Latest Odisha News

BREAKING NEWS

ରାହୁଲ କହୁଥିଲେ ବିଆରଏସ, ବିଜେପିର ‘ବି’ ଟିମ, ମୋଦି କହିଲେ କଂଗ୍ରେସ ‘ସି’ ଟିମ

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଲଢେଇ ଜୋରଦାର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର କରିଛନ୍ତି। ପଛୁଆ ବର୍ଗଙ୍କୁ ନେଇ ବିରୋଧୀ ନିର୍ବାଚନରେ ମୁଖ୍ୟ ଅସ୍ତ୍ର କରିବା ସହ ବିଜେପିକୁ ଏ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି।

ଦେଶର ଜାତିଗତ ଜନଗଣନା ରିପୋର୍ଟ କାହିଁକି କେନ୍ଦ୍ର ସରକାର ସାର୍ବଜନୀନ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇବା ସହ ବିଜେପିକୁ ଘେରୁଛନ୍ତି। ଏପରିକି କଂଗ୍ରେସ ଶାସିତ ରାଜ୍ୟରେ ଜାତିଗତ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯିବା ସହ ଯେଉଁଠି ନିର୍ବାଚନ ହେଉଛି କଂଗ୍ରେସ ସେଠାରେ ଜାତିଗତ ଜନଗଣନାକୁ ଘୋଷଣାପତ୍ରରେ ସାମିଲ କରୁଛି।

ଏଭଳି ସ୍ଥିତିରେ ବିଜେପି ମଧ୍ୟ ପଛୁଆ ବର୍ଗ କାର୍ଡ ଖେଳିବା ଆରମ୍ଭ କରିଛି। ତେଲେଙ୍ଗାନାରେ ଦଳ ଏହି କାର୍ଡକୁ ବଡ଼ ଢଙ୍ଗରେ ଉପସ୍ଥାପିତ କରିଛି। ପୁର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ଅବସରରେ ଏ ପ୍ରସଙ୍ଗକୁ ନେଇ ବଡ଼ ଘୋଷଣା କରିଥିଲେ।

ତେଲେଙ୍ଗାନାରେ ବିଜେପି ଶାସନକୁ ଆସିଲେ ପଛୁଆ ବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଘୋଷଣା କରାଯାଇଛି। ଠିକ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦରେ ପ୍ରଚାର କରିବା ଅବସରରେ ଏହି ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇଛନ୍ତି।

ତେଲେଙ୍ଗାନା ବାସୀଙ୍କ ଆଶୀର୍ବାଦରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ପଛୁଆ ବର୍ଗରୁ ତେଲେଙ୍ଗାନାରେ ହେବ ବୋଲି ମୋଦି କହିଛନ୍ତି। ସଭାକୁ ସମ୍ବୋଧିତ କରି ମୋଦି ଏ କଥା କହିବା ସହ ଟ୍ୱିଟରରେ ମଧ୍ୟ ଏ ପ୍ରସଙ୍ଗ ଉଠାଇଛନ୍ତି।

ହାଇଦ୍ରାବାଦ ଆସିବା ସବୁବେଳେ ଖାସ ହୋଇଥାଏ ବୋଲି ସେ କହିଛନ୍ତି। ୨୦୧୩ ରେ ହୋଇଥିବା ରାଲିକୁ ସେ ଭୁଲିପାରିବେନି ବୋଲି କହିଛନ୍ତି ।ସେତେବେଳେ ଜଣେ ପଛୁଆ ବର୍ଗ ପ୍ରଧାନମନ୍ତ୍ରୀ ବାଛିବା ଯାତ୍ରାର ଆରମ୍ଭ ଥିଲା। ଏବେ ତେଲେଙ୍ଗାନାରେ ପଛୁଆ ବର୍ଗର ବିଜେପି ମୁଖ୍ୟମନ୍ତ୍ରୀ ଆସିବାର ଓଲଟା ଗଣତି ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ଯାହାକୁ ନେଇ ଏଆଇଏମଆଇଏମ ମୁଖ୍ୟ ଓୱେସି ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଜାତି ଆଧାରରେ ଭୋଟ ପାଇଁ ଅପିଲ କରୁଛନ୍ତି ବୋଲି ସେ କହିଛନ୍ତି। କିନ୍ତୁ ପଛୁଆ ବର୍ଗଙ୍କ ସହ ନ୍ୟାୟ କରିବାକୁ ଚାହୁଁନାହାନ୍ତି।

ପଛୁଆ ବର୍ଗ ମୁସଲମାନଙ୍କ ପାଇଁ ମୋଦି ସଂରକ୍ଷଣ ହଟାଇବା କଥା କହିଥିବା ବେଳେ ୨୭ ପ୍ରତିଶତ ଓବିସି କୋଟାର ବିରୋଧ କରିଛନ୍ତି ଓ ସଂରକ୍ଷଣରେ ୫୦ ପ୍ରତିଶତ ସୀମା ମଧ୍ୟ ହଟାଇ ନାହାଁନ୍ତି ବୋଲି ଓୱେସି କହିଛନ୍ତି।

