ଭୁବନେଶ୍ବର: ନବୀନଙ୍କ ହାତ ଛାଡିଦେଲେ ଦେବାଶିଷ
ବିଜେଡିରୁ ଇସ୍ତଫା ଦେଲେ
ଏବେ ଧରିବେ କି ପଦ୍ମ?
ଶଙ୍ଖ ଶିବିରକୁ ଆଉ ଏକ ବଡ ଝଟକା । ଦଳର ପୁରୁଖା ନେତା ବିଜେଡିକୁ ବାଏ ବାଏ କହିଛନ୍ତି। ବିଜେଡି ଛାଡିବା ସହିତ ରାଜ୍ୟସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ସକାଳୁ ସକାଳୁ ଦେବାଶିଷ ବିଜେଡି ଛାଡି ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ନିଷ୍ପତ୍ତି ନେଇଛନ୍ତି ଦେବାଶିଷ । ଯୋଜନାବଦ୍ଧ ଭାବେ ଦଳରେ ତାଙ୍କୁ ଅଣଦେଖା ଏବଂ ଅପମାନିତ କରାଯାଉଥିବା ଅଭିଯୋଗ କରି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଦେବାଶିଷ । ସେ କହିଛନ୍ତି ଯେ, ଦଳ ମୋର ସେବା ଚାହୁଁନି ବୋଲି ମୁଁ ଅନୁଭବ କରୁଛି। ତେଣୁ ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଦେବାଶିଷ । ଯାହା ଏବେ ବିଜେଡିକୁ ପୂରା ଦୁର୍ବଳ କରିଦେଇଛି । କାରଣ ଲୋକସଭାରେ ନିଜର ଅସ୍ତିତ୍ବ ହରାଇଥିବା ବିଜେଡି ଏବେ ରାଜ୍ୟସଭାରେ ସିଧା ୫ ଆସନକୁ ଖସିଯାଇଛି ।
ତେବେ ଦିନେ ସୁପ୍ରିମୋ ନବୀନଙ୍କ ଅତି ନିକଟତର ବନ୍ଧୁ ଥିବା ଦେବାଶିଷ କାହିଁକି ବିଜେଡିର ହାତ ଛାଡିଦେଲେ…ଯେତେବେଳେ କି ବିଜେଡିରେ ଏବେ କିଛି ଠିକ୍ ନାହିଁ…ତାକୁ ନେଇ ଅନେକ କାରଣ ଚର୍ଚ୍ଚା ହେଉଛି। କୁହାଯାଉଛି ଅନେକ କାରଣ ନେଇ ଦେବେଶିଷ ଦଳ ଏବଂ ନବୀନ ଉଭୟଙ୍କ ଉପରେ ଖପ୍ପା ଥିଲେ । ଯାହା ନବୀନ ଏବଂ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିଥିଲା । ଯେଉଁଥିରେ ୱାକଫ୍ ବିଲ୍ ଉପରେ ବିଜେଡିର ମତ, ସଂଗଠନ ମଧ୍ୟରେ ଭି.କେ. ପାଣ୍ଡିଆନଙ୍କ ବଢୁଥିବା ପ୍ରଭାବ ଏବଂ ବାରମ୍ବାର ଅନୁରୋଧ ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବା ସହଜ ହେଉନଥିବା ପ୍ରସଙ୍ଗ ଚର୍ଚ୍ଚାରେ ରହିଛି ।
ଖାଲି ସେତିକି ନୁହେଁ, ଲଗାତାର ଦଳ ମଧ୍ୟରେ ଅନୁଶାସନ ସୃଷ୍ଟି କରୁଥିବା ଅଭିଯୋଗରେ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଉଠାଯାଇଥିବା କାର୍ଯ୍ୟାନୁଷ୍ଠାନ, ଯୁବ ଏବଂ ଦ୍ୱିତୀୟ ପିଢ଼ିର ନେତାମାନଙ୍କ ପାଇଁ ଅଧିକ ସୁଯୋଗ ନଥିବା ଏବଂ ସନ୍ତୃପ୍ ମିଶ୍ରଙ୍କୁ ରାଜ୍ୟସଭାକୁ ମନୋନୀତ କରିବା ଭଳି ପ୍ରସଙ୍ଗ ବି ଦେବାଶିଷଙ୍କ ନିଷ୍ପତ୍ତି ପଛର କାରଣ ହୋଇପାରେ । ଏହା ବି କୁହାଯାଉଛି ଯେ, ଉପର ମହଲର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଦେବାଶିଷ ସାମନ୍ତରାୟ ଥିଲେ ମଧ୍ୟ ରାଜ୍ୟସଭାରେ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳର ନେତା ଭାବରେ ନିଯୁକ୍ତି କରିବା ନେଇ ଦେବାଶିଷ ଅସନ୍ତୁଷ୍ଟ ଥିଲେ। ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ଵ ଦିଆଯାଉନଥିଲା। ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ବି ସେ ପ୍ରତ୍ୟାଖାନ କରିଥିଲେ। ଗତ କିଛି ମାସ ହେଲା ଦଳୀୟ ବ୍ୟାପାର ବା ସଙ୍ଗଠନ କାର୍ଯ୍ୟକ୍ରମରେ ବି ମୁଣ୍ଡ ଖେଳାଉନଥିଲେ ଦେବାଶିଷ। ଦଳ ନେଇ ସେ କୌଣସି ଟିପ୍ପଣୀ ମଧ୍ୟ ଦେଉନଥିଲେ। ତାଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଯାହାକୁ ନେଇ ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ପୂର୍ବରୁ ଇଙ୍ଗିତ କରିଥିଲେ । ପୁଣି ଗୋଟେ ୱିକେଟ୍ ପଡ଼ିବ ବୋଲି ଲେଖିଥିଲେ । ହେଲେ ଦେବାଶିଷ ଏନେଇ କୌଣସି ସାର୍ବଜନୀନ ପ୍ରତିକ୍ରିୟା ରଖିନଥିବା ବେଳେ ଆଜି ସିଧା ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡି ସହ ସବୁ ସମ୍ପର୍କ ତୁଟାଇଛନ୍ତି ।
ସେପଟେ ଦେବାଶିଷଙ୍କ ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଯାହା ଦେବାଶିଷ ବିଜେପିରେ ଯୋଗ ଦେବା ଖବରକୁ ଅଧିକ ଇନ୍ଧନ ଦେଇଛି । ସେ ଏବେ ଶଙ୍ଖ ଛାଡିବା ପରେ ପଦ୍ମ ଧରିବା ଚର୍ଚ୍ଚା ଜୋର ଧରିଛି । ଯାହାପରେ ଏବେ ଦେବାଶିଷଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।