Latest Odisha News

BREAKING NEWS

ପରଲୋକରେ ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ କୁମାର ସାହାନୀ

ମୁମ୍ବାଇ: ପରଲୋକରେ ଜାତୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ କୁମାର ସାହାନୀ । ଚଳଚ୍ଚିତ୍ର ନିର୍ମାତା କୁମାର ସାହାନୀଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ସାହନୀଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ, ଗତକାଲି ରାତିରେ କୋଲକାତାର ଏକ ଡାକ୍ତରଖାନାରେ ନିର୍ଦ୍ଦେଶକଙ୍କର ମୃତ୍ୟୁ ଘଟିଛି।

‘ବାର୍ ବାର୍ ବାରୀ’, ‘ଖ୍ୟାଲ ଗାଥା’ ଏବଂ ‘କସ୍ବା’ ରେ ନିର୍ଦ୍ଦେଶକ କୁମାର ସାହାନୀଙ୍କ ସହ କାମ କରିଥିବା ବଶିଷ୍ଠ କହିଛନ୍ତି ଯେ, “ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ହେତୁ ଗତକାଲି ରାତି ପ୍ରାୟ ୧୧ ଟା ସମୟରେ କୋଲକାତାର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ ଏବଂ ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଉଥିଲା । ସିନେ ଜଗତ ପାଇଁ ଏହା ଏକ ବଡ କ୍ଷତି। ”

ଭାରତୀୟ ସିନେମାର ଏକ ବଡ଼ ବ୍ୟକ୍ତିତ୍ୱ ଭାବେ ପରିଚିତ କୁମାର ସାହାନୀଙ୍କ ଦେହାନ୍ତ ହେତୁ ବଲିଉଡରେ ଶୋକର ଲହରୀ ଖେଳିଯାଇଛି । କୁମାର ସାହାନୀ ‘ମାୟା ଦର୍ପଣ’, ‘ଚାର ଆଧ୍ୟାୟ’ ଏବଂ ‘କସୱା’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । କୁମାର ସାହାନୀ ୧୯୪୦ ମସିହାରେ ଅବିଭକ୍ତ ଭାରତର ସିନ୍ଧର ଲାର୍କାନାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୪୭ ମସିହାରେ ଭାରତ ଏବଂ ପାକିସ୍ଥାନ ବିଭାଜନ ପରେ ସାହାନୀ ତାଙ୍କ ପୁରା ପରିବାର ସହ ମୁମ୍ବାଇ ଆସିଥିଲେ। ସାହାନୀଙ୍କ ପରିବାରରେ ଏବେ କେବଳ ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି । ସାହାନୀ ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ରେ ଅଧ୍ୟୟନ କରିଥିଲେ।

ସାହାନୀ ୧୯୭୨ ମସିହାରେ ହିନ୍ଦୀ ଲେଖକ ନିର୍ମଳ ବର୍ମାଙ୍କ କ୍ଷୁଦ୍ର କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ମାୟା ଦର୍ପଣ୍’ ସହିତ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରଟି ହିନ୍ଦୀରେ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଥିଲା ​​|

 

Comments are closed.