ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଗୋଷ୍ଠୀ, ସାମ୍ମୁଖ୍ୟ, ସଂଘ, ଦଳ
ସବୁଠି ଦିଶୁଛି କେବଳ
ପରିବାରର ପ୍ରତିପତ୍ତି
ହେଉଛି ବହୁମୁଖୀ କ୍ଷତି
ଉଚ୍ଚେ ଆସୀନ ନେତାଗଣ
ଥାଉ ବା ନ ଥାଉ କାରଣ
କରଂତି ଏକାକୀ ନିଷ୍ପତ୍ତି
ଏଥିଯୋଗୁଁ ତ ଅଧୋଗତି
ତଡ଼ା ନ ପାଇବା ପର୍ଯଂତ
କେହି ଜଣେ ବି କେବେ ତ
ଛାଡ଼ିନି ନିଜର ଆସନ
ଲୋକେ ନୁହଂତି ସଚେତନ
ରାଜନୀତିର ସବୁ ବ୍ୟାଧି
ଲଂଘିଲେ ସୀମା ଓ ପରିଧି
ସମାଜ ହୁଏ ସଂକ୍ରମିତ
ଏହା ତ ନୁହେ ଅବିଦିତ
ସଭିଏଁ ଅଭିଜ୍ଞ ଓ ପ୍ରାଜ୍ଞ
ହେଲେ ହେଁ ନୁହଂତି ସର୍ବଜ୍ଞ
ତେଣୁ ହେଉନି କର୍ମଯଜ୍ଞ
କେବେ ବୁଝିବେ ଯେତେ ଅଜ୍ଞ ?
ସହଜଲଭ୍ୟ ହେଲେ ଅନ୍ନ
ଦୁର୍ଲଭ ହୋଇଥାଏ ଜ୍ଞାନ
ଲୋକେ ଦେଖଂତିନାହିଁ ସ୍ବପ୍ନ
ପଡ଼ଇ ଦେଶକୁ ଦୁର୍ଦିନ
ଦେହକୁ ଦେଇ ବେଶି ଧ୍ୟାନ
କରିଲେ ଉଦର ପୂରଣ
ମନକୁ ମିଳେନି ଆହାର
କେହି ନ ହୁଅଂତି କାହାର
ଅନ୍ୟାନ୍ୟ ଜୀବ ଭଳି ବଂଚି
ସୁଜ୍ଞାନ ହୁଏନାହିଁ ସଂଚି
ଜ୍ଞାନ ବଳରେ ଚଳେ ବିଶ୍ୱ
ପେଟ ପୋଷି ବି ଆମେ ନିଃସ୍ବ
ଏ ଯଦି ନୁହଇ ସମସ୍ୟା
ଆଗକୁ ଜଟିଳ ଦୁର୍ଦଶା
ଆମକୁ ଭୋଗିବାକୁ ହେବ
ଏ ସତ୍ୟ କରୁଁ ଅନୁଭବ
ପ୍ରତ୍ୟେକେ ନିଜ କାମ କରି
ହେଲେ ମୂଳତଃ ହିତକାରୀ
ସଂଭବ ଦୁର୍ଦଶା ମୋଚନ
ଦେଉଁ ଏଣିକି ଟିକେ ଧ୍ୟାନ
ଦୋଷୀକୁ ଶୀଘ୍ର ଦେଲେ ଦଂଡ
ନ୍ୟାୟ ହୁଏନି କେବେ ପଂଡ
ବିଚାର ହେଲେ ବିଳଂବିତ
ହୁଏନି ନ୍ୟାୟ ପ୍ରତିଷ୍ଠିତ
କଥା ଯେହେତୁ କ୍ଷଣଜୀବୀ
ହୁଏନି ବିଶେଷ ପ୍ରଭାବୀ
ଧ୍ବନି ସୀମିତ ପରିସର
ମଧ୍ୟରେ କରୁଁ ବ୍ୟବହାର
ଲିପି ତ ଆପେ ଦୀର୍ଘଜୀବୀ
ବିସ୍ତୃତ କ୍ଷେତ୍ରରେ ପ୍ରଭାବୀ
ହେବାର ଥାଏ ସଂଭାବନା
ଜ୍ଞାନ-ବାହକ ରୂପେ ଗଣା
କାଳ ଓ ସ୍ଥଳର ଦୂରତା
ଅତିକ୍ରମ କରେନି କଥା
କିଂତୁ ମୂଳରୁ ସେହି ଶକ୍ତି
ଲିପିରେ ହୋଇଥାଏ ଭର୍ତି
ଭାଷାରେ ବହୁ ଶବ୍ଦ ଅଛି
ତହୁଁ ସରଳତମ ବାଛି
ଲେଖିଲେ ନିଜ ମନୋଭାବ
ଅବଶ୍ୟ ପଡ଼ିବ ପ୍ରଭାବ
ଥିଲେ ହେଁ ବହୁପ୍ରଚଳନ
ଶବ୍ଦ ନ ହେଲେ ସୂତ୍ରାଧୀନ
ଲେଖକେ ହୋଇ ସଚେତନ
କରଂତୁ ପ୍ରୟୋଗ ବର୍ଜନ
କଲେ ଶବ୍ଦର ପ୍ରଦର୍ଶନ
ଆପେ ଜଣାପଡ଼େନି ଜ୍ଞାନ
ପାଠକ ହେଲେ ସୁଦ୍ଧା ମୁଗ୍ଧ
ଭାଷାଟେ ହୋଇପାରେ ଦଗ୍ଧ
ସମସ୍ୟା କଲେ ଆଲୋଚନା
ସମାଧାନ ପଡ଼େନି ଜଣା
ତେବେ ବି ଚାଲେ କଥାବାର୍ତା
ସୁଧୁରେନାହିଁ ଦୁରବସ୍ଥା
ଭାଷା ବିଦ୍ବେଷୀ ହେଲେ କବି
ସ୍ବଭାଷା ରହିଥାଏ ଦବି
ଭାଷାଟେ ନ ହେଲେ ଲିଖିତ
କରିପାରେନି କାହା ହିତ
Comments are closed.