Latest Odisha News

ଜମି ଜାଲିଆତି ମାମଲା: ୫ ଦିନିଆ ଇଡି ହେପାଜତକୁ ଗଲେ ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚି ସେନା ଜମି ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୫ ଦିନିଆ ହେପାଜତକୁ ପଠାଇ ଦିଆଯାଇଛି। ଗତକାଲି ଦିନିକିଆ ବିଚାର ବିଭାଗୀୟ ହେପାଜତରେ ଯାଇଥିଲେ ହେମନ୍ତ ସୋରେନ। ପରେ ଆଜି ତାଙ୍କୁ ଇଡି ହାଇକୋର୍ଟରେ ହାଜର କରିଥିଲା।

ଏହି ମାମଲାରେ ଇଡି ଦ୍ୱାରା ହେମନ୍ତ ସୋରେନଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। ଏବଂ ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ।

ହେମନ୍ତ ସୋରେନ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତଦନ୍ତକାରୀ ସଂସ୍ଥା ଦ୍ୱାରା ଜାରି କରାଯାଇଥିବା ସମନକୁ ବେଆଇନ ଏବଂ ଗିରଫଦାରୀକୁ ବେଆଇନ ଘୋଷଣା କରିବାକୁ ଦାବି କରିଥିଲେ।

ଜମି ଠକେଇ ମାମଲାରେ ୭ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିବା ପରେ ବୁଧବାର ଜେଏମ୍ଏମର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଗିରଫ କରାଯାଇଥିଲା।

ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ଜେଏମ୍ଏମ୍ ନେତା ଚମ୍ପାଇ ସୋରେନଙ୍କୁ ଦଳର ବିଧାୟକ ଦଳ ନେତା ଭାବେ ମନୋନୀତ କରିଥିଲେ।

ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଚମ୍ପାଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Comments are closed.