Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଚାରିରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସର୍ବ ଭୌମତାକୁ ଆଜି ସାରା ବିଶ୍ୱ ସ୍ୱୀକାର କରୁଛି । ତାଙ୍କ ସମତା ଆଦର୍ଶର ଚର୍ଚ୍ଚା ସବୁଠାରୁ ଆଗରେ ଅଛି । ସାଧାରଣ ମଣିଷଟିଏ କାଳେ ଭ୍ରମରେ ପଡିବ ଅବା ବିଭିନ୍ନ ମତବାଦରେ ପଡି ଭ୍ରମିତ ହେବ, ତେଣୁ ସେ ନିଜକୁ ଚାରି ରୁପରେ ପ୍ରକାଶିତ କଲେ । ଯଥା :

“ଡାହାଣେ ବଲଭଦ୍ର ରୂପ, ଏଇ ଯେ ବିରାଟ ସ୍ୱରୂପ ।
ଅନନ୍ତ ଅଙ୍ଗ ଏ ପ୍ରଛିନ୍ନ ଓଁ ହ୍ଲିଂ ଅଙ୍ଗ ଜନମ ।
ବାମେ ଶ୍ରୀଜଗନ୍ନାଥ ଯେହି, କ୍ଲିଂ ଅଙ୍ଗରେ ବିଜେ ସେଇ।
ମକାରୁ ଯାହାର ଶରୀର, ଯାର ମାୟାରେ ଏ ସଂସାର ।
ମଧ୍ୟେ ସୁଭଦ୍ରା ବ୍ରହ୍ମl ରୂପ, ରାଧାଙ୍କ ଅଙ୍ଗେ ତହିଁ ଗୋପ୍ୟ ।
ଅକାରୁ ବ୍ରହ୍ମl ରୂପ ହୋଇ, ସକାରୁ ରାଧା ଅଙ୍ଗ ସେଇ ।
ପାରୁଶେ ସୁଦର୍ଶନ ଯତି, ସେ ମହାଶୂନ୍ୟ ବ୍ରହ୍ମ ଜ୍ୟୋତି ।
ନାହିଁ ଯାହାର ପାଦ ପାଣି, ଶୀର ନାସିକା କର୍ଣ ପୁଣି।
ଅମନ ମନ ଭିନ୍ନ ନାହିଁ, ସେ ସଦାନନ୍ଦ ରୂପ ଏଇ । (ପ୍ରେମ ଭକ୍ତି ବ୍ରହ୍ମ ଗୀତା -ଯଶୋବନ୍ତ ଦାସ)

ସମନ୍ୱୟ ର ଦେବତା ଶ୍ରୀଜଗନ୍ନାଥ ଚାରି ରୂପକୁ ଏକାକାର କରି ଚତୁର୍ଦ୍ଧା ମୂର୍ତ୍ତି ରୂପେ ଶ୍ରୀମନ୍ଦିର ରରେ ବିରାଜିତ । ଏଇ ଚତୁର୍ଦ୍ଧା ମୂର୍ତ୍ତି ହିଁ ଚତୁବର୍ଗ, ଚତୁର୍ବେଦ, ଚତୁର୍ନାମ , ଚତୃବର୍ଣ, ଚତୁର୍ଶବ୍ଦ ଓ ଚତୁରାକ୍ଷର ରୂପେ ପ୍ରତିଷ୍ଠିତ । ଏଭଳି ପ୍ରତିଷ୍ଠାର ମୂଳ ମନ୍ତ୍ର ହେଲା ସାମ୍ୟବାଦର ପ୍ରତିଷ୍ଠା ଓ ସମନ୍ୱୟ ଭାବର ପ୍ରଚାର । କିନ୍ତୁ ଏଠାରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ହିଁ ଅବସ୍ଥାନ କରି, ଏହାକୁ ମୁକ୍ତି କ୍ଷେତ୍ରରେ ପରିଣତ କରିଛନ୍ତି ଏଥିରେ ସନ୍ଦେହ ନାହିଁ। ଏହାର ପ୍ରମାଣ ମଧ୍ୟ ବିରାଜିତ ।

ମା ବିମଳାଙ୍କ ମନ୍ଦିର ନିକଟରେ ଥିବା କାକତୀର୍ଥ, ଆଜି ବି ସକଳ ପାପ ନାଶର ପ୍ରମାଣ ହୋଇ ରହିଛି । ନୀଳାଦ୍ରି ମହୋଦୟ କହେ
“କଦାଚିତ ଚିତ୍ତତଃ ନୀଳାଦୌ ତୃଷାତ୍ର କାକ ଆଗତ, ଅଯତ୍ନlଦ ମାଧବଂ ଦୃଷ୍ଟୱା ରୋହିଣୀ କୁଣ୍ଡ ସମ୍ଭବମ୍
ଜଳ ପିତ୍ତ୍ୱl ମ୍ ବିମୁକ୍ତାତ୍ମା ଶଙ୍ଖ ଚକ୍ର ଗଦାବଜ ଧୃକ, ସଂପ୍ରାପ୍ୟ ହରି ସରୋପ୍ୟଂ ବୈକୁଣ୍ଠଂ ପ୍ରତି ନିର୍ଯଜ୍ରୋ।”

