ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଜ୍ଞାନ ରଞ୍ଜନ କରଙ୍କ ସହ ‘ସ୍ୱଳ୍ପ ଆଳାପ’
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ଏହି ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ। ସତ କଥା ହେଲା ଆଗ୍ରହର ଅର୍ଥ ମୁଁ ବୋଧେ ସାହିତ୍ୟ ସର୍ଜ୍ଜନା କରିବା ପରେ ଜାଣିଲି। ମୋ ମତରେ ସର୍ଜନା ଏକ ବିଶ୍ୱ ପ୍ରବାହର ଧାରା। ଏହାର ଆଗ୍ରହକୁ ବୁଝିବା ଅପେକ୍ଷା ସେ ଧାରାର ଅନୁଭୂତିକୁ କଲମ ମୁନରେ ଖୋଦିତ କରିପାରିବା ହିଁ ସାହିତ୍ୟ। ତେଣୁ ଏହା ଆଗ୍ରହ ଅପେକ୍ଷା ମୋ ଜୀବନ ବଞ୍ଚିବାର ଶୈଳୀ ବୋଲି ମୁଁ ଅନୁଭବ କରେ।
ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ମୋର ପ୍ରଥମ ପ୍ରକାଶିତ ଲେଖା ହେଉଛି ‘ବୃତ୍ତ’। ଏହା ଗୋଟିଏ କବିତା, ଯେଉଁଥିରେ ଜୀବନର ଚକ୍ରକୁ ବୃତ୍ତର ସଂଜ୍ଞାରେ ରୂପାନ୍ତରିତ କରାଯାଇଛି। ସେ ପ୍ରକୃତି ହେଉ ଅବା ମଣିଷ, ସମସ୍ତେ ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇ ପୁଣି ନିଜର ସମଗ୍ର ଚକ୍ରକୁ ବୁଲି, ସେହି ବିନ୍ଦୁରେ ହିଁ ବିଲୀନ ହୋଇଯାଆନ୍ତି। ଅନେକ ଅଣପ୍ରକାଶିତ ଲେଖା ଭିତରେ, ହଠାତ ଗୋଟିଏ ଲେଖାଟି ପ୍ରକାଶିତ ହୋଇଗଲେ,ସେଥିରେ କିଛି ପ୍ରଶଂସା ଆଉ ତର୍ଜମା ମିଳେ। ଉଭୟ ପ୍ରେରଣା ଦିଏ। ମୋ ଜୀବନରେ ମଧ୍ୟ ସେମିତି କିଛି ପରିବର୍ତ୍ତନ ମୁଁ ଦେଖିପାରିଥିଲି। କିଛି ସାଧୁବାଦ ପାଇଲି, କିଛି ଲେଖନୀକୁ ଆହୁରି ଶାଣିତ କରିବା ପାଇଁ ଉପଦେଶ ମଧ୍ୟ। ସେଥିପାଇଁ ମୁଁ ମୋ ପାଠକଙ୍କ ନିକଟରେ ଚିର ଋଣୀ। ତାଙ୍କ ଋଣ ପରିଶୋଧ କରିବାକୁ ମୁଁ ଆହୁରି ଲେଖେ, ଆହୁରି ଅଧିକ ଲେଖେ।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ମୋର ପ୍ରତ୍ୟେକ ଗଳ୍ପ/କବିତାରେ କିଛି ଭିନ୍ନ ଦୃଷ୍ଟିଭଙ୍ଗୀ ଉପରେ ଆଧାରିତ। ବେଳେ ବେଳେ ମୁଁ ବିଗିଡି ଯାଇଥିବା ସମାଜକୁ ସୁଧାରିବାକୁ ଚେଷ୍ଟାକରେ, ଆଉ ବେଳେ ବେଳେ ସୁଧୁରି ଯାଇଥିବା ସମାଜକୁ ଟିକେ ବିଗାଡିବାକୁ ମଧ୍ୟ ଚେଷ୍ଟା କରେ। ବେଳେ ବେଳେ ‘ପ୍ରେମ’ରେ କିଛି ନୂତନ ଦୃଷ୍ଟିଭଙ୍ଗୀକୁ ଲେଖାର ମୂଳ ଆଧାର ରୂପେ ଗ୍ରହଣ କରେ। ସେହି ଚେଷ୍ଟା ଭିତରେ ବେଳେ ବେଳେ ସଫଳ ହୁଏ, ବିଫଳତା ବି ଅନେକ ଥର ମିଳେ। କିନ୍ତୁ ନିରନ୍ତର ପ୍ରୟାସ ହିଁ ସଫଳତାର ମୂଳମନ୍ତ୍ର ବୋଲି ମୋର ଦୃଢ ମତ।
ମୁଁ କାହିଁକି ଲେଖେ?
