Latest Odisha News

ଭାଷା ଭାଗବତ : ବୟସ ବୃତ୍ତାଂତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

 

ବୟସ ହୋଇଗଲେ ଦଶ

ପିଲାଟି ବିଦ୍ୟାଳୟ ବଶ

ହୋଇ କରଇ ସବୁ କର୍ମ

ତା ହୁଏ ଶିକ୍ଷାର୍ଥୀର ଧର୍ମ

 

ବୟସ ହୋଇଲେ କୋଡ଼ିଏ

ସ୍ବପ୍ନଦେଖା ପ୍ରତ୍ୟହ ହୁଏ

ସବୁ ନିରେଖି, ଚାଖି ଜାଣେ

ନିଜକୁ ଯୋଗ୍ୟତମ ମଣେ

 

ବୟସ ହୋଇଲେ ତିରିଶ

କୁଟୁଂବ ଛାଡ଼ି କରେ ବାସ

ଗଢ଼େ ଆପଣା ପରିବାର

ତା ହୁଏ ନୂତନ ସଂସାର

 

ବୟସ ହୋଇଲେ ଚାଳିଶ

ବଢ଼ାଏ ନିଜ ଅଭିଳାଷ

ହେବାକୁ ସଂସାର ବିଜୟୀ

ନିଜ ଉଦ୍ୟମ ଅନୁଯାୟୀ

 

ବୟସ ହୋଇଲେ ପଚାଶ

ହୁଏ ସେ ଅଭ୍ୟାସର ଦାସ

ଖାଏ ଓ ପିଏ ଅହର୍ନିଶ

କରେ ନିଜର ସ୍ବାସ୍ଥ୍ୟ ନାଶ

 

ବୟସ ହୋଇଲେ ଷାଠିଏ

ଗଢ଼ି ନିଜସ୍ବ ଘରଟିଏ

ହୁଅଇ ସ୍ବଇଚ୍ଛା ଅଧୀନ

କରେ ବ୍ୟାୟାମ, ଯୋଗ, ଧ୍ୟାନ

 

ବୟସ ହୋଇଲେ ସତୁରି

ସ୍ମୃତି ହିଁ ମଥାରୁ ଉତୁରି

ହୁଅଂତି କଥା ଅବିସ୍ମୃତ

ଶୁଣାଳି ହୁଏ ଉପକୃତ

 

ବୟସ ହୋଇଗଲେ ଅଶୀ

ହୁଅଂତି ତୃପ୍ତ ଆଉ ଖୁସୀ

ମୁହୂର୍ତ ମାପି କରେ ବ୍ୟୟ

ହୁଏନି ଶାରୀରିକ କ୍ଷୟ

 

ବୟସ ହୋଇଗଲେ ନବେ

ଉଲ୍ଲାସ ପାଇଥାଂତି ଗର୍ବେ

ଉଗ୍ର ହୁଏନି ଯେଣୁ ସ୍ପୃହା

ଆଗକୁ ଦିଶେ ସଫା ରାହା

 

ବୟସ ହୋଇଗଲେ ଶହେ

ବ୍ୟକ୍ତି ସୀମିତ ହୋଇ ରହେ

ବିଶ୍ବାତ୍ମା ସହ ହୋଇ ଯୋଡ଼ି

ସ୍ବସ୍ଥାନେ ରହିଥାଏ ପଡ଼ି

 

ବୟସ ଯେତେ ହୋଇଥାଉ

ବ୍ୟକ୍ତି ବୁଝେ ଭାଷାର ଭାଉ

ଜନ୍ମରୁ ମରଣ ପର୍ଯଂତ

ରହେ ସେ ଭାଷାର ସହିତ

 

Comments are closed.