ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଆମେ ଦି’ଜଣ ବୁଢ଼ା ବୁଢ଼ୀ
ହୋଇନୁ କେବେ ଛଡ଼ାଛଡ଼ି
ପରସ୍ପରର ଖୁଣ କାଢ଼ି
ଆଗକୁ ଯାଉଥାଉଁ ବଢ଼ି
ପରସ୍ପରକୁ ଠେଲି, ଭିଡ଼ି
ଗିରି ଶିଖର ଯାଉଁଚଢ଼ି
କେବେ ଯାଇନୁ ପଥ ହୁଡ଼ି
ଆମେ ଦୁଇଟି ବୁଢ଼ା ବୁଢ଼ୀ
ନ ଥିଲୁଁ କେବେ ସ୍ଥାନାସକ୍ତ
ସର୍ବଦା ହେଲୁଁ କର୍ମାସକ୍ତ
ବିଶ୍ବ ଆମର ବାସଭୂମି
ବେଳ ସାରିଲୁଁ ଭ୍ରମି ଭ୍ରମି
ତୋଳିନାହୁଁ କେଉଁଠି ଘର
ଚଳୁଛି ଆମର ସଂସାର
ସେ କନିଆଁ ଓ ମୁହିଁ ବର
କରୁଛୁଁ ନିଜକୁ ନିର୍ଭର
ମିଳୁଛି ଯେଣୁ ଦାନା, କନା
ଲୋଡ଼ୁନୁ କିଛି ମାଲିକାନା
ଆମେ ତ ବିଶ୍ବର ଅତିଥି
ନାହିଁ କ୍ଷମତା, ପ୍ରତିପତ୍ତି
ମନରେ ନାହିଁ ଅନୁତାପ
ସହୁନୁ କାଳର ପ୍ରତାପ
ଲିଭିବା ଯାଏଁ ପ୍ରାଣଦୀପ
ସଂଭାଳି ରଖିବୁଁ ସ୍ବରୂପ
ଦୁହେଁ କହୁଁ ଗୋଟିଏ ଭାଷା
ସେ ଭାଷା ଆମର ଭରସା
ତାକୁ ସାଂଗରେ ନେଇଥାଉଁ
ଯେବେ ବି ଯେଉଁଠାକୁ ଯାଉଁ
ଆମେ ତ ଚିରଂଜୀବୀ ନୋହୁଁ
ନିଜର ଭାଷା ଲେଖୁଁ, କହୁଁ
ଏଥିରେ ନାହିଁ ଭ୍ରାଂତି, କ୍ଳାଂତି
କାମ ସାରିଲେ ପାଉଁ ଶାଂତି
କରୁଛୁଁ ଯେଉଁ କାମମାନ
ସେସବୁ କର୍ତବ୍ୟ ସମାନ
ତହିଁରୁ ଖ୍ଯାତି କି ସମ୍ମାନ
ଲୋଡ଼ିନି କେବେ ଆମ ମନ
ପରସ୍ପରକୁ ଜାଣି, ବୁଝି
ଏକାଠି ରହିବାକୁ ରାଜି
ହେଲୁଁ ଯେ ବହୁ ବର୍ଷ ତଳେ
ସେହି ସଂକଳ୍ପ ଏବେ ଚଳେ
Comments are closed.