Latest Odisha News

BREAKING NEWS

ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲରେ କୋହଲିଙ୍କ ବିଶ୍ୱରେକର୍ଡ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ୱକପ ଭାରତୀୟ କ୍ରିକେଟ ଇତିହାସରେ ନୂତନ ଫର୍ଦ୍ଦ ଯୋଡିବାରେ ଲାଗିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ସର୍ବାଧିକ ଶତକ ହାସଲ କରିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୫୦ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡକୁ ଅତିକ୍ରମ କରିଛନ୍ତି । ସଚିନ ୪୫୨ ଇନିଂସରେ ୪୯ ଶତକ ହାସଲ କରିଥିବା ବେଳେ କୋହଲି ୨୭୯ ଇନିଂସରେ ୫୦ ଶତକ ପୂର୍ଣ୍ଣ କରିଛନ୍ତି । କୋହଲି ୧୧୩ଟି ବଲର ସମ୍ମୁଖୀନ ହୋଇ ୯ଚୌକା ଓ ୨ ଛକା ସହାୟତାରେ ୧୧୭ ରନ କରି ଆଉଟ ହୋଇଥିଲେ ।

 

ସଚିନ ୪୮ରୁ ୪୯ ଶତକ ହାସଲ ପାଇଁ ପାଖାପାଖି ୧ ବର୍ଷ ସମୟ ନେଇଥିଲେ । ମାତ୍ର କିଙ୍ଗ କୋହଲି ୧୦ ଦିନ ମଧ୍ୟରେ ୨ଟି ଶତକ ମାରି ରେକର୍ଡ ଚୁରମାର କରିଛନ୍ତି । ୫୦ତମ ଶତକ ହାସଲ କରିବା ପରେ କୋହଲି କ୍ରିକେଟର ଭଗବାନ ବିବେଚନା କରାଯାଉଥିବା ସଚିନଙ୍କୁ ହାତ ଟେକି ସମ୍ମାନ ଜଣାଇଥିଲେ । ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ମାରିବାରେ କ୍ରିକେଟ ଭଗବାନଙ୍କ ଆଉ ଏକ ରେକର୍ଡ ମଧ୍ୟ କୋହଲି ଭାଙ୍ଗିଛନ୍ତି । ସେ ଏବେ ୭୧୧ ରନ ସଂଗ୍ରହ କରି ଖେଳୁଛନ୍ତି । ସଚିନ ୨୦ ବର୍ଷ ତଳେ ୨୦୦୩ ବିଶ୍ୱକପରେ ୬୭୩ ରନ ସଂଗ୍ରହ କରି କୀର୍ତିମାନ ସ୍ଥାପନ କରିଥିଲେ ।

Comments are closed.