ମୋଦି ହତାଶ ଅଛନ୍ତି ଯାହାକି ଦେଖାଯାଉଛି ବୋଲି ଓୱେସି କହିଛନ୍ତି। ତେଲେଙ୍ଗାନାରେ ପ୍ରଚାର ବେଳେ ମୋଦି ଶାସକ ବିଆରଏସକୁ ଟାର୍ଗେଟ କରିଛନ୍ତି। ଅହଂକାର କାହାର ବି ରହିନି ଓ ବିଆରଏସ ନେତାଙ୍କ ମଧ୍ୟରେ ଅହଂକାର ଦେଖାଯାଉଥିବା କହିଛନ୍ତି ମୋଦି।

୨୦୧୯ ନିର୍ବାଚନରେ ତେଲେଙ୍ଗାନାବାସୀ ଏଭଳି ଅହଙ୍କାରୀ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ମାଧ୍ୟମରେ ଜବାଵ ଦେଇଥିଲେ ବୋଲି କୁହାଯାଇଛି। ପଛୁଆ ବର୍ଗଙ୍କ ହିତ ପାଇଁ ବିଜେପି କାମ କରୁଛି ବୋଲି କୁହାଯିବା ସହ କେନ୍ଦ୍ର ଏନଡିଏ ସରକାରରେ ଏବେ ୨୭ ଜଣ ଓବିସି ବର୍ଗ ମନ୍ତ୍ରୀ ଥିବାବେଳେ ୮୫ ଜଣ ସାଂସଦ ରହିଛନ୍ତି।

ଦେଶରେ ବିଜେପିର ୩୬୫ ଜଣ ପଛୁଆ ବର୍ଗ ବିଧାୟକ ରହିଥିବାବେଳେ ୬୫ ଜଣ ବିଧାନପରିଷଦ ସଦସ୍ୟ ରହିଥିବା କୁହାଯାଇଛି। ଏପରିକି ରାହୁଲ ଗାନ୍ଧୀ ବିଜେପି, ବିଆରଏସକୁ ଏକ ବୋଲି କହୁଥିବାବେଳେ ମୋଦି କଂଗ୍ରେସକୁ ବିଆରଏସର ସି ଟିମ ବୋଲି କହିଛନ୍ତି।

କଂଗ୍ରେସ ଓ ବିଆରଏସର ଡିଏନଏରେ ତିନୋଟି କଥା ପରିବାରବାଦ, ଭ୍ରଷ୍ଟାଚାର ଓ ତୁଷ୍ଟିକରଣ ରହିଛି ବୋଲି ମୋଦି କହିଛନ୍ତି। ସେପଟେ କଂଗ୍ରେସ ମଧ୍ୟ ମୋଦିଙ୍କ ପଛୁଆ ବର୍ଗ କାର୍ଡକୁ ନେଇ କାଉଣ୍ଟର ଆଟାକ କରିଛି।

ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି କିରଣ କୁମାର ରେଡ୍ଡୀ କହିଛନ୍ତି କି ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ଥିବା ଓବିସି ବର୍ଗର ନେତା ବନ୍ଦୀ ସଞ୍ଜୟ କୁମାରଙ୍କୁ ହଟାଇ କିଶନ ରେଡ୍ଡିଙ୍କୁ ସଭାପତି କରାଗଲା।

ଏପରିକି ମହିଳା ସଂରକ୍ଷଣ ବିଲରେ ଓବିସି ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇ ନାହିଁ। ସେପଟେ କାଳେଶ୍ୱରମ ପ୍ରକଳ୍ପ ବିଷୟରେ ମୋଦି ପଦେ ବି କହିଲେନି।

ତେଣୁ ତେଲେଙ୍ଗାନାରେ ବିଆରଏସକୁ ଜିତାଇବାକୁ ମୋଦି ଚାହୁଁଥିବା କଂଗ୍ରେସ ଅଭିଯୋଗ କରିଛି। ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିପାରିବନି ବୋଲି ଜାଣିଚି ସେଥିପାଇଁ ଓବିସି ମୁଖ୍ୟମନ୍ତ୍ରୀ ମନ୍ତ୍ର ଉଚ୍ଚାରଣ କରୁଛି ବୋଲି କଂଗ୍ରେସ ନେତା କିରଣ କୁମାର ରେଡ୍ଡୀ କହିଛନ୍ତି।

ତେଣୁ ପଛୁଆ ବର୍ଗଙ୍କୁ ନେଇ ମୋଦିଙ୍କ ମନ୍ତବ୍ୟ ସହ କଂଗ୍ରେସ ଓୱେସିଙ୍କ ଆଟାକକୁ ନେଇ ତେଲେଙ୍ଗାନା ରାଜନୀତି ଏବେ ବେଶ ଚଳଚଞ୍ଚଳ ହୋଇଉଠିଛି।

Leave A Reply

Your email address will not be published.