ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’
ନାଁ’କୁ ବିକୃତକରି ସମ୍ବୋଧନ କରିବା ଆମ ଓଡ଼ିଆଙ୍କର ଅଭ୍ୟାସ । ସେଇ ନ୍ୟାୟରେ ଆମ ଅଞ୍ଚଳରେ ଚନ୍ଦ୍ରମଣିଙ୍କୁ ଡାକିଥାଉ ଚନ୍ଦରା । ଆଉ ଶୁକଦେବଙ୍କୁ ଶୁକୁଟା । ଗାଁ ପାଖ କଲେଜରୁ ଯୁକ୍ତି ତିନି ପାସ୍ କଲାପରେ-ଚନ୍ଦରା, ଚାକିରୀ ପଛରେ ନଧାଇଁ, ଗାଁ ମୁଣ୍ଡରେ ଚାଳିଆଟେ କରି “ଚନ୍ଦରା ଚା’ ଦୋକାନ” ଲେଖି,ତା ସାଥୀରେ ବରା ପକୁଡି ଛାଣି ଭଲ ବେପାର କରୁଥିଲା । ଶୁକୁଟାର ପାଠରେ ଭଲ ନହେବାରୁ, ତା’ର ବାପ ସ୍କୁଲରୁ ମାଇନର ଯାଏଁ ପଢ଼େଇ ଉଠେଇଆଣି, ଆପଣା କୁଳବେଉସା – କେଶକଟା, ନିଶ ସାଇଜି, ଦାଢ଼ି ଖିଅର ଶିଖେଇ, ଚନ୍ଦରା ଚା’ଦୋକାନ ପାଖରେ ଗୋଟେ କାଠ କ୍ୟାବିନ୍ ପକେଇ କର୍ମପନ୍ଥା ଧରେଇଦେଇଥିଲେ ।
ଉଭୟ ଦୋକାନୀ ଦୁଇପଟେ ଦୁଇଟା ଲମ୍ବା କାଠବେଞ୍ଚ ପକେଇ, ଗ୍ରାହକମାନଙ୍କ ପାଇଁ ବସିବା ସୁବିଧା କରିଦେଇଥିଲେ । ଗ୍ରାହକ ଚା ‘ଜଳଖିଆ ଖାଇବାକୁ ଅବା ସେଲୁନରେ ଖିଅର ହେବାକୁ ଆସି ବେଞ୍ଚରେ ବସି, ତାଙ୍କ ପାଳି ପଡ଼ିବାର ଅପେକ୍ଷା କରିଥିବା ସମୟରେ ପାଖ ଦୋକାନର ସଦୁପଯୋଗ କରନ୍ତି ଦୁଇ ଦୋକାନୀ ମଗାଉଥିବା ଅଲଗା ଅଲଗା ଖବର କାଗଜ ପଢ଼ି । ଖାଲି ସେମାନେ ଖବର କାଗଜ ପଢ଼ନ୍ତି ନାହିଁ, ବରଂ ଗାଁ ଲୋକଙ୍କ କଥାଠାରୁ ଆରମ୍ଭକରି ପାଇଖାନାଠୁଁ ପାର୍ଲାମେଣ୍ଟ ଯାଏଁ ଚର୍ଚ୍ଚାକୁ ଅଧିକ ଫର୍ଚ୍ଚାରେ ଆଲୋଚନା କରନ୍ତି ।
ଲୋକେ ଯୁଗ ସହିତ ତାଳଦେଇ ଘରେ ଆଉ ଆଗଭଳି ଚୁଡ଼ା, ଚକୁଳି, ପଖାଳ ନଖାଇ ଚନ୍ଦରା ଦୋକାନ ଚା-ଜଳଖିଆ ଖାଇବାକୁ ଏବଂ ଭଣ୍ଡାରୀ ଦୁଆରେ ଖିଅର ନହୋଇ ଶୁକୁଟା ସେଲୁନରେ କେଶ -ନିଶ ଦାଢ଼ି ସାଇଜି କରିବାକୁ ବେଶି ପସନ୍ଦ କରି ନିଇତି ଭିଡ଼ ଜମାନ୍ତି । ଚର୍ଚ୍ଚାରେ ଥାଏ.. କାହାର ସ୍ୱଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ଟଙ୍କା କିଏ ଖାଇଗଲା, ଆବାସ ଯୋଜନା ଟଙ୍କା କିଏ ବାଟ ମାରଣା କଲା, ରାସ୍ତାକାମ କି ନଈ ନାଳ ପୋଲ ନିର୍ମାଣ ବାବଦରେ କାମରେ କେମିତି ଖଇଚା କରି କିଏ ଟଙ୍କା କେତେ ଗିଳିଲା.. ଏମିତି କେତେକଥା । ତା ଛଡ଼ା ଅମୁକ ନେତା ଭୋଟ ବେଳେ କେତେ ପ୍ରତିଶ୍ରୁତି ଦେଇ ଟିକଟ ପାଇ, ଜିତିଲାପରେ ଆଉ ଦିନେ ଅଞ୍ଚଳକୁ ମାଡିନାହାଁନ୍ତି, କିଏ ପାର୍ଲାମେଣ୍ଟରେ ବସି ଢୁଳାଉଛନ୍ତି ଇତ୍ୟାଦି କଥାର ସରଗରମ ଆଲୋଚନା ଚାଲିଥିବାବେଳେ, କିଛି ଚୁପଚାପ ବସି ଗଳଗଳ ଗଳୁଥିବା କଥାକୁ ଢକଢକ ପିଉଥାନ୍ତି ତ କିଏ ମଜା ଦେଖିବାକୁ ମଝିରେ ମଝିରେ ମରମଫଟା ମଞ୍ଜକଥା କହି ବଢ଼ିଆ ବାଗରେ ପିନ୍ ମାରୁଥାନ୍ତି । ପୁଣି କିଏ କ୍ରିକେଟ ଖେଳରେ କାହିଁକି ଭାରତ ଶେଷରେ ହାରିଲା.. ତାର ବିଧିବଦ୍ଧ ତର୍ଜମା କରି ବଳିଷ୍ଠ ମନ୍ତବ୍ୟ ଦିଅନ୍ତି ।
ଏସବୁ ଗ୍ରାମ୍ୟ ମନୋରଞ୍ଜନ ତଥା ସମୟ ସାରିବାର ଗୋଟାଏ ଭିନ୍ନ ତରିକା । ଭାରତ ପାଇଁ ଶୁଖିଲା ସ୍ବପ୍ନ ଦେଖିବାର ଅପୂର୍ବ ମଉକା ।
ସେଦିନ ଥିଲା ରବିବାର। ଅନ୍ୟ ଦିନଠୁଁ ଦୁଇ ଦୋକାନରେ ଅଧିକ ଭିଡ଼ l ହଠାତ ସବଜାନତା ବିରୋଧୀ ଦଳିଆ ବିରୁଆ, ତା ଦାଢ଼ି ସାଇଜ କରିବାକୁ ଅପେକ୍ଷା କରିଥିବାବେଳେ ଚନ୍ଦରା ମଗାଉଥିବା ଖବରକାଗଜ ଜଣଙ୍କ ହାତରୁ ଭିଡିଆଣି ପଢୁପଢୁ, ନାକକୁ ଫୁଲେଇ କହିଲା -ହଇରେ ଚନ୍ଦରା ! କାହିଁକି ଏ ସରକାରଙ୍କୁ ତେଲମରା ପେପର ମଗଉଛୁକିରେ ?
ଏଥିରେ ତୁଚ୍ଛା ମିଛ ବାହାପିଆ କଥାକୁ ସତଭଳିଆ ବଢ଼େଇ ଚଢ଼େଇ ଖାଲି ଛପା ହୋଇଛି ! ହୁଁ, ଦେଖ୍, ସେ ଶୁକୁଟା ଯୋଉ ପେପର ମଗାଉଛି.. ସେଥିରେ ଖାଲି ଖାଣ୍ଟି ସତକଥା କେମିତି ବାହାରୁଛି !