ଅର୍ଥାତ ଥରେ ଗୋଟିଏ ତୃଷାର୍ତ୍ତ କାକ ନିଜର ଅଜାଣତରେ ପ୍ରଭୁ ଶ୍ରୀଜଗନ୍ନାଥ (ମାଧବ )ଙ୍କ ଦର୍ଶନ କରି ରୋହିଣୀ କୁଣ୍ଡରୁ ଜଳପlନ କରି ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଚତୃଭୁଜ ହୋଇ ମୁକ୍ତି ପାଇ ଥିଲା ଓ ବୈକୁଣ୍ଠରେ ମଧ୍ୟ ସ୍ଥାନ ପାଇଥିଲା ବୈଦିକ କାଳରୁ ବେଦ ବେଦାନ୍ତ ଷଢ଼ଦର୍ଶନ ତତ୍ତ୍ୱକୁ ଏକିଭୂତ କରି ଶ୍ରୀଜଗନ୍ନାଥ ତତ୍ତ୍ୱକୁ ବଳିଷ୍ଠ ଓ ସର୍ବ ଗ୍ରହଣୀୟ ତତ୍ୱରେ ପରିଣତ କରାଯାଇଛି । ଏହି ମୁକ୍ତିକ୍ଷେତ୍ର ତେଣୁ କେବଳ ଭକ୍ତି ଓ ଭକ୍ତଙ୍କୁ ଆପଣାର କରିଛି । କୌଣସି ଧର୍ମ, ଧାରଣା, ମତ, ପଥ, ସଂସ୍କୃତି, ସିଦ୍ଧାନ୍ତ ଅବା ସମ୍ପ୍ରଦାୟ ଏଠାରେ ନିଜର ପ୍ରାଧାନ୍ୟ ବିସ୍ତାର କରି ପାରିନାହାନ୍ତି । ସବୁକିଛି ଏଠି ସମ୍ଭବ କେବଳ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାଖରେ ନିରୋଳା ଭକ୍ତି ନିବେଦନ ଦ୍ୱାରା ହୋଇପାରେ । କାହାର କୌଣସି ନିଜସ୍ୱ ସତ୍ତା ଏଠାରେ ମୂଲ୍ୟହୀନ, ସବୁ ସତ୍ତାର ଅଧିକାରୀ କେବଳ ଶ୍ରୀଜଗନ୍ନାଥ। ସେ ନିର୍ଗୁଣ ସେ ବି ସଗୁଣ, ସେ ଅପୂର୍ଣ୍ଣ । ପୁଣି ସେହି ଏକମାତ୍ର ପୂର୍ଣ୍ଣ ସତ୍ତା । ସେ ଅନିତ୍ୟ ଓ ସେ ବି ନିତ୍ୟ । ଏଭଳି ପ୍ରଭୁଙ୍କ ଶରଣରେ ରହି, ନିତ୍ୟ ତାଙ୍କୁ ହୃଦୟରେ ଭଜନ୍ତୁ।

“ବେଦାହ ମେତଂ ପୁରୁଷଂ ମହାନ୍ତ ମlଦିତ୍ୟ ବର୍ଣଂ ତମଶଃ ପରସ୍ତାତ, ତମେବ ବିଦିତ୍ୟାତି ମୃତ୍ୟୁ ମେତିନାନ୍ୟ ପନ୍ଥା ବିଦ୍ୟତେଅୟ ନ୍ୟାୟ “(ଉପନିଷଦ )। ଅର୍ଥାତ ଏକମାତ୍ର ପୁରୁଷୋତ୍ତମ (ଶ୍ରୀଜଗନ୍ନାଥ )ତତ୍ତ୍ୱ ଜାଣିଲେ, ଆଉ କିଛି ଅଜ୍ଞାତ ବା ଅଲଭ୍ୟ ରୁହେ ନାହିଁ। ଏ ମରଣଶିଳ ଦୁନିଆରେ ଆମରତ୍ୱର ସନ୍ଧାନ ମିଳେ। ଏହା ବ୍ୟତୀତ ପୂର୍ଣ୍ଣତାର ଅନ୍ୟ ସାଧନା ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ ।(ଦ. ତ୍ରୀ. ଉବାଚ )

Comments are closed.