ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କଲେହେଁ ଲିଖନ ବିଧାନ
ତାହା ହୁଏନି ସର୍ବମାନ୍ୟ
ଶେଷ ହୁଏନି ଆଲୋଚନା
ସ୍ବଭାଷା ହୁଏ ବାଟବଣା
ବିଦ୍ୟାକୁ କରିଲେ ବିବାଦ
ଅନେକେ କରଂତି ପ୍ରମାଦ
ସୂତ୍ର ନ ହେଲେ ପ୍ରଚଳିତ
ଭାଷାଟେ ହୁଏନି ଆଦୃତ
ସ୍ବଭାଷୀ ଜନ ବୀତସ୍ପୃହ
ହୋଇ ବର୍ଜଂତି ଭାଷାଗ୍ରହ
ଅନ୍ୟାନ୍ୟ ଭାଷାକୁ ଆଦର
ଦେଇ, କରଂତି ବ୍ୟବହାର
ବୟସ ବେଶି, ଅଳ୍ପ ବଳ
ଆଗ୍ରହ ଥିଲେ ହେଁ ପ୍ରବଳ
ସବୁ କାମ କରିବା ପାଇଁ
ସମୟ ପାରୁନି ଜୁଟାଇ
ସଭିଏଁ ସ୍ବାବଲଂବୀ ହୋଇ
ନେଉଁ ଏ ଭାଷାକୁ ବଢ଼ାଇ
ଆମେ ସଭିଏଁ ସହଭାଗୀ
କେ ନୋହୁଁ କାହା ପ୍ରତିଯୋଗୀ
ପ୍ରତ୍ୟେକ ମନୁଷ୍ଯ ଅନନ୍ୟ
ତାହାର ବଚନ, ଲିଖନ
କେବେ ବି ନ ହେଲେ ସମାନ
କମେନି ଭାଷାର ସମ୍ମାନ
ପ୍ରତ୍ୟେକ ଲୋକ ନିଜ ରୁଚି
ସଂଭାଳି ଯାହା ବି କରୁଛି
ତାହା ନୁହେ ଉପେକ୍ଷଣୀୟ
ସ୍ବାତଂତ୍ର୍ୟ ତା’ର ପରିଚୟ
କେବଳ ଜଣକ ନିମଂତେ
ଯେବେ ସମାଜ ଜାଗେ, ମାତେ
ତାହା ପ୍ରକୃତ ଗଣତଂତ୍ର
ପ୍ରତ୍ୟେକ ମଣିଷ ସ୍ବତଂତ୍ର
ଶୁଭ, ଅଶୁଭ ଚିଂତା ତ୍ୟଜି
କାମରେ ରହିଥିଲେ ମଜ୍ଜି
ସାରା ସଂସାର ହୁଏ ରାଜି
ଯାହାର ଯେମିତି ମରଜି
ବ୍ୟକ୍ତି ଗଢ଼ିଲେ ନିଜ କୃତି
ଅବଶ୍ୟ ମିଳଇ ସ୍ବୀକୃତି
ଇଚ୍ଛା ପୂରଣ ପାଇଁ ଶକ୍ତି
ସତେ ଉପୁଜେ ଅସରଂତି
ଲୋକଭାଷାକୁ ଅନାଦର
କରିବା ନୁହେ ହିତକର
ବୁଝଂତୁ ସୁଜ୍ଞାନୀ ପ୍ରବର
ସ୍ବଭାଷା ସରଳ ସୁଂଦର
ଭାଷା ନ ହେଲେ ବ୍ୟବହୃତ
କ୍ରମଶଃ ହୁଏ ଅନାଦୃତ
ତା’ପରେ ହୁଏତ ବିଲୁପ୍ତ
ଏହା ନିଷ୍ଠୁରତମ ସତ
ଭାଷାର ଗୁଣ, ଅବିଗୁଣ
ଯୋଗୁଁ ହୁଏନି ବିଲୋପନ
ଭାଷୀଏ ହେଲେ ଅନାସକ୍ତ
ଭାଷା ଦେହରୁ ଝରେ ରକ୍ତ
Comments are closed.