Latest Odisha News

ମୋଦି କହିଲେ ଖଡଗେ ରିମୋଟ କଣ୍ଟ୍ରୋଲରେ ପରିଚାଳିତ, ପ୍ରିୟଙ୍କା ମାରିଦେଲେ ରାମଙ୍କ ତୀର!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ ଜମୁଛି ପ୍ରଚାର। ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ହେଭିୱେଟ ମାନଙ୍କ ଭିଡ଼ ଜମୁଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଏମପିରେ ଦେଖିବାକୁ ମିଳିଛି।

ମୋଦି ଦମୋହ ବିଧାନସଭା କ୍ଷେତ୍ରରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ଦମୋହରେ ମୋଦି ଭାରତର ନାଁ କିଭଳି ସାରା ବିଶ୍ୱରେ ଚର୍ଚ୍ଚା ହେଉଛି ବୋଲି କହିବା ସହ କଂଗ୍ରେସ ଉପରେ ବର୍ଷିଛନ୍ତି।

କଂଗ୍ରେସର ଜାତୀୟ ସଭାପତିଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି କି ଯେତେବେଳେ ରିମୋଟ କଣ୍ଟ୍ରୋଲ ଦ୍ୱାରା ସଭାପତି ନିୟନ୍ତ୍ରିତ ହେଉଛନ୍ତି ସେତେବେଳେ ସନାତନ ଧର୍ମକୁ ସମାଲୋଚନା କରୁଛନ୍ତି ଓ ଯେତେବେଳେ ରିମୋଟ କଣ୍ଟ୍ରୋଲ କଟିଯାଉଛି ସେତେବେଳେ ସନାତନ ଧର୍ମର କଥା କହୁଛନ୍ତି।

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଣ୍ଡଵ ବୟାନକୁ ଆଧାର କରି ମୋଦି ଏ କଥା କହିଛନ୍ତି। ତେଣୁ ଏମପିରେ ମୋଦି ସନାତନ ଧର୍ମ ପ୍ରସଙ୍ଗକୁ ଅସ୍ତ୍ର କରିଛନ୍ତି।

ଦମୋହ ଅଞ୍ଚଳକୁ କୌଣସି ପ୍ରଧାନମନ୍ତ୍ରୀ ୩୪ ବର୍ଷ ପରେ ଏହି ଗସ୍ତ କରିଛନ୍ତି। ପୂର୍ବରୁ ଚରଣ ସିଂ, ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଥିବାବେଳେ ଏହି ଅଞ୍ଚଳକୁ ଗସ୍ତ କରିଥିଲେ। ଏବେ ମୋଦିଙ୍କୁ ଏହି ଅଞ୍ଚଳ ଗସ୍ତକୁ ନେଇ ବିଜେପି ବେଶ ଉତ୍ସାହିତ ରହିଛି।

ଆଠଟି ବିଧାନସଭା କ୍ଷେତ୍ରର ବହୁ ଲୋକ ମୋଦିଙ୍କ ସଭାରେ ଏକାଠି ହୋଇଥିଲେ। ସେହିପରି ବିଜେପିର ହେଭିୱେଟ ନେତାମାନେ ବୁନ୍ଦେଲଖଣ୍ଡ ଅଞ୍ଚଳରେ ମଧ୍ୟ ଫୋକସ କରୁଛନ୍ତି।

ସେହିପରି କଂଗ୍ରେସ ମଧ୍ୟ ଏମପିରେ ଶାସନକୁ ଫେରିବା ପାଇଁ ନିଜର ସବୁ ଶକ୍ତି ଖଟାଇଛି। ସାନୱେରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ।

ଏମପିରେ ବିଜେପି ସରକାରର ଦୀର୍ଘ ବର୍ଷର ଶାସନ ସମୟର ଦୁର୍ନୀତି ଭ୍ରଷ୍ଟାଚାରକୁ ମୁଖ୍ୟ ଅସ୍ତ୍ର କରି ବିଜେପି ଉପରେ ବର୍ଷିବା ସହ ରାମଙ୍କ ନାଁକୁ ପ୍ରଚାରରେ ସାମିଲ କରିଛନ୍ତି।

କିଭଳି ମହାତ୍ମା ଗାନ୍ଧୀଙ୍କ ଗୁଳି ବାଜିବା ସମୟରେ ସେ ହେ ରାମ କହି ଟଳି ପଡ଼ିଥିଲେ ସେ କଥାକୁ ଉଠାଇ ରାମଙ୍କ କଥା କହିଛନ୍ତି ପ୍ରିୟଙ୍କା। ଏପରିକି ରାମଙ୍କ ବନବାସର କାହାଣୀକୁ ମଧ୍ୟ ସେ ବ୍ୟାଖ୍ୟା କରିଛନ୍ତି। ସେପଟେ କଂଗ୍ରେସର ଗ୍ୟାରେଣ୍ଟିକୁ ମଧ୍ୟ ଲୋକଙ୍କୁ ମନେ ପକାଇଦେଇଛନ୍ତି।

ତେଣୁ ଗୋଟିଏ ପଟେ କଂଗ୍ରେସ ଜାତୀୟ ସଭାପତିଙ୍କୁ ମୋଦି ରିମୋଟ କଣ୍ଟ୍ରୋଲ ଆଖ୍ୟା ଦେଇ ସନାତନ ଧର୍ମର କଥା ଉଠାଇବା ଓ ଆରପଟେ ପ୍ରିୟଙ୍କା ରାମଙ୍କ କଥା ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ଏମପି ରାଜନୈତିକ ପରିବେଶକୁ ବେଶ ସରଗରମ କରିଛି।

Comments are closed.