ଅହମ୍ମଦାବାଦ: ବିଶ୍ୱକପ କ୍ରିକେଟ ଫାଇନାଲ ପୂର୍ବ ଦିନ ରାତିରୁ ଭାରତୀୟ କ୍ରିକେଟପ୍ରେମୀ ଅନେକ ଆଶା ଓ ଉତ୍କଣ୍ଠାରେ ଫାଇନାଲକୁ ଅପେକ୍ଷା କରିଥିଲେ । ଅପରାଜେୟ ଥିବା ଟିମ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆକୁ ସହଜରେ ମାତ ଦେବ, ଏହି ବିଶ୍ୱାସ ସମସ୍ତଙ୍କର ଥିଲା । ମାତ୍ର ରବିବାର ରାତିରେ ଭାରତର ସମସ୍ତ କ୍ରିକେଟପ୍ରେମୀଙ୍କ ମନ ଭାଙ୍ଗି ଯାଇଥିଲା । ମ୍ୟାଚ ଦେଖିବା ପାଇଁ ପ୍ରଶଂସକମାନେ ଅନେକ ପ୍ରକାରର ବନ୍ଦୋବସ୍ତ କରିଥିଲେ । ସବୁ କିଛି ଠିକ ଠାକ ଥିଲା ହଠାତ ଶୁଭମନ ଗିଲ ସହଜରେ କ୍ୟାଚ ଦେବା ଏବଂ ଚମତ୍କାର ଫର୍ମରେ ଥିବା ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଆସୁଥିବା ବେଳେ ୪୭ ରନରେ ଆଉଟ ହୋଇ ଯାଇଥିଲେ । ଟ୍ରେଭିସ ହେଡଙ୍କ ଚମତ୍କାର କ୍ୟାଚ ଭାରତକୁ ପ୍ରଥମ ଶକ୍ତ ଧକ୍କା ଦେଇଥିଲା ।
ଏହା ପରେ ସେମିଫାଇନାଲ ଏବଂ ଏହାର ପୂର୍ବ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିବା ଶ୍ରେୟାଶ ଆୟାର ବି କିଛି ଖାସ କରିପାରି ନ ଥିଲେ । ବିରାଟ କୋହଲି ଓ କେଏଲ ରାହୁଲ ୱିକେଟ ବଂଚାଇବା ପାଇଁ ସଂଘର୍ଷ କରିଥିଲେ । ଏଥିରେ ସେମାନେ ସଫଳ ହୋଇଥିଲେ ମଧ୍ୟ ବହୁତ ଧୀମା ଖେଳିବା ଟିମର ବଡ ସ୍କୋର ଆଶା ଧୂଳିସାତ କରିଥିଲା । ଶେଷ ଭାଗରେ ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ନିକଟରୁ କିଛି ବଡ ଶଟ ଆଶା କରାଯାଉଥିଲେ ମଧ୍ୟ ସେମାନେ ବି ନିରାଶ କରିଥିଲେ ।
୨୪୦ ରନ କରିବା ପରେ ସବୁ ଆଶା ବୋଲରଙ୍କ ଉପରେ ରହିଥିଲା । ପ୍ରାରମ୍ଭିକ ୱିକେଟ ହାସଲ କରି ସେମାନେ ଆଶା ସଂଚାର କରିଥିଲେ । ମାତ୍ର ଟ୍ରେଭିସ ହେଡ ଓ ମାର୍ନସ ଲାବୁଶେନଙ୍କ ବ୍ୟାଟିଂ ଆଗରେ ସେମାନେ କିଛି କରିପାରି ନ ଥିଲେ । ଲିଗ ପର୍ଯ୍ୟାୟରେ ଯେଉଁ ଟିମକୁ ଶୋଚନୀୟ ଭାବେ ହରାଇଥିଲେ ସେମାନଙ୍କ ଆଗରେ ଟିମ ଇଣ୍ଡିଆ ଏତେ ଅସହାୟ ହୋଇଯିବ କେହି ଭାବି ନ ଥିଲେ ।
765 runs, one wicket and countless records after! 👊
Virat Kohli emerges as the #CWC23 Player of the Tournament 🤩
Read more 👉 https://t.co/9kF4Wg0Q2h pic.twitter.com/5FxztMkGwK
— ICC (@ICC) November 19, 2023
୧୨ ବର୍ଷର ପ୍ରତୀକ୍ଷା ଲୋତକଭରା ଚକ୍ଷୁରେ ଶେଷ ହୋଇଥିଲା । ଟିଭି ଆଗରୁ ଓ ଷ୍ଟାଡିୟମରେ ଭାରତୀୟ ପ୍ରଶଂସକ ଯିବାକୁ ଚାହୁଁ ନ ଥିଲେ । ତାଙ୍କ ମନ ଏବେ ବି କହୁଥିଲା ଆଉ ଥରେ ମ୍ୟାଚ ହେବ ଆଉ ଭାରତ ଜିତିବ । ସବୁ ବିଭାଗରେ କୀତିର୍ମାନ ସ୍ଥାପନ କରି ଚାଲିଥିବା ଭାରତୀୟ ଖେଳାଳିଙ୍କ ନକଆଉଟ ଦୁର୍ବଳତା ପଦାରେ ପଡିଥିଲା । ପୁଣି ଆଉ ୪ ବର୍ଷକୁ ଅପେକ୍ଷା ।
Comments are closed.