Latest Odisha News

BREAKING NEWS

ସମ୍ବିଧାନ ବହି ପ୍ରସ୍ତାବନାରୁ ‘ଧର୍ମନିରପେକ୍ଷ’ ଏବଂ ‘ସମାଜବାଦୀ’ ଗାଏବ ଅଭିଯୋଗ

ନୂଆଦିଲ୍ଲୀ : କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବୁଧବାର ଅଭିଯୋଗ କରିଛନ୍ତି ଯେ ନୂଆ ସଂସଦ ଭବନର ପ୍ରଥମ ଦିନରେ ସାଂସଦମାନଙ୍କୁ ଦିଆଯାଇଥିବା ସମ୍ବିଧାନର ବହିରେ ‘ଧର୍ମନିରପେକ୍ଷ’ ଏବଂ ‘ସମାଜବାଦୀ’ ଶବ୍ଦର ପ୍ରସ୍ତାବନାରୁ ଗାଏବ ହୋଇଯାଇଛି।

ତେବେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ କହିଛନ୍ତି ଯେ ଯେଉଁ କପି ବଣ୍ଟାଯାଇଛି ସେଥିରେ ପ୍ରସ୍ତାବନାର ମୂଳ ସଂସ୍କରଣ ରହିଛି ଯେଉଁଥିରେ ଏହି ଶବ୍ଦ ନାହିଁ। ସାମ୍ବିଧାନିକ ସଂଶୋଧନ ପରେ “ଧର୍ମନିରପେକ୍ଷ” ଓ “ସମାଜବାଦୀ” ଶବ୍ଦଗୁଡ଼ିକ ପରେ ଯୋଡ଼ା ଯାଇଥିଲା।

ପୂର୍ବାହ୍ନରେ ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ରକୁ ଟାର୍ଗେଟ କରି କହିଥିଲେ ଯେ, ଉକ୍ତ ଶବ୍ଦକୁ ସରକାର ଚତୁରତାର ସହ ହଟାଇ ଦେଇଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଅନେକ ସମୟରେ ବିଜେପି ନେତୃତ୍ୱାଧୀନ ସରକାର ଧର୍ମନିରପେକ୍ଷତାର ବିରୋଧୀ ବୋଲି ଅଭିଯୋଗ କରିଆସୁଛନ୍ତି। ଏହି ଶବ୍ଦକୁ ‘ବିଲୁପ୍ତ’ କରିବା ବିଜେପି ସରକାରଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ ସୃଷ୍ଟି କରିଛି ବୋଲି ଅଧୀର କହିଛନ୍ତି। ଏହା ଏକ ଗମ୍ଭୀର ପ୍ରସଙ୍ଗ ଏବଂ ଆମେ ଏହି ପ୍ରସଙ୍ଗ ଉଠାଇବୁ ବୋଲି ସେ ଗଣମାଧ୍ୟମକୁ କହିଥିଲେ।

ଅଧୀରଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କେନ୍ଦ୍ରମନ୍ତ୍ରୀ ମେଘାଓ୍ୱାଲ୍ କହିଛନ୍ତି ଯେ କପିଗୁଡ଼ିକରେ ମୂଳ ପ୍ରସ୍ତାବନା ଥିବା ବେଳେ ଏଥିରେ ସଂଶୋଧନ ପରେ କରାଯାଇଛି। ଯେତେବେଳେ ସମ୍ବିଧାନ ପ୍ରସ୍ତୁତ ହେଲା, ସେତେବେଳେ ଏମିତି ଥିଲା। ପରେ ଏଥିରେ ସଂଶୋଧନ କରାଯାଇଥିଲା। ଏହା ହେଉଛି ମୂଳ କପି। ଏହାର ଜବାବ ଆମ ମୁଖପାତ୍ର ଦେଇଛନ୍ତି ବୋଲି ସେ କହିଛନ୍ତି।

ଅଧୀର ଚୌଧୁରୀ କହିଛନ୍ତି ଯେ ସେ ଜାଣନ୍ତି ଯେ ଏହି ଶବ୍ଦଗୁଡିକ ପରେ ୧୯୭୬ ରେ ସମ୍ବିଧାନରେ ଯୋଡ଼ାଯାଇଥିଲା କିନ୍ତୁ ଏହା ଏକ “ଗୁରୁତର ପ୍ରସଙ୍ଗ” ବୋଲି ସେ କହିଛନ୍ତି। ମୋ ପାଇଁ ଏହା ଏକ ଗମ୍ଭୀର ପ୍ରସଙ୍ଗ। ସେମାନଙ୍କ ଉଦ୍ଦେଶ୍ୟକୁ ନେଇ ମୁଁ ସନ୍ଦେହ କରୁଛି, କାରଣ ଏ ବାବଦରେ ସେମାନଙ୍କ ହୃଦୟ ସ୍ପଷ୍ଟ ଜଣାପଡୁନାହିଁ ବୋଲି ସେ କହିଛନ୍ତି।

ଲୋକସଭାରେ କଂଗ୍ରେସ ନେତା ଏହା ମଧ୍ୟ କହିଥିଲେ ଯେ ଯଦି କେହି ଆଜି ସମ୍ବିଧାନର ନକଲ ଦେଇଥାଏ, ତେବେ ଆଜିର ସଂସ୍କରଣକୁ ନେଇ ଆସିବା ଉଚିତ। ବିରୋଧୀ ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।ସିପିଆଇର ବିନୟ ବିଶ୍ୱମ ଏହି ଶବ୍ଦର ଭୁଲକୁ “ଅପରାଧ” ବୋଲି କହିଛନ୍ତି। ଏନସିପି କହିଛି ଯେ ଏହା ଶାସକ ବିଜେପିର ପକ୍ଷପାତୀ ମାନସିକତାକୁ ଦର୍ଶାଉଛି।

Comments are closed.