Latest Odisha News

BREAKING NEWS

କବିତା : ବେଳ ଉପଗତ

ଲକ୍ଷ୍ମଣ ସାହୁ 

ସ୍ୱପ୍ନ ଦେଖେ
ଶ୍ରେଣୀହୀନ ସମାଜ ଗଠନେ
ବେଳ ଏବେ ରତରତ
ସାକାର ଲଭିବ
ବାପୁ ଏବେ ଉପଗତ
ସବୁ ଦର୍ଶନ ଉର୍ଦ୍ଧ୍ୱରେ
ରାମରାଜ୍ୟ ଠାରୁ ଉନ୍ନତ
ଜାତି, ବର୍ଣ୍ଣ, ଧର୍ମ ହୀନ
ନୂଆ ଏକ ରାଷ୍ଟ୍ର
ମୁଣ୍ଡ ଟେକି ଥିବ ।।

କୋରାନ୍ ବାଇବେଲ ଗୀତା
ସମସ୍ୱରେ ଗାଉଥିବା
ଅହିଂସାର ମହାମନ୍ତ୍ର
ଆଲ୍ଲା, ଈଶ୍ୱର, ଯୀଶୁ
ଏକାକାର ହୋଇ ଥିବେ
ମୁଠା କରି ଗୋଟାପଣେ ଟାଣ
ଲଢ଼ିବାକୁ ଶ୍ରମ ଅହର୍ନିଶି
ପ୍ରଗତିର ଝଣ୍ତା ଉଠୁଥିବ
ସ୍ୱପ୍ନଚାରୀ ହୃଦୟରେ
ବିଜୟ ଉଲ୍ଲାସେ ।

ଏଠି ନଥିବ ପାଶବିକତା
ନର ସ଼ଂହାର, ଆତ୍ମହତ୍ୟା
ନିଶା, ଭ୍ରଷ୍ଟାଚାର, ଦୁର୍ନୀତି
ହିଂସା, ଦ୍ୱେଷ, ଆତଙ୍କ
ଜୀବନକୁ ଭଲ ପାଇବାର
ବେଳ ଏବେ ଉପଗତ ।

ନିଜ ନ୍ୟାର୍ଯ୍ୟ ଅଧିକାର
ନୂଆ ଏକ ଇସ୍ତାହାର
ଲେଖା ହେବ ସହସ୍ର ହସ୍ତରେ
ଭିନ୍ନ ଏକ ଦଶମ ଗ୍ରହରେ
ଜରା, ବ୍ୟାଧି ନଘଟିବ
ଅମୃତ ପାନରେ
ବୁଭୁକ୍ଷ ନଥିବେ ସେଠି
ବାସହରା କେହି ।

ଲୋଡା ନାହିଁ ଆଉ
ଜ୍ଞାନ ବିଜ୍ଞାନ-ତତ୍ତ୍ୱ
ତର୍କ ବିତର୍କ ଦର୍ଶନ
ଅଣୁ ପରମାଣୁ ଅସ୍ତ୍ର
ଜୀବନ ଜୀଇବାର ବେଳ
ଧ୍ୱଂସ ନୁହେଁ ସୃଷ୍ଟି
ମୃତ୍ୟୁ ନୁହେଁ ଜୀବନ
ଯନ୍ତ୍ରଣା ନୁହେଁ ଆନନ୍ଦ
ନୂଆ ଏକ ସକାଳ
ଏବେ ପାଶେ ଉପଗତ ।

ପଢ଼ିବାକୁ ହେବ ଆଉଥରେ
କାଲମାକ୍ସ, ସକ୍ରେଟିସ, ପ୍ଳାଟୋ
ବେଦ, ଉପନିଷଦ, ସଂହିତା
ମାନବିକତା, ଓଲଟାଇ ଦେଖ
ଇତିହାସ ମାନବ ଚିତ୍ତରେ
ନବ କୋଣାର୍କ, ପ୍ରେମର
ତାଜମହଲ, ଶାମୁକା ଖୋଳରେ
ମୁକ୍ତାର ମଣିଷଟେ କେବଳ
ଝଲସି ଉଠୁଥିବ ଛାୟା ପଥେ ।

ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪

Leave A Reply

Your email address will not be published.