ଜୀବନକୁ ବଞ୍ଚିବା ଉପଯୋଗୀ କରିବା ପାଇଁ। ସତ କଥା ହେଲା, ନିଶାଶକ୍ତ ହେବା ଯଦି ବଞ୍ଚିବାର ଅଭ୍ୟାସ ହୁଏ, ତେବେ ମୁଁ ସାହିତ୍ୟ ନିଶାଡୀ। ମୋ କଲମ ସାଧାରଣତଃ ରାତିରେ ହିଁ ଚାଲେ, ଆଉ ସେଇ ରାତିରେ ମୁଁ ଅନୁଭବ କରିପାରେ କଲମ ଖୁବ ଶକ୍ତିଶାଳୀ। ସମାଜ ଗଠନ ହେଉ, ଦେଶ ଗଠନ ହେଉ ବା ବ୍ୟକ୍ତିଗତ ଜୀବନ ଗଠନ ହେଉ, ସବୁଥିରେ ଏହି କଲମର ସର୍ଜନାହିଁ ଭାଗ୍ୟ ନିର୍ଦ୍ଧାରଣ କରେ। ମଣିଷ କଲମ ମୁନରେ ସ୍ବପ୍ନ ଦେଖିପାରେ, ଦେଖେଇବି ପାରେ। ମୁଁ ବି ସ୍ବପ୍ନ ଦେଖେ, ଦେଖେଇବାକୁ ଚେଷ୍ଟା କରେ ତା’ରି ମାଧ୍ୟମରେ।
ତାଙ୍କ ରଚନାରୁ କବିତା : ରାଧାନୁରାଗ
ରାଧା ତୁମ ପାଦ ତଳେ
କାହ୍ନା ବଂଶୀ ଥୋଇଦେଇ
ପାଦକୁ ଚାହେଁ ଯେମିତି
ଏ ପାଦ ବିନା କିଛି ନାହିଁ।।
ଏ ସହସ୍ର କୋଟି ସୂର୍ଯ୍ୟ,
ତା ସ୍ବର୍ଣ୍ଣିମ ପାଉଁଜିରେ,
ଏ ସହସ୍ର କୋଟି ଆକାଶ
ତା’ ଶ୍ୱେତ ନଖ ଧାରେ।
ହଜିଯାଏ ହଜିଯାଏ ହଜିଯାଏ…..
ବଂଶୀର ସବୁ ମୂର୍ଚ୍ଛନା
ତା ଅଙ୍ଗୁଳି ଫାଙ୍କରେ
ପରଂବ୍ରହ୍ମ ଜଗତବ୍ରହ୍ମ ଆଜି
ତା’ ପଦ-ରେଖା ତଳେ।
ଖୋଜୁଥାଏ…ଖୋଜୁଥାଏ…..ଖୋଜୁଥାଏ…..
ଶୃଙ୍ଗାରରୁ ମିଳନ,
ସୃଷ୍ଟିରୁ ଯୌବନ,
ଜନ୍ମରୁ ଜୀବନ,
ରାଧାରୁ ଶ୍ରୀକୃଷ୍ଣ……
ରାଧା ତୁମ ପାଦ ତଳେ….
ରାଧା…. ରାଧା…. ରାଧା…
ରାଧା ତୁମ ପାଦ ତଳେ!!
Comments are closed.