Latest Odisha News

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକ: କାହିଁ କେଉଁ କାଳରୁ ବାଲିଯାତ୍ରାର ଗୌରବମୟ ଇତିହାସ ରହିଆସିଛି । ବର୍ଷ ବର୍ଷ ଧରି ଚାଲିଆସୁଥିବା ଐତିହାସିକ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା । ଏନେଇ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ  । ଯାହା ପରେ କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜାତୀୟ ମାନ୍ୟତା ଦେବାକୁ ଆମର ଆବେଦନ ଜାରି ରହିବ । ଏବଂ ଆଗାମୀ ଦିନରେ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯିବ ।  

ଦୀର୍ଘ ଦିନ ହେଲା ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଲାଗି ଦାବି କରାଯାଉଛି  । ୨୦୨୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ରାଜ୍ୟସଭା ସାଂସଦ ଓ କଟକ ମେୟର ସୁବାସ ସିଂ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଙ୍କୁ ଭେଟି ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ । ଅନେକ ଥର କ୍ୟାବିନେଟ୍ ରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯାଇଛି । ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି  । କିନ୍ତୁ କିଛି ସୁଫଳ ମିଳିନି । ଯାହାକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି ମେୟର ।

ସେପଟେ ବାଲିଯାତ୍ରାକୁ ରହିଲା ଆଉ ହାତ ଗଣତି କିଛିଟା ଦିନ  । ଏଥିଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି । କିଭଳି ଭାବେ ସୁରୁଖୁରୁରେ ଯାତ୍ରା ସମ୍ପନ୍ନ ହେବ , ସେ ନେଇ ପ୍ରଶାସନ ବି ପୁରା ତତ୍ପର । କେବଳ କଟକିଆ ନୁହଁନ୍ତି , ପୁରା ଓଡିଶାବାସୀ ଏହି ଯାତ୍ରାକୁ ଚାତକ ପରି ଅନାଇ ବସିଛନ୍ତି  । ପ୍ରତିବର୍ଷ ଓଡିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଲୋକ ବାଲିଯାତ୍ରାକୁ ଉପଭୋଗ କରିବାକୁ ଆସନ୍ତି । ଦେଶ ବିଦେଶରୁ ବହୁ ବ୍ୟବସାୟୀ ମାନେ ଆସି ବ୍ୟବସାୟର ପସରା ମେଲାନ୍ତି  ।

ପ୍ରତିଦିନ ଲକ୍ଷାଧିକ ଟଙ୍କାର ବେପାର ମଧ୍ୟ ହୁଏ । ସନ୍ଧ୍ୟା ହେଲେ ପୁରା ଜନଗହଳି ପୂର୍ଣ୍ଣ ହୋଇପଡେ ବାଲିଯାତ୍ରା ପଡିଆ । କେବଳ ଯାତ୍ରା ବୁଲିବା ନୁହେଁ , ସାସ୍କୃତିକ କାର୍ଯ୍ୟକ୍ରମ , ଗାନ୍ଧି ଶିଳ୍ପ , ବଲିଉଡ୍ ଷ୍ଟାର୍ ନାଇଟ୍ , ମହାନଦୀରେ ଜଳକ୍ରୀଡା , କଟକ ଇନ୍ କଟକ ପ୍ୟାଭିଲିୟନ୍ , ଲେଜର ସୋ , ଛୋଟପିଲାଙ୍କ ପାଇଁ ଦୋଳି , ଆଉ ଚଟପଟା ଖାଦ୍ୟ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦୁ ବିନ୍ଦୁ ପାଲଟେ ।

Comments are closed.