ତରୁଣ କୁମାର ମିଶ୍ର
କାଲୁଆ ଥଣ୍ଡାଟା କାହୁଁ
ଏଥେ ମାଡ଼ି ଆସିଛି ,
ଦାନ୍ତ ବାଜେ ଠକ ଠକ
ଦେହ ଥରି ଯାଉଛି ।
ସକାଳେ ଉଅଁଇ ସୂର୍ଯ୍ଯ
ହୋଇ ଅତି ମଠୁଆ ,
ସଞ୍ଜ ନ ହେଉଣୁ ଲୁଚେ
ଲାଗେ ଯେଣୁ ଶୀତୁଆ ।
କୁହୁଡ଼ି କାକର ଘେରା
ସକାଳକୁ ଦେଖିଲେ ,
ଡର ଆସଇ ମନରେ
ବସୁ ଜାକି ଜୁକି ରେ ।
ଶୁଖିଲା ଡାଳ ପତର
ଏଠୁ ସେଠୁ ଗୋଟାଇ ,
ନିଆଁ ପୋଉଁଥାନ୍ତି ଜନେ
ଗୋଡ଼ ହାତ ଲମ୍ବାଇ ।
ଲାଗେ ଖରା ଭାରି ମିଠା
ପୁଷ ମାସ ସକାଳେ ,
ହେଲେ ସେହି ଖରା ଭାରି
ବାଧି ଥାଏ ଜ୍ଯେଷ୍ଠରେ ।
ସକାଳରୁ ଉଠିବାକୁ
ଯମା ମନ ହୁଏନି ,
ଆଉ ଟିକେ ଶୋଇଗଲେ
ନିଦ ପୁଣି ଭାଙ୍ଗେନି ।
ଭିଡ଼ି ଧରେ ଦେହ ସ୍ନେହେ
ରେଜେଇ ଓ କମ୍ବଳ ,
ପଡ଼ିଗଲେ ବିଛଣାରେ
ନିଦ ଆସେ ସହଳ ।
ଗରମ ଚାହା ସାଙ୍ଗକୁ
ମୁଢ଼ି ଆଉ ପକୁଡ଼ି ,
ଖୋଜୁଥାଏ ପାଟି ଆମ
ଆସିଲେ ଶୀତ ମାଡ଼ି ।
ଧାନ ବିଲେ ଚଷା ପୁଅ
ଦାଆ ଧରି ହାତରେ ,
କାଟୁଥାଏ ଧାନ ପୁଣି
ଗାଉ ଥାଏ ଗୀତରେ ।
ହଳଦୀ ଶାଢ଼ୀ ଦେହରେ
ମାଟି ମାଆ ଜଡ଼ାଇ ,
ସୋରିଷ ବିଲେ ଆନନ୍ଦେ
ପବନରେ ଦୋଳଇ ।
ପରିବା କ୍ଷେତରେ ଦିଶେ
ଭଳି ଭଳି ଫସଲ ,
ଚାଷୀ ଲାଗିଥାଏ କାମେ
ଜଣା ପଡ଼େନି ବେଳ ।
ଛୋଟ ଛୁଆ ବୁଢ଼ା ବୁଢ଼ୀ
ପା’ନ୍ତି କଷ୍ଟ ଶୀତରେ ,
ଗରୀବ ଗୁରୁବା ଙ୍କର
ଦିନ କଟେ ଦୁଃଖରେ ।
ତଥାପି ଅଟଇ ଶୀତ
ଦେହ ପାଇଁ ମିତଟେ ,
ସେ ଖୁସିରେ ଲେଖିଦେଲି
ଶୀତ ପାଇଁ ଗୀତଟେ ।
ଖଣ୍ଡଗିରି ,ଭୁବନେଶ୍ବର
ମୋ ୯୮୫୩୩୧୦୨୯୨
Comments are closed.