ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅବକ୍ଷୟ ଓ ଅଭିବୃଦ୍ଧି
ଭାଷାରେ ଚଳେ ନିରବଧି
ଅଯଥା ସୀମା କି ପରିଧି
ପାରେନି କେବେ ଭାଷା ବାଂଧି
ପରିବର୍ତନ ଘନଘନ
ଯେହେତୁ ଭାଷାର ଲକ୍ଷଣ
ବୃଦ୍ଧି ହେଉ କି ହେଉ କ୍ଷୟ
ନୁହେ ବିଜୟ, ପରାଜୟ
ଲୋକଂକ ସହ ହୋଇ ଯୋଡ଼ି
ଭାଷା ନିଶ୍ଚୟ ପାରେ ବଢ଼ି
ଲୋକାଗ୍ରହକୁ କଲେ ନିଂଦା
ମିଳେନି କୌଣସି ସୁବିଧା
ଶବ୍ଦର ଗମନାଗମନ
ଚଳେ ଭାଷାରେ ପ୍ରତି କ୍ଷଣ
ଭାଷୀଏ ପ୍ରସନ୍ନ, ବିଷଣ୍ଣ
ହେବା ନୁହଇ ସମୀଚୀନ
ଗ୍ରହଣ କିଂବା ପ୍ରତ୍ୟାଖ୍ୟାନ
କରିବା ବ୍ୟକ୍ତିର ଅଧୀନ
ନ ହୋଇ କାହା ବଶବର୍ତୀ
ଦେଖାଏ ଭାଷା ଅନୁରକ୍ତି
ପଦ୍ୟମୟ ଏ ଭାଷା-ଧାର
କରଇ ଭରସା ସଂଚାର
ଶବ୍ଦ ଆସଇ ଯିବା ପାଇଁ
ଭାଷା ସର୍ବଦା ରହେ ଜିଇଁ
ପ୍ରତିଟି ଅଂତ୍ୟାହୁତି ପରେ
ପୁନରାରଂଭ ହୋଇପାରେ
ଜୀବନ-ଯଜ୍ଞର ଲକ୍ଷଣ
ନାହିଁ ଏହାର ସମାପନ
ଆମେ ଅଧିକ ଚିତ୍ରାଗ୍ରହୀ
ହେଲେଣି, ବୁଝି ପାରୁଁନାହିଁ
ନ କଲେ ଭ୍ରମ ସଂଶୋଧନ
ଭାଷାଟେ ହୋଇଯାଏ ରୁଗ୍ଣ
ଥିଲେ ହେଁ ଅସଂଖ୍ୟ ପ୍ରମାଣ
ହୋଇଛୁଁ ଯେଣୁ ପ୍ରଥାଧୀନ
ସ୍ବମନ କରୁନି ଗ୍ରହଣ
ଯାହା ବିଶୁଦ୍ଧ, ସମୀଚୀନ
ତିଷ୍ଠି ଥିଲେ ହେଁ ବହୁ ପ୍ରଥା
ଏବର ଭାଷାର ଅବସ୍ଥା
କାହାକୁ ଏଠି ଦିଶୁନାହିଁ
ଜଣା ପଡ଼ୁନି କାହିଁ ପାଇଁ ?
କେହି କାହା ସହିତ ମିଶି
ନ ପାରି, ପାଉଥାଉଁ ଖୁସି
ଏହି ଚଳଣି ଆତ୍ମନାଶୀ
ମଥାରେ ପାରୁନାହିଁ ପଶି
Comments are closed.