ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ ଫାଇନାଲରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ଆଶା ଉଜ୍ଜୀବୀତ କରିଛନ୍ତି । ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୫-୩ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା । ଅନ୍ୟ ଏକ ସେମିଫାଇନାଲରେ ଜାପାନ ୩-୨ ଗୋଲରେ ଚୀନକୁ ହରାଇଛି । ଭାରତ ଓ ଜାପାନ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା ହେବ । ୨୦୧୪ରେ ଭାରତ ଶେଷ ଥର ଫାଇନାଲକୁ ଉନ୍ନୀତ ହୋଇଥିଲା । ଏହା ପରେ ୨୦୧୮ରେ ସେମିଫାଇନାଲରୁ ବିଦାୟ ନେଇଥିଲା । ଭାରତ ପକ୍ଷରୁ ହାର୍ଦ୍ଦିକ ସିଂ, ମନଦୀପ ସିଂ, ଲଳିତ ଉପାଧ୍ୟାୟ, ଅମିତ ରୋହୀଦାସ ଓ ଅଭିଷେକ ଗୋଲ ସ୍କୋର କରିଥିଲେ ।
ବିପକ୍ଷ ଦଳ ପକ୍ଷରୁ ଜୁଙ୍ଗ ମାନଜାଇ ୩ଟି ଯାକ ଗୋଲ ସ୍କୋର କରିଥିଲେ । ଗ୍ରୁପ ପର୍ଯ୍ୟାୟରେ ଭାରତ ଚମତ୍କାର ପ୍ରଦର୍ଶନ କରି ଏ ପର୍ଯ୍ୟନ୍ତ ୫୮ ଗୋଲ ସ୍କୋର କରିଛି । ଟିମ ଇଣ୍ଡିଆ ଉଜବେକିସ୍ତାନକୁ ୧୬-୦ରେ, ସିଙ୍ଗାପୁରକୂୁ ୧୬-୧ରେ, ଜାପାନକୁ ୪-୨ରେ, ପାକିସ୍ତାନକୁ ୧୦-୨ରେ, ବାଂଲାଦେଶକୁ ୧୨-୦ରେ ଓ ଏବେ ଦକ୍ଷିଣ କୋରିଆକୁ ୫-୩ରେ ହରାଇଛି । ଭାରତର ପ୍ରଦର୍ଶନ ବିଚାରକୁ ନେଲେ ଏଥର ସ୍ୱର୍ଣ୍ଣ ନିଶ୍ଚିତ ମନେ ହେଉଛି ।
Comments are closed.