ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆତ୍ମସଂଦେହକାରୀ ବ୍ୟକ୍ତି
ପାଇପାରେନି ସୁଖ, ଶାଂତି
ସଂଦେହ ବର୍ଜିଲେ ତତ୍କ୍ଷଣେ
ବିଶ୍ବକୁ ସ୍ବର୍ଗ ବୋଲି ଜାଣେ
ରହିଲେ ହୋଇ କର୍ମରତ
ମନକୁ ନ କରି ଆହତ
କଳ୍ପିତ ସବୁ ପୀଡ଼ା, କଷ୍ଟ
ସମୟ କ୍ରମେ ହୁଏ ନଷ୍ଟ
ମନକୁ ଦୁଶ୍ଚିଂତା ନିବାସ
ନ କଲେ, ମିଳଇ ସଂତୋଷ
ନିଜର ଜୀବନାନୁଭୂତି
ଲିପିରେ ରଖିଲେ ସାଇତି
ବୁଝଂତି ସ୍ବଜନ ଓ ଜ୍ଞାତି
ବ୍ୟକ୍ତିର ସାଫଲ୍ୟ, ପ୍ରଗତି
ତହିଁରୁ ପାଇଲେ ପ୍ରେରଣା
ହୁଅଂତିନାହିଁ ବାଟବଣା
ଏ ସବୁ ବିଭିନ୍ନ ପ୍ରକାର
କିଛି ନୁହେ ଭାଷାରେ ସ୍ଥିର
ଯାହାଂକ ଯେଉଁ ଭଳି ମନ
କରଂତି କଥନ, ଲିଖନ
ତେଣୁ ତ ଭାଷା ଚଳମାନ
ଏହି ସତ୍ୟକୁ ଦେଉଁ ଧ୍ୟାନ
ଧନ ମିଳିଲେ ସଂଚି ରଖୁଁ
ଜ୍ଞାନ ମିଳିଲେ ବଂଚି ଶିଖୁଁ
ମନକୁ କଲେ ଦ୍ବିଧା-ଘର
ହେବାନି ଲିଖନ ତତ୍ପର
କେବଳ ଭାବି, ଭାବି, ଭାବି
ସମୟ ସାରୁଥିଲେ କବି
ଦିଶେନି କେବେ ସ୍ପଷ୍ଟ ଛବି
ଭାବନା ଆପେ ଯାଏ ଦ୍ରବି
ସବୁ ଥାଇ ବି ସେ ଅଭାବୀ
ନ ହୁଏ ଭାଷା ଅନୁଭବୀ
କରିଲେ ଅତ୍ୟଧିକ ଚିଂତା
ବାହାରି ପାରେନି କବିତା
କବିତା ହେଲେ ସ୍ବତଃସ୍ଫୂର୍ତ
ନିଶ୍ଚୟ ହୁଏ ସମାଦୃତ
ଏହି ସବୁକୁ ଦେଇ ଧ୍ୟାନ
କରିବା ନିଶ୍ଚିଂତ ଲିଖନ
ବାଟର ଧୂଳି ଫୁଂକି ଫୁଂକି
ଆଗକୁ ବଢ଼ି ପାରିବା କି ?
Comments are closed.