Latest Odisha News

BREAKING NEWS

ଖୁବଶୀଘ୍ର ୧୧ ଅଙ୍କ ବିଶିଷ୍ଟ ହେବ ମୋବାଇଲ ନମ୍ବର !

ନୂଆଦିଲ୍ଲୀ: ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଟ ଅଟେ । ଆଗାମୀ ଦିନରେ ଏହା ୧୧ ଅଙ୍କ ବିଶିଷ୍ଟ ହୋଇପାରେ ବୋଲି ସୂଚନା ମିଳିଛି ।

ଆଗକୁ ଦେଶରେ ମୋବାଇଲ ଟେଲିଫୋନ୍ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଟେଲି ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ମୋବାଇଲ ନମ୍ବରକୁ ୧୧ ଅଙ୍କ ବିଶିଷ୍ଟ କରିବା ଲାଗି ଯୋଜନା କରୁଛି। ତେବେ ଏଥିପାଇଁ ଟ୍ରାଇ ଲୋକଙ୍କ ମତାମତ ଲୋଡ଼ିଛି।

ଜାତିସଂଘର ରିପୋର୍ଟ ଅନୁଯାୟୀ, ୨୦୨୭ ସୁଦ୍ଧା ଭାରତ ଲୋକସଂଖ୍ୟାରେ ଚୀନକୁ ଅତିକ୍ରମ କରି ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହେବାକୁ ଯାଉଛି । ୨୦୫୦ ମସିହା ସୁଦ୍ଧା ଭାରତର ଜନସଂଖ୍ୟା ୧୬୪ କୋଟିରେ ପହଞ୍ଚିଯିବ। ସେହି ଆକଳନରେ ଦେଶରେ ମୋବାଇଲ ଫୋନ ସଂଖ୍ୟା ପାଖାପାଖି ୩୨୮ କୋଟିକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

ଟ୍ରାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରରେ ଏତେ ସଂଯୋଗ ଦେବା ସମ୍ଭବ ହେବ ନାହିଁ। ତେଣୁ ଟ୍ରାଇ ପକ୍ଷରୁ ଫିକ୍ସଡଲାଇନ ଏବଂ ମୋବାଇଲ ସେବା ପାଇଁ ‘ ଏକକ ନମ୍ବର ଯୋଜନା ବିକାଶ’ ଶୀର୍ଷକରେ ଏକ ପରାମର୍ଶ ପେପର୍‌ ଜାରି ହୋଇଛି।

ଏଥିରେ ମୋବାଇଲ ନମ୍ବରକୁ ୧୧ ଅଙ୍କ ବିଶିଷ୍ଟ କରିବା ସହିତ ଅନ୍ୟାନ୍ୟ ବିକଳ୍ପ ସମ୍ପର୍କରେ ମତାମତ ଲୋଡ଼ାଯାଇଛି। ବର୍ତ୍ତମାନ ପ୍ରଚଳିତ ‌୧୦ ଅଙ୍କ ବିଶିଷ୍ଟ ନମ୍ବରରେ ୨୧୦ କୋଟି ମୋବାଇଲ ନମ୍ବର ପ୍ରଦାନ କରାଯାଇପାରିବ।

ଆସନ୍ତା ଅକ୍ଟୋବର ୨୧ ସୁଦ୍ଧା ଜନସାଧାରଣ ଏସଂକ୍ରାନ୍ତରେ ସେମାନଙ୍କ ମତାମତ ଦେଇପାରିବେ ବୋଲି ଟ୍ରାଇ ସମୟସୀମା ଧାର୍ଯ୍ୟ କରିଥିବା ସୂଚନା ମିଳିଛି ।

Comments are closed.