ଏମିତି କଥା ଶୁଣି, ଚନ୍ଦରାର ଚନ୍ଦ୍ରବଦନ ଶୁଖିଲା ବେଳକୁ, ଶୁକୁଟା ମୁହଁରେ ହସ ଉକୁଟି ଛାତି ତାର କୁଣ୍ଢେ ମୋଟ ହେଇଗଲା ।
ଥଟ୍ଟା-ମଜାରେ ଶୁକୁଟା କହୁକହୁ କହିଦେଲା.. ବୁଝିଲ ଭାଇ ! ଚନ୍ଦରାକୁ ସେ ପେପର ବାଲା, ତା ଲାଭର କମିଶନ ତାକୁ ଦଉଛି ତ, ସେଇଥିପାଇଁ ସେ ସେଇ ଶସ୍ତା କାଗଜ ପରା ମଗାଉଛି । ଏକଥା ଶୁଣି, ଚନ୍ଦରା ଚାପିଥିବା ରାଗ -ଚାଉଁକିନା ମୁଣ୍ଡକୁ ଉଠିଗଲା । କହିଲା.. ବୁଝିଲୁ ଶୁକୁଟା ! ତୁ ଯେତିକିର ପିଲା–ସେତିକିରେ ରହ । ବେଶି ମୁଣ୍ଡକୁ ଚଢ଼ିବୁ ତ.. ପୁଣି ଦେଖିବୁ ! ହଇରେ ! କିଏ ମତେ କମିଶନ ଦଉଛି.. ତୁ ଦେଖିଛୁ ? ପ୍ରମାଣ ଦବୁ ? ତୁ ଯୋଉ କାଗଜ ମଗାଉଛୁ, ତାକୁ କେତୁଟା ଲୋକ କିଣି ପଢୁଛନ୍ତି.. କହିଲୁ ? ବାସ୍, ଏଇକଥାରେ ଶୁକୁଟା ଜଣଙ୍କ ଦାଢ଼ି ଅଧା ଖିଅର କରି କ୍ଷୁରକୁ ତରବରରେ ଧରି ବାହାରକୁ ଆସିଲା ବେଳକୁ ବିଚରା ଲୋକଟାର ନିଶ ଫାଳେ କଟି ତଳେ ପଡ଼ିଲାଣି, ତାକୁ ଜଣାନାହିଁ l
ଗର୍ଜନକରି କହିଲା.. ଆରେ ହେ ଚନ୍ଦରା ! ବେଶି ଫୁଟାଣି ମାରି କହିବୁ ତ ଦେଖୁଚୁ ଏ ଖୁରକୁ! ସିଧା ଲଣ୍ଡାକରି ନାଁ ସାଙ୍ଗରେ ତୋ ଚେହେରାକୁ ସଜେଇଦେବି ! ତୋ ମୁଣ୍ଡରୁ ଗଣ୍ଡି ଅଲଗା କରିଦେବି l ଚନ୍ଦରା ବିଚରା ସହେ କେତେକେ ? ଚାଳିଆରେ ଜଳୁଥିବା ଚୁଲାରେ ତତଲା ତେଲ କଡେଇରେ ବରା ଛାଣୁଛାଣୁ ଜବର ପାଟିରେ କହିଲା.. ଆରେ ହେ ଶୁକୁଟା.. ଗୋଡ଼ ଫର୍କଟା, ଯେବେ ତୁ ଗୋଟେ ବାପର ବେଟା, ଲଢ଼ିବୁ ଆ ! ମୁଁ ବାଘ ତୁ ଟା ହେଟା । ଚିହ୍ନିଚୁ ମତେ ! ଦେଖୁଚୁ ଏଇ ତତଲା ତେଲକଡେଇ , ତୋ ଉପରେ ଢାଳି ଏମିତି ଦେବି ଗାଧେଇ ଯେ.. ତୋ ଚଉଦ ପୁରୁଷ ଚିହ୍ନିପାରିବେନି । ମରିଯିବୁ । … ଚାଲିଲା ଚୁଟି