ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଲୋକଂକ ଜ୍ଞାନ ଆଉ ବୁଦ୍ଧି
ଘଟାଂତି ଶୁଦ୍ଧି ବା ଅଶୁଦ୍ଧି
ଲୋକଂକ କୁରୁଚି, ସୁରୁଚି
ସବୁଠି ସର୍ବଦା ଦିଶୁଛି
ଅଶୁଦ୍ଧ ହୁଏ ଯେବେ ଭାଷା
ବଢ଼ଇ ଜାତିର ଦୁର୍ଦଶା
ସୂଚିତ ଶୁଦ୍ଧତା ସ୍ବୀକାରି
ହେବା ଭାଷାର ହିତକାରୀ
ନିରୋଳ ସହଯୋଗ ବଳେ
ଭାଷାଟେ ଶୁଦ୍ଧ ହୋଇ ଚଳେ
ତା’ ମାନ ପଡ଼େନାହିଁ ତଳେ
ଦୃଢ଼ମୂଳ ଭାଷା ନ ଟଳେ
ଲିଖନ ଅଟେ ସୂକ୍ଷ୍ମ କଳା
ତେଣୁ ଅସହ୍ୟ ହୁଏ ହେଳା
ରଖିଲେ ତ୍ରୁଟିଭରା ଶବ୍ଦ
ଭାଷାକୁ ଗ୍ରାସଇ ବିପଦ
ବ୍ୟକ୍ତିର ପରିଚୟ କୃତି
ଅଲୋଡ଼ା ଅଯଥା ଦ୍ବିରୁକ୍ତି
ପଦ, ପଦବି ଫୁଲଝରି
କୃତି ଅଖଂଡ ଦୀପ ପରି
କରେ ଏ ସଂସାରର ହିତ
ତମସା ହୁଏ ଅଂତର୍ହିତ
ସ୍ଥିରଚିତ୍ତରେ ଧୀର ଲେଖା
ହୁଅଇ ସାହିତ୍ୟର ସଖା
ଧୀରେ ଧୀରେ କଲେ ଲିଖନ
ବଢ଼ିଥାଏ ଲେଖାର ମାନ
ରହିଛି ପ୍ରଭୂତ ପ୍ରମାଣ
କାହିଁକି ହେବା ସଂଦିହାନ
କରିଲେ କଥିତ କଥନ
ହୁଏନି ଉନ୍ନତ ଭାଷଣ
ଶୁଣାକଥାକୁ ପୁନର୍ବାର
କହିବା ନୁହେ ଦରକାର
ନିଜସ୍ବ ଭାବନା ଓ ଚିଂତା
ଉଚ୍ଚାରି ଦେବାକୁ ବକ୍ତୃତା
ମନରେ ନ ରଖିଲେ ଦ୍ବିଧା
କହିବା ପାଇଁ ନାହିଁ ବାଧା
ମନକୁ ମିଳିଲେ ଆଘାତ
ମଣିଷ ହୁଏ ଜ୍ଞାନପ୍ରାପ୍ତ
ଜ୍ଞାନୀ ନିଜକୁ ବଦଳାଏ
ସୁଖେ ସଂସାରେ ରହିଥାଏ
ପରିବର୍ତନ ପ୍ରତି ଭୀତି
ରହିଲେ ହୁଏନି ଉନ୍ନତି
ସର୍ବଦା ଆତ୍ମସଂଶୋଧନ
ଉତ୍କୃଷ୍ଟ କରଇ ଜୀବନ
ସଂଶୋଧକକୁ ମିତ୍ର ବୋଲି
ଭାବି ସଂସାରେ ହୁଏ ଚଳି
ଯେ ସହି ପାରେନାହିଁ ଗାଳି
ଆପେ ଆପେ ସେ ପଡ଼େ ଟଳି
ବୃଦ୍ଧି, ବିକାଶ ନିରଂତର
ଲୋଡ଼ିଲେ ବ୍ୟକ୍ତି ଓ ସଂସାର
ଜୀବନ ଲାଗେ ସୁଖକର
ନ ଥାଏ ଲାଜ ଅବା ଡର
ଶିଷ୍ଟାଚାରୀ ହୁଏ ନିଂଦିତ
ସ୍ବେଚ୍ଛାଚାରୀ ହୁଏ ବଂଦିତ
ସଂସାରର ଏପରି ରୀତି
ପାଳୁଥାଏ ମଣିଷ ଜାତି
ମତାଚ୍ଛନ୍ନ ହୋଇ ମଣିଷ
କରେ ଯଦି ନିଜକୁ ଶେଷ
ଉଦ୍ଧାର କରିବ କି କିଏ ?
ଉତ୍ତର ଖୋଜୁଁ ଥରଟିଏ
Comments are closed.