ମୂଳ ହିନ୍ଦୀ: ଦୁଷ୍ୟନ୍ତ କୁମାର
ମୋ ପ୍ରଗତିର ଅବା ଅଗତିର
ଏଇ ମାପଦଣ୍ଡ ତୁମେ ବଦଳାଅ,
ଜୁଆର ତାସ ଭଳି
ମୁଁ ଏବେ ଅନିଶ୍ଚିତତା ଭିତରେ ।
ମୋ ଉପରେ ଚାରିଆଡ଼ୁ ଆକ୍ରମଣ ହେଉଛି,
ପତ୍ର କଅଁଳୁଛି
ପତ୍ର ଝଡ଼ା ଦେଉଛି,
ମୁଁ ନୂଆ ହେବା ପାଇଁ ରନ୍ଦାରେ ଚଢ଼ୁଛି,
ଲଢ଼ି ଲଢ଼ି
ନୂଆ ରାସ୍ତା ତିଆରି କରି ଆଗକୁ ବଢ଼ୁଛି ।
ଯଦି ଏ ସଂଗ୍ରାମରେ ମୋ ପ୍ରାଣବାୟୁ ଉଡ଼ିଯାଏ
ମୋ ବାହୁ ଭାଙ୍ଗିଯାଏ,
ମୋ ପାଦତଳର ଝଡ଼ ଥମିଯାଏ,
ମୋ ଓଠତଳେ ସଙ୍ଗୀତର ତରଙ୍ଗ ଅଟକିଯାଏ
ଅବା ମୋ ମଥାରେ ଲାଜର ରେଖା ଟାଣି ହୋଇଯାଏ,
ତେବେ ମୋତେ ପରାଜିତ ମଣିବନାହିଁ,
ଧରିନେବ
ସେତେବେଳେ ଆହୁରି ବଡ଼ ଧରଣର
ଅସନ୍ତୋଷ ମୋ ହୃଦୟରେ ଟକମକ ହୋଇ ଫୁଟୁଥିବ,
ମୋ ଆଶାର ପରାହତ ସୈନିକମାନଙ୍କ ପରାଜିତ ଶୃଙ୍ଖଳସବୁ
ପୁଣି ଥରେ ବଳ କଷିବାକୁ
ଧୂଳିରେ ହଜିଯିବାକୁ ଅବା କିଛି ହୋଇଯିବାକୁ
ଉଦ୍ବେଳିତ ହେଉଥିବେ ।
ଆଉ ଗୋଟିଏ ସୁଯୋଗର ଅପେକ୍ଷାରେ
ମନର ମହମବତୀସବୁ ଜଳି ଚାଲିଥିବେ ।
ପାପୁଲିରେ ଏଇ ଯେଉଁ ଫୋଟକାସବୁ ,
ଏମାନେ ମୋତେ ଉସୁକାଉଛନ୍ତି ।
ପେଣ୍ଡାରେ ଫୁଲି ଉଠୁଥିବା ଶିରାସବୁ
ମୋତେ ଉପହାସ କରୁଛନ୍ତି ।
ମୁହଁରେ ଉକୁଟି ଉଠୁଥିବା ଯୌବନର ରେଖାସବୁ
ସଂକଳ୍ପ କରାଉଛନ୍ତି ।
କିଛି ବି ହେଉ ଏବେ, ନିଶ୍ଚିତ ଯେ –
ମୋତେ ସବୁ ଆଶଙ୍କାକୁ ଆୟତ୍ତ କରିବାକୁ ହେବ,
ପଥର ଛାତିରେ
ପ୍ରତିଧ୍ୱନି ସୃଷ୍ଟିକରି
ପରିଚିତ ସେହି ରାସ୍ତାରେ
ବିଜୟର ସଙ୍ଗୀତ ଗାଇ ଥରେ ଯିିବାକୁ ହେବ –
ଯେଉଁଠି ମୁଁ ଥରେ ହାରି ଯାଇଛି ।
ମୋ ପ୍ରଗତିର ଅବା ଅଗତିର
ଏଇ ମାପଦଣ୍ଡ ତୁମେ ବଦଳାଅ,
ମୁଁ ଏବେ ଅନିଶ୍ଚିତତା ଭିତରେ ।
ଅନୁବାଦ: ସରଳ କୁମାର ଦାସ
ମୋ: ୯୪୩୭୦୩୮୦୧୫
Comments are closed.