରାଜୀବ ସେଠ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଏକ ମିନିଟ ନିରବ ପ୍ରାର୍ଥନା ସହ ସ୍ୱର୍ଗତଃ ଡ. ପଟ୍ଟନାୟକଙ୍କ ପୁଣ୍ୟ ଶ୍ରାଦ୍ଧ ଦିବସରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ଓଏସଜେଏର ବାର୍ଷିକ ସ୍ମରଣିକା ଲୋକାର୍ପିତ ହୋଇଥିଲା ।
ରାଜ୍ୟ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ କହିଥିଲେ ଯେ, କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମାନେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରନ୍ତି । ଖେଳାଳିମାନଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥାନ୍ତି । ଓଡ଼ିଶାରେ ହକିର ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ପ୍ରତିଭାଙ୍କର ଭୂୟସୀ ପ୍ରଶଂସା କରିଥିଲେ ଡ଼େଭିଡ଼୍ ଜନ୍ । ଓଡ଼ିଶା ହକିରେ ବିକାଶ ନେଇ ଓଡ଼ିଶା ନାଭାଲ ଟାଟା ଏକାଡେମୀ କିଭଳି କାର୍ଯ୍ୟ କରୁଛି ଏବଂ ଏକାଡେମୀର ସଫଳତା ସଂପର୍କରେ ରାଜୀବ ସେଠ୍ ମତ ରଖିଥିଲେ ।
ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଙ୍କୁ ଏହି ଅବସରରେ ଉପଢ଼ୌକନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଏସଜେଏ ସଭାପତି ସନ୍ଦୀପ ମିଶ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି ଧନ୍ୟବାଦ ଦେଇଥିଲେ । ଓଏସଜେଏ ପରିଚାଳନା କମିଟି ସଦସ୍ୟ ସମ୍ବିତ୍ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ଅବସରରେ ଏସ୍ଜେଏଫ୍ଆଇର ପରିଚାଳନା କମିଟିକୁ ନିର୍ବ ।ଚିତ ହୋଇଥିବା ଓଏସଜେଏ ଯୁଗ୍ମ ସମ୍ପାଦକ ସୁରେଶ ସ୍ୱାଇଁ ଏବଂ ଗୋଲଡ଼େନ ଜୁବୁଲି କମିଟିରେ ସାମିଲ ହୋଇଥିବା ସଭାପତି ସନ୍ଦୀପ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଓସ୍ଜେଏର କାର୍ଯ୍ୟକାରୀ ସଭାପତି କେ.ରବି, ସନାତନ ପାଣି, ସୁରେଶ ସ୍ୱାଇଁ, ତପନ କୁମାର ସ୍ୱାଇଁ, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟ୍ଟନାୟକ, ଅନିରୁଦ୍ଧ ମିଶ୍ର, ସମୀର ରାଉତ, ସର୍ବଶ୍ୱେର ମହାନ୍ତି, ପ୍ରତାପ ପ୍ରଧାନ, ବେଣୁଧର ଦାସ, ମନୋରଞ୍ଜନ ଦାସ, ଶକ୍ତି ପ୍ରସାଦ ନନ୍ଦ, ବିମଳ କୁମାର ରାଉଳ, ସୁଜିତ ସ୍ୱାଇଁ, ତୁଷାର ସେନାପତି, ରଞ୍ଜନ କୁମାର ରାୟ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ଚକ୍ରଧର ମାଝୀ, ମନମୋହନ ସ୍ୱାଇଁ, ସନ୍ତୋଷ ମହାନ୍ତି, ମହେନ୍ଦ୍ର ସାହୁ ଓ ଶୁଭଲକ୍ଷ୍ମୀ ବଳଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
Comments are closed.