ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଏକାଠି ମଜା, ସଜ୍ଜା, ପୂଜା
ହେଲା ବୋଲି ଭକ୍ତିର ମଜ୍ଜା
କିପରି ଯାଉଅଛି ଶୁଖି
କାହା ଆଖି ପାରୁନି ଦେଖି
ପ୍ରକାଶ୍ଯ ଉଦ୍ଦେଶ୍ୟ ବର୍ଜନ
କରି କେବଳ ଧନାର୍ଜନ
କାମରେ ପ୍ରଥାରକ୍ଷୀଗଣ
ଲଗାଇଥାଂତି ନିଜ ମନ
ଏପରି ଚତୁର ଛଳନା
କରଂତି ବୋଲି ଥାଏ ଜଣା
ତେବେ ବି ଜନସାଧାରଣ
କରଂତି ସବୁ ସମର୍ଥନ
ଦିଶିଲେ ଉଜ୍ଜ୍ବଳ ଆଲୋକ
ପୋକ ଭଳି ହୁଅଂତି ଲୋକ
ସେଠାରେ ହୋଇ ଉପସ୍ଥିତ
ସାରଂତି ଉପାର୍ଜିତ ବିତ୍ତ
ପରଂପରାକୁ କରି ଆଳ
ଯାହା କରଂତି ଭକ୍ତ ଦଳ
ତହିଁରେ ଈଶ୍ବରାନୁରାଗ
ଖୋଜିବା କାମ କରୁଁ ଆଗ
ସ୍ରଷ୍ଟାଂକୁ ଦେଇ ଅପମାନ
କେବଳ ନାମ ଉଚ୍ଚାରଣ
ହେବାରୁ ଆଧୁନିକ ପ୍ରଥା
ଘଟିଛି ଏପରି ଅବସ୍ଥା
ନାମୋଚ୍ଚାରଣ ଅହୋରାତ୍ର
ଶୁଣୁଛୁଁ ସଭିଏଁ ସର୍ବତ୍ର
କିଛି ବି ପାରୁନୁ ସୁଧାରି
ବୋଲାଉଁ ପ୍ରଥାର ପୂଜାରୀ
ପ୍ରଥା ବି ଲୋଡ଼େ ଘଷା, ମଜା
ଏ କଥା ଜାଣି ବି ଅବୁଝା
ହୋଇ ରହିଛୁଁ ଉଦାସୀନ
କରୁଁନୁ ପ୍ରଥା ସଂଶୋଧନ
ପ୍ରଥା ହେଉ ଅଥବା ଭାଷା
ସର୍ବଦା କରୁଥାଏ ଆଶା
କେବେ କି ସୁଜ୍ଞାନୀ ସୁଜନ
କରିବେ ଆତ୍ମସଂଶୋଧନ
Comments are closed.