ଧରାଧରି.. ମୁଥ ମରାମରି । ବିଚରା ଉଭୟ ପଟର ଗ୍ରାହକ ଖାଲି ହାଁ ହାଁ.. ରୁହ ରୁହ କହୁଥାନ୍ତି ସିନା, ହେଲେ ଏ ଷଣ୍ଢମାର୍କା ଦୁଇ ଭେଣ୍ଡାଙ୍କ ଭିତରେ ପଶି କଳି ଛାଡ଼େଇବାକୁ ସାହସ କରୁନଥାନ୍ତି । ଯା ହଉ, ଯୋଗକୁ ସ୍ୱାଧୀନ ପ୍ରାର୍ଥୀ ହାରୁ ସରପଞ୍ଚେ -ନରି ମଉସା ସାଇକେଲରେ ଆସି ପହଞ୍ଚିଗଲେ । ସାହସକରି ଦିହିଁଙ୍କ ଭିତରେ ପଶି ଝଗଡା ବନ୍ଦ କରେଇ, ଏମିତି ଢଙ୍ଗରେ ମଧୁର କଥାରେ ବୁଝେଇଲେ ଯେ, ମାତ୍ର ଦଶ ମିନିଟରେ ଦୁଇ ଭେଣ୍ଡିଆ ସାଙ୍ଗଭଳିଆ କୁଣ୍ଢାକୁଣ୍ଢିହୋଇ ଯିଏ ଯାହା କାମରେ ମନଦେଲେ ।
ଝଡ଼ ପରେ ଥଣ୍ଡା ପଡିଲା ବେଳକୁ ଘଟଣା, ତିନିଥର ଜିତି ସରପଞ୍ଚ ହୋଇଥିବା ଯୁବନେତା -ସ୍ୱାଇଁ ବାବୁ ଚା ପିଇବାକୁ ବାଇକ ଚଢ଼ି ପହଞ୍ଚି, ବେଞ୍ଚରେ ବସିଲେ । ଲୋକଙ୍କ ଚାପା ଆଲୋଚନାକୁ କାନଡେରି ଶୁଣି ଘଟଣା ସମ୍ପର୍କରେ ଜାଣିଲେ ଯେ, ହାରୁ -ସରପଞ୍ଚେ ନରି ମଉସା, ସବୁତକ ପ୍ରଶଂସା ସାଉଁଟି ନେଇସାରିଛନ୍ତି ! ସ୍ୱାଇଁବାବୁଙ୍କ ଦେହ ଭାରି ଗଲୁ କଲା l ତାଙ୍କର ଆଗକୁ ବଡ଼ ପଦବୀ ପାଇଁ ଟିକଟ ହାତେଇବାକୁ ଯୋଜନା ଅଛି l ତେଣୁ ଶାନ୍ତ ପଡ଼ିଥିବା ବାତାବରଣ ଭିତରକୁ ଜବରଦସ୍ତ କାଳବୈଶାଖୀ ଝଡ଼ ପୂରେଇଲା ଭଳିଆ -ଭଲେଇହେଇ କହିଲେ… ହୈରେ ଚନ୍ଦରା ! ତୁ ପରା ପଢିଛୁ ବିଏ ? ସିଏ ଶୁକୁଟା ତତେ କ୍ଷୁର ମାରିବାକୁ କିଏ ? ମତେ ଫୋନ କଲୁନି ? ତୁ ବୋକା ଏ ହାରୁ ସରପଞ୍ଚ କଥାରେ ଚୁପଚାପ ରହିଲୁ କେମିତିରେ ? ମୁଁ ଥିଲେ, ଭଲକି ଭଣ୍ଡାରୀ ପୁଅକୁ ପାନେ ଚଖେଇ ଗୋଟେ ପରମାନେଣ୍ଟ ଫଇସଲା କରିଦେଇଥାନ୍ତି । ମୋର ଏ ପ୍ୟାଚ ପକା କାମ.. ଜମାରୁ ପସନ୍ଦ ନୁହଁ ।
ମତେ କହିଲୁ କହିଲୁ.. ସେ ଶୁକୁଟା ତତେ କଣ କହିଲା ?
ନିଆଁ ଲିଭିଲା ବେଳକୁ ପୁଣି ହୁତୁହୁତୁ ଜଳିଲା.. କଳିର ମୋଡ଼ ବଦଳିଲା । ମଉସା କହିଲେ.. ହୟୋ ସ୍ୱାଇଁ ପୁଅ ! ତମେ କେମିତି ଭୋଟ ପାଇ ଜିତୁଛ, ଆଉ ମୁଁ କାହିଁକି ହାରୁଛି, ଏ କଥା ଲୋକେ ଭଲରେ ଜାଣନ୍ତି । ମୁଁ ସିନା ଭୋଟରେ ହାରେ, ହେଲେ ମୁଁ, ମୋ ନୀତି -ଆଦର୍ଶକୁ କେବେ ହାରିବାକୁ ଦେଇନି । କିନ୍ତୁ ତମେ ? ଛାଡ଼, କଣ ମୋ ତୁଣ୍ଡରୁ ବାହାରୁଥିଲାଟି….! ସ୍ୱାଇଁ ବାବୁ ନାକ ଫୁଲେଇ, ଆଖି ନାଲିକରି ହେଃ ହେଃ ହେଁ ହେଁ ହେଇ ଏମିତି କୁଟୁଳିଆ ହସ ହସି ରଡ଼ିକରି କହିଲେ.. ଆରେ ଯା.. ମ ! ମଲା ସାପର ପୁଣି ଫଁ ? ପୁଣି ଚାଲିଲା ତର୍କ-ବିତର୍କ.. ।
ଯା ‘ହେଉ, କଥା ଆଗକୁ ବଢିବା ଆଗରୁ କାହାଠୁ ଖବର ପାଇ ଦୁଇ ସାଙ୍ଗ.. ଶୁକୁଟା ଓ ଚନ୍ଦରା ବାପ ପହଞ୍ଚିଯାଇ କହିଲେ -ଆଜ୍ଞା ! ଆପଣମାନେ ଆଉ ଆମ ପିଲାଙ୍କ କଥାରେ ମୁଣ୍ଡ ନପୂରେଇ, ଏଇଠି ପାଟିତୁଣ୍ଡ ନକରି ଦୟାକରି ଯାଆନ୍ତୁ । ଆମକଥା ଆମେ ବୁଝିବୁ । ଶୁକୁଟା ବାପା କହିଲେ -ହେ ପୁଅ ! ମୁଁ ତୋ ହାତରେ ଯୋଉ କ୍ଷୁର କତୁରୀ ଧରେଇଛି, ସେଇଟା କାହା ଗଳା କାଟିବାକୁ ନୁହେଁ, ବରଂ ଅସୁନ୍ଦରିଆ ଦାଢ଼ିଆ ମୁହଁକୁ ସୁନ୍ଦର କରିବା -ଶିଖେଇଛି । ଆଉ ଚନ୍ଦରା ବାପା କହିଲେ -ଦେଖ ଚନ୍ଦରା ! ମୁଁ ଯୋଉ ଚାଳିଆ ଦୋକାନକରି ତେଲ, କଡେଇ ଦେଇ ବସେଇଛି, ସେଇଟା କାହା ସୁନ୍ଦର ଦେହକୁ ପୋଡ଼ିବାକୁ ଦେଇନି, ବରଂ ଭୋକରେ ପେଟ ପୋଡ଼ିଯାଉଥିବା ଲୋକଙ୍କ ମୁହଁରେ ଆହାର ଦେବାକୁ ଦେଇଛି। ତମେ ଦିଇଟା ପର ବୁଦ୍ଧିରେ ଯାହା କରିବାକୁ ଯାଉଥିଲ, ତାହା ନିଜର ଘର ପୋଡି ଜେଲ ଯାଇ ମଶା ମାରିଥାନ୍ତ । ଆସ ଦୁହେଁ ! ପରସ୍ପରକୁ ଭୁଲ ମାଗି ଆଗ ଭଳିଆ ଚାଲିବାକୁ ଆମ ମୁଣ୍ଡଛୁଇଁ ଶପଥ କର ।
ସେଇଆ ହେଲା ।
ଆହା! ଏମିତିଆ ଅପଢା ଅଶିକ୍ଷିତ ବାପାଙ୍କ ବୁଦ୍ଧିରେ ଏତେ ଶକ୍ତି ଏମିତି ପ୍ରୀତି ଥିଲାଯେ, ସେଇଦିନୁ ମନକୁ ଯୋଡି ଚାଲିଲେ ଦି’ପିଲେ l ଶୁକୁଟା ନଥିଲେ, ଚନ୍ଦରା ତା ଗ୍ରାହକଙ୍କ ଦାଢ଼ି, ନିଶ, କେଶ ସାଇଜି କରୁଥିଲା ତ ଚନ୍ଦରା ଅନୁପସ୍ଥିତିରେ, ତା ଗରାଖମାନଙ୍କ ଭୋକିଲା ପେଟକୁ ବରା ପକୁଡି ଛାଣି ଖୁଆଉଥିଲା । ପରେ ସମ୍ପର୍କ ଏମିତି ବଢିଲା ଯେ ଶୁକୁଟା ଭଉଣୀ ଚନ୍ଦରାକୁ ବାହାହେଇଦେଇ, ଶଳା -ଭିଣୋଇ ସମ୍ବନ୍ଧ ଯୋଡ଼ିଲା ବେଳକୁ, ଦି ଜଣଙ୍କ ବାପା -ସମୁଦୀ ପଦକୁ ପ୍ରମୋସନ ହୋଇଯାଇଥିଲେ ।
Comments are closed.