Latest Odisha News

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ନୂଆ ସାଲ ଓ ଅଙ୍କର ପ୍ରବେଶ

ପୁରୀ:  ଆଜିଠାରୁ ରାଜତନ୍ତ୍ର ପରମ୍ପରା ଅନୁସାରେ ଆରମ୍ଭ ହୋଇଛି ନବବର୍ଷ । ରାଜନଅରରେ ଉତ୍ସବର ଦିନ। ରାଜତନ୍ତ୍ର ଲୋପ ପାଇଥିଲେ ବି ପାରମ୍ପରିକ ଭାବରେ ବଞ୍ଚି ରହିଛି ପ୍ରଥା ପରମ୍ପରା । ଭାଦ୍ରବ ଶୁଳ୍କ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତିଙ୍କ ଶ୍ରୀନଅରରେ ବି ବିଧି ପାଳନ ହୋଇଛି। ଗୋଟେ ପଟେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୂଙ୍କର ବଳିବାମନ ବେଶ ଅନୁଷ୍ଠିତ ହେଉଥିବାବେଳେ ସମାନ ତିଥିରେ ଶ୍ରୀନଅରରେ ପାଳିତ ହୋଇଛି ସୁନିଆ ଉତ୍ସବ ।

ସନାତନ ଧର୍ମରେ ପାଞ୍ଜି ଓ ଅଙ୍କ ଗଣନାର ବିଶେଷ ମହତ୍ୱ ରହିଥିବାବେଳେ ମହାପ୍ରଭୁଙ୍କର ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କର ଆରମ୍ଭ ହୋଇଛି ୬୭ ଅଙ୍କର ପ୍ରବେଶ । ଯଦି ଉଭୟ ଅଙ୍କର ସ୍ଥାନୀୟମାନ ସମାନ ପଡିଥାଏ ତେବେ ତାହାକୁ ବାଦ ଦିଆଯାଇଥାଏ । ସେହିପରି ଗତବର୍ଷ ଦିବ୍ୟସିଂହ ଦେବଙ୍କ ୬୫ ଅଙ୍କ ପ୍ରବେଶ କରିଥିବା ବେଳେ ଚଳିତବର୍ଷ ୬୭ ଅଙ୍କ ପ୍ରବେଶ କରିଛି । ପରମ୍ପରା ଅନୁଯାୟୀ ରାଜଗାଦିରେ ବସିବା ଦିନଠାରୁ ଅଙ୍କ ଗଣନା ଆରମ୍ଭ ହୋଇଥାଏ।

ସେପଟେ ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି। କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ପାଳିତ ହୋଇଛି।

ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନୀତି ସମ୍ପାଦନ କରାଯାଇଛି। ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବାର ଅନନ୍ୟ ବିଧି ମଧ୍ୟ ପ୍ରଚଳିତ ରହିଛି। ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଛନ୍ତି ।

Comments are closed.