ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ବହିକୁ ଅଧିକ ଆଦର
ମିଳିବ ଜାଣି ଧୈର୍ଯ ଧର
ତହିଁରେ ଥିଲେ ସ୍ବାନୁଭୂତି
ପାଇବ ନିରବ ସ୍ବୀକୃତି
ପାଠକ ବହିଟିଏ ପଢ଼ି
ନିଜ ମନକୁ ନିଜେ ଗଢ଼ି
ଆଗକୁ ପାରେ ଯଦି ବଢ଼ି
ବହିକୁ ଦିଏନି ଫୋପାଡ଼ି
ନିଜ ଉପରେ ରଖି ଆସ୍ଥା
ଲେଖକେ ଲେଖିଲେ ଅବସ୍ଥା
ଅବଶ୍ୟ ପାରଂତି ସୁଧାରି
କେବେ ନ ଡରାଇ ବା ଡରି
ନିତ୍ୟ ସତ୍ୟ ଲେଖକ ହୋଇ
ଯେ ଜାଣେ ନିଜକୁ ଚଳାଇ
ନିଜର ନୀତି ଅନୁଯାୟୀ
ହୁଏ ସର୍ବଦା ଦୁଃଖ-ଜୟୀ
ଯାହାର ହୁଏ ଯାହା ଇଚ୍ଛା
କରଂତି ବୋଲି ତ ଅଇଛା
ଦୁରବସ୍ଥା ଛାଡ଼ୁନି ପିଛା
ହେଉନି ଓଳା,ଧୁଆ, ପୋଛା
ନୁହେଁ ଓଡ଼ିଆ ଅଧ୍ୟାପକ
ସ୍ବୀକୃତିପ୍ରାପ୍ତ ଗବେଷକ
ଥିବାରୁ ଭାଷା ପ୍ରତି ରୁଚି
ସ୍ବେଚ୍ଛାରେ ମୁଁ ଯୋଡ଼ିହୋଇଛିଁ
ମୁଁ ନୁହେଁ ଭାଷା ନିୟଂତ୍ରକ
ଅଥବା ନୀତି ନିର୍ଧାରକ
କିଂବା ପ୍ରକଳ୍ପ ନିର୍ଦେଶକ
ଲେଖି ମୁଁ ବୋଲାଏଁ ଲେଖକ
*ଅଜ୍ଞ* ଘୋଷଣା କରି କେହି
ସତରେ *ଅଜ୍ଞ* ହୁଏନାହିଁ
ଯା ମନେ ଥାଏ ଯେତେ ଜ୍ଞାନ
ସେତିକି ତା ପାଇଁ ସଂପୂର୍ଣ
ଭାଷାରେ ବୃଦ୍ଧି ଆଉ କ୍ଷୟ
ସର୍ବଦା ଘଟଇ ଉଭୟ
ପୁରୁଣା ଯାଏ ଯଦି ଖସି
ନୂତନ ଉଠଇ ବିକଶି
ଏହାକୁ ନେଇ ମନେ ଶଂକା
ନ ଦେଲେ ଆଉ କେବେ ଦେଖା
ଭାଷା ହୋଇବ ଅଗ୍ରସର
ସବୁକୁ କରିବ ସ୍ବୀକାର
Comments